Advertisment

ବିଜେଡ଼ି ଫୋକସରେ ନୂଆ ଭୋଟର୍, ବିଭିନ୍ନ ସ୍ଥାନରେ ଲାଗିବ ସରକାରୀ ମେଧା ବୃତ୍ତି ବ୍ୟାନର୍

ବିଜେଡ଼ି ଫୋକସରେ ନୂଆ ଭୋଟର୍। କ୍ୟାମ୍ପସକୁ ଦଳ ଦେଇଛି ଗୁରୁତ୍ୱ । ଉଚ୍ଚ ଶିକ୍ଷା ବିଭାଗ ଏବେ କ୍ୟାମ୍ପସରେ ମାରିବ ସରକାରୀ ମେଧା ବୃତ୍ତି ବ୍ୟାନର। ତେବେ ସରକାର ହଠାତ୍ କାହିଁକି ଏଭଳି ନିଷ୍ପତି ନେଲେ, ତାକୁ ନେଇ ତେଜିଛି ରାଜନୀତି। ବିରୋଧୀ କହିଛନ୍ତି, କେବଳ ନୂଆ ଭୋଟରଙ୍କୁ ସନ୍ତୁଷ୍ଟ କରିବାକୁ ସରକାରୀ ଦଳର ଏହି ପ୍ରୟାସ।

author-image
Prangyan Parimita
ଅଦ୍ୟତନ ହୋଇଛି
BJD implements new strategy

BJD implements new strategy

ପ୍ରଥମେ କ୍ୟାମ୍ପସ। ଆଉ ଏବେ ପବ୍ଲିକ ପ୍ଲେସ୍। ସବୁଠି ଛାଇଯିବ ସରକାରୀ ମେଧା ବୃତ୍ତି ସ୍କିମ ପୋଷ୍ଟର। ଉଚ୍ଚଶିକ୍ଷା ବିଭାଗର ଛାତ୍ରବୃତ୍ତି ଯୋଜନା ସମ୍ବଳିତ ବ୍ୟାନର ଏବେ ସର୍ବସାଧାରଣ ସ୍ଥାନରେ ଲାଗିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଓ ଲୋକସଂପର୍କ ବିଭାଗକୁ ଚିଠି କରାଯାଇଛି। ସରକାରୀ ଯୋଜନା ସମ୍ପର୍କରେ ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ଅବଗତି ନିମନ୍ତେ ପଦକ୍ଷେପ ନେଇଛି ଉଚ୍ଚ ଶିକ୍ଷା ବିଭାଗ।

Advertisment

ପୂର୍ବରୁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନର କ୍ୟାମ୍ପସରେ ହୋର୍ଡିଂ ମାରିବାକୁ ନିଷ୍ପତି ନିଆଯାଇଛି। ରାଜ୍ୟ ସରକାରଙ୍କ ୬ ଟି ବିଭାଗରେ ମେଧାବୃତ୍ତି ଯୋଜନା ରହିଛି। ହେଲେ ଛାତ୍ରଛାତ୍ରୀ ମାତ୍ର ଦୁଇଟି ବିଷୟରେ ସୀମିତ ରହୁଥିଲେ। ଏବେ ସୂଚନା ଫଳକ ପରି ବିଭିନ୍ନ ସ୍ଥାନରେ ହୋର୍ଡିଙ୍ଗ ଲାଗିଲେ, ଛାତ୍ରଛାତ୍ରୀ ସରକାରଙ୍କ ସବୁ ଯୋଜନା ଓ ମେଧାବୃତ୍ତି ସମ୍ପର୍କରେ ଜାଣି ଶିକ୍ଷା ସୁବିଧା ପାଇ ପାରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ପ୍ରଶ୍ନ ଉଠୁଛି, ଏବେ କଲେଜ୍ କ୍ୟାମ୍ପସ ଓ ସରକାରୀ ମେଧାବୃତ୍ତି ପୋଷ୍ଟରକୁ ହଠାତ୍ କାହିଁକି ଗୁରୁତ୍ୱ ଦେଲେ ସରକାର ? ପୂର୍ବରୁ ଏସବୁ ଯୋଜନା ରହିଥିଲେ ବି ଏବେ ଏସବୁ ବ୍ରାଣ୍ଡିଂ ପଛର କାରଣ କଣ ? ବିରୋଧୀ ଏଥିରୁ ରାଜନୈତିକ ଗନ୍ଧ ବାରିଛନ୍ତି। ବିରୋଧୀଙ୍କ ଅଭିଯୋଗ ନିର୍ବାଚନକୁ ଆଉ ୬ ମାସ ବାକି ଅଛି। ତା ପୂର୍ବରୁ ନୂଆ ଭୋଟରଙ୍କୁ ହାତେଇବା ପାଇଁ ସରକାରୀ ଦଳ ଫୁଲ୍ ଦମରେ ଲାଗି ପଡିଛି।

Advertisment

କିଛି ଦିନ ତଳେ କ୍ୟାମ୍ପସରୁ ନୂଆ ଭୋଟର୍ ଚିହ୍ନଟ ଓ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରାଗଲା। ଆଉ ଏବେ କ୍ୟାମ୍ପସରେ ସରକାରୀ ଯୋଜନାର ଜୋର୍ଦାର ପ୍ରଚାର। ତେବେ ଏହା ସଚେତନତା ନା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ, ତାକୁ ନେଇ ଏବେ ସବୁଠି ଚର୍ଚ୍ଚା।

BJD New Strategy
Advertisment
Advertisment