ରାଜ୍ୟସଭା 'ବିବେକ ଖେଳ'କୁ ନେଇ ବିଜେଡିରେ ହାହାକାର । କିନ୍ତୁ ଦଳପତି ନବୀନ ନିଶ୍ଚଳ, ଏକଦମ୍ ଚୁପ୍, ହେଲେ କାହିଁକି ? ଏ ପୂରା ଖେଳ ଆଉ ବିଜେଡି ଗୋଳମାଳ ମୂଳରେ ନାହାନ୍ତି ତ ନିଜେ ନବୀନ ? ସାରା ଦଳ ଉପରେ ଏବେ ଏଇ ସନ୍ଦେହର କଳାବାଦଲ । ଆଉ ଏ ବାଦଲକୁ ଆହୁରି ଘନୀଭୂତ କରିଛି, ରାଜ୍ୟସଭା ନାଟକ ପରେ କ୍ଷୁବ୍ଧ ଦଳର ସଂଖ୍ୟାଲଘୁ ସଂପ୍ରଦାୟର ସାଂସଦ ମୁନ୍ନା ଖାଁଙ୍କ ନବୀନଙ୍କୁ ଭେଟିବା ପରର ପ୍ରତିକ୍ରିୟା ।
ଯଦି ମୁନ୍ନା ଖାଁଙ୍କ ଏ କଥା ସତ, ଯଦି ମୁନ୍ନା ଖାନ୍ ରାଜ୍ୟସଭାରେ ୱାକଫ୍ ବିଲକୁ ବିରୋଧ କରି ଡ୍ୟୁଟି ଠିକ୍ କରିଛନ୍ତି, 3 ଏପ୍ରିଲ ଅପରାହ୍ଣ 5ଟା 59ରେ ରାଜ୍ୟସଭାରେ ଦଳର ନେତା ସସ୍ମିତ ଏଭଳି ପୋଷ୍ଟ କରି ନିଜ ଡ୍ୟୁଟିକୁ ଠିକରେ କରିଥିଲେ ନା ଭୁଲରେ । ଯଦି ସସ୍ମିତ ପାର୍ଟି ଲାଇନ୍ ବାହାରେ ଯାଉଥିଲେ, ତାହେଲେ ତାଙ୍କୁ ରୋକିବାକୁ ତତ୍କାଳ କି ନଷ୍ପତ୍ତି ନେଇଥିଲେ ମୁଖିଆ ନବୀନ। ସସ୍ମିତଙ୍କ ଏ ପୋଷ୍ଟ ଓ ଭୋଟିଂ ଭିତରେ ଥିବା ଲମ୍ବା 8 ଘଣ୍ଟା ସମୟ ଭିତରେ ସେ କରୁଥିଲେ କ'ଣ, ସଂସଦୀୟ ଦଳ ନେତାମାନଙ୍କ ସହ ତୁରନ୍ତ କଥା ହୋଇ ଦ୍ବନ୍ଦ୍ବ ଦୂର ପାଇଁ ପ୍ରୟାସ କାହିଁକି କଲେନି ।
ଅଧିକ ପଢ଼ନ୍ତୁ: ଦି' ଫାଳ ବିଜେଡି; ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀ
ମୂଳ କଥା, ହ୍ବିପ୍ କାହିଁକି ଜାରି ହେଲାନି । କେବଳ ସେତିକି ନୁହେଁ ୟାକୁ ନେଇ ଦଳ ଭାଗ ଭାଗ ହୋଇଯିବାର ସ୍ଥିତି ଉପୁଜିବା ସମୟରେ ବି ଆଜିକୁ 4 ଦିନ ଧରି ଚାଲିଛି କ'ଣ । ଦଳର ବରିଷ୍ଠ ନେତାମାନେ ନବୀନଙ୍କୁ ଭେଟି ଘଟଣା ସଂପର୍କରେ କି ଆଲୋଚନା କରୁଛନ୍ତି, ନବୀନ ୟା ଉପରେ କ'ଣ ପ୍ରତିକ୍ରିୟା ରଖୁଛନ୍ତି ତାହା ବି ସ୍ପଷ୍ଟ ହେଉନି । ଆଉ ଏଭଳି ସ୍ଥିତିରେ ପ୍ରଥମେ ଦେବାଶିଷ, ପ୍ରଭାତ ଓ ଭୁପିନ୍ଦରଙ୍କ ପରେ ଆଜି ଆହୁରି ବିସ୍ଫୋରକ ବୟାନ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡ଼େଇ ।
ପ୍ରଫୁଲ୍ଲ କହିଛନ୍ତି, ୱାକଫ୍ ବିଲକୁ ନେଇ କାହିଁକି ନିଷ୍ପତ୍ତି ବଦଳିଲା, କିଏ ବଦଳେଇଲା, କ'ଣ, ହେଇଛି ସବୁ ନବୀନ ଜାଣନ୍ତି । ପ୍ରକୃତ କଥା କଣ ନବୀନ ହିଁ କହିପାରିବେ । ତେଣୁ ସେ ସାମ୍ନାକୁ ଆସନ୍ତୁ। ସେହିପରି ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ପୁଣି ମୁହଁ ଖୋଲି କହିଛନ୍ତି, ସଂସଦୀୟ ବୋର୍ଡ ବୈଠକରେ ବିଲକୁ ବିରୋଧ କରିବାର ନିଷ୍ପତ୍ତି ବାବଦରେ ଜାଣିଥିଲି, ହେଲେ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ ସନ୍ଦେହ ସୃଷ୍ଟି କରିଛି ।
ପ୍ରଶ୍ନ ଏୟା ବି ଉଠୁଛି, ଯଦି ସସ୍ମିତଙ୍କ ପୋଷ୍ଟ ପଛରେ ନବୀନ ଓ ପାଣ୍ଡିଆନଙ୍କ ନିର୍ଦ୍ଦେଶ ନାହିଁ, ତା'ହେଲେ ପ୍ରଥମ ଥର ପାଇଁ ତାଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ ଦେବାର ସାହସ କରି ଦଳର ଭାବମୂର୍ତ୍ତିକୁ ଧୂଳି ଚଟାଇବାର ଦୁଃସାହସ ବିରୋଧରେ କି ପଦକ୍ଷେପ ନେଉଛନ୍ତି ନବୀନ, ବିଳମ୍ବର ରହସ୍ୟ କ'ଣ । ତେବେ ରାଜନୈତିକ ସମୀକ୍ଷକଙ୍କ ମତ ସବୁରି ମୂଳରେ ହିଁ ନିଜେ ନବୀନ । ସବୁ ସେଇ କରୁଛନ୍ତି, ଦୋଷ ଅନ୍ୟଠି ବୋଳା ହୋଇଆସୁଛି ।
ଏସବୁ ଭିତରେ ନବୀନ କେବେ ଚିରାଚରିତ ଅନୁଧ୍ୟାନ ମନ୍ତବ୍ୟରୁ ବାହାରି ନୀରବତା ଭାଙ୍ଗୁଛନ୍ତି, ରାଜ୍ୟସଭା ନିଷ୍ପତ୍ତି ବିପର୍ଯ୍ୟୟର ସତ ସାମ୍ନାକୁ ଆଣୁଛନ୍ତି ତା' ଉପରେ ବିଜେଡିର ଭାଗ୍ୟ ଓ ଭବିଷ୍ୟତ ବୋଲି ଚର୍ଚ୍ଚା ହେଉଛି ।