• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଫୋକସ୍ ୨୦୨୪ । ସରଗରମ ରାଜ୍ୟ ରାଜନୀତି । ଆରମ୍ଭ ହେଲା ଦଳ ଡିଆଁ ପର୍ବ । ବିଜେଡି, ବିଜେପି ଆଉ କଂଗ୍ରେସର ଚାଲିଛି ହୋମୱାର୍କ । ଏହାରି ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବ ଶୀଘ୍ର ମଇଦାନକୁ ଓହ୍ଲାଇବେ । ଜିଲ୍ଲା ଗସ୍ତ କରି ଦଳୀୟ ପ୍ରଚାର କରିବେ । ଚର୍ଚ୍ଚା ହେଉଛି ନିର୍ବାଚନ ପୂର୍ବରୁ ପୁରା ୩୦ ଜିଲ୍ଲା ବୁଲି ପ୍ରଚାର କରିପାରନ୍ତି ନବୀନ । ସାଙ୍ଗରେ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ରହିବେ ବୋଲି ଚର୍ଚ୍ଚା ହେଉଛି ।

ଏହାଭିତରେ ବିଭିନ୍ନ ସରକାରୀ ଯୋଜନାର ଶୁଭ ଉଦଘାଟନ ଉତ୍ସବରେ ନବୀନ ଉପସ୍ଥିତ ରହି ଉଦଘାଟନ କରୁଛନ୍ତି । ସେପଟେ ପ୍ରମୁଖ ବିରୋଧୀ ଦଳ ବିଜେପି ବିଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ କରି ସରକାରକୁ ଘେରୁଛି । ଆଞ୍ଚଳିକ ସମସ୍ୟାକୁ ଗୁରୁତ୍ବ ଦେଇ ପଞ୍ଚାୟତ ସ୍ତରରୁ ରାଜ୍ୟ ଯାଏ ପ୍ରତିବାଦ ସମାବେଶ ଦଳ କରୁଛି । ସେହିପରି ଦୁର୍ନୀତି, ପିସି କାରବାର, କେନ୍ଦ୍ରୀୟ ଯୋଜନା ହଡ଼ପ, ଆଦିବାସୀ ଜମି ଓ ଆଇନଶୃଙ୍ଖଳାକୁ ନିର୍ବାଚନୀ ଅସ୍ତ୍ର କରିଛି ବିଜେପି ।

ସେପଟେ କଂଗ୍ରେସ ବି ଦୁର୍ବାର ଲଢେଇ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି । ଆଜି ବସିଥିବା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରସ୍ତୁତ କରାଯାଇଛି ନିର୍ବାଚନୀ ଷ୍ଟ୍ରାଟେଜି । ୫ ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପରେ ଚଳିତ ମାସରେ ବିଧାନସଭା ଆଗରେ ମହାସମାବେଶ ଓ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ପ୍ରିୟଙ୍କା, ରାହୁଲ, AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ନେଇ ଦଳ ବିଶାଳ ସଭାର ଆୟୋଜନ କରିବାକୁ ଯୋଜନା କରିଛି ।

ସାଧାରଣ ନିର୍ବାଚନକୁ ୪ ମାସ ବାକି । ରାଜନୈତିକ ସମୀକ୍ଷକଙ୍କ ଆକଳନ ହେଲା, ବିଜେଡି ପାଇଁ ସମସ୍ୟା ଟିକେଟ ବଣ୍ଟନ । ଦଳୀୟ କନ୍ଦଳ ବି ମୁଖ୍ୟ ମୁଣ୍ଡବିନ୍ଧାର କାରଣ ହୋଇପାରେ । ତେଣେ ଏକ୍ଜିଟ୍ ପୋଲ୍‌ରେ ସଫଳତା ମିଳିବା ନେଇ ଆକଳନ ପରେ ରାଜ୍ୟ କଂଗ୍ରେସ ଶିବିର ଉତ୍ସାହିତ ଥିବା ବେଳେ କେନ୍ଦ୍ରମନ୍ତ୍ରୀମାନେ ଘନ ଘନ ଗସ୍ତ କରି ବିଜେଡି ସରକାରକୁ ଟାର୍ଗେଟ କରିବା ପରେ ରାଜ୍ୟ ବିଜେପି ନେତାଙ୍କ ଦମ୍ଭ ବଢିଛି ।

୫ ରାଜ୍ୟରେ ନିର୍ବାଚନ ଶେଷ ହେଉ ହେଉ ଓଡ଼ିଶାରେ ଆରମ୍ଭ ହୋଇଛି ରାଜନୈତିକ ହଟଚମଟ । ତେବେ ରାଜନୀତିର ଗୋଳିଆ ପାଣିରୁ କିଏ କେତେ ଫାଇଦା ନେଉଛି ତାକୁ ହିଁ ଅପେକ୍ଷା ।

  • Reported by:
  • JAGDISH DAS , ATULYA BOUT