• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୂତପୂର୍ବ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁରେ 1997 ମସିହା ଡିସେମ୍ୱର 26 ତାରିଖରେ ବିଜୁ ଜନତା ଦଳ ପ୍ରତିଷ୍ଠା ହୋଇଥିଲା । ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡିଶାରେ ଜନତା ଦଳ ବିଭାଜିତ ହୋଇଥିଲା । ତତ୍କାଳୀନ ଜନତା ଦଳର କିଛି ବରିଷ୍ଠ ନେତା ଏହି ଆଞ୍ଚଳିକ ଦଳ ଗଠନ କରି ବିଜେପି ସହ ମେଣ୍ଟ କରିଥିଲେ । ବିଜୁବାବୁଙ୍କ ଆଦର୍ଶକୁ ନେଇ ବିଜେଡି ଆଗକୁ ବଢିବ ବୋଲି ଘୋଷଣା କରାଯାଇଥିଲା । କେବଳ ଆଦର୍ଶ ନୁହେଁ ତାଙ୍କ ଅଧୁରା ସ୍ୱପ୍ନକୁ ବିଜେଡି ପୂରଣ କରିବ ବୋଲି ଜୋରଦାର୍ ପ୍ରଚାର କରାଯାଇଥିଲା । ହେଲେ ତାଙ୍କ ସ୍ୱପ୍ନ କଣ ଥିଲା ଓ କେତେ ପୂରଣ ହୋଇଛି, ତାହା ରାଜ୍ୟବାସୀ ଭଲଭାବେ କହିପାରିବେ । ତେବେ ବିଜୁବାବୁଙ୍କ ଆଦର୍ଶରୁ ଯେ ବିଜେଡି ଦୂରେଇଯାଇଛି, ଏହା ଏବେ ଲୋକମାନେ ହୃଦୟଙ୍ଗମ କରୁଛନ୍ତି ।

ବିଜୁବାବୁ ଛାଡିଥିଲେ ଦଳ ସଭାପତି ପଦ

1990 ମସିହାରେ ବିଜୁବାବୁ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେତେବେଳେ ସେ ଜନତା ଦଳର ରାଜ୍ୟ ସଭାପତି ଥାଆନ୍ତି । ଜଣେ ଲୋକ ଦଳର ସଭାପତି ଓ ମୁଖ୍ୟମନ୍ତ୍ରୀ ପଦରେ ରହିବା ଠିକ୍ ନୁହେଁ ବୋଲି ଦଳର ଜଣେ ଦୁଇଜଣ ନେତା ଏକ ଦଳୀୟ କାର୍ଯ୍ୟକ୍ରମରେ ଆରୋପ କରିଥିଲେ । ଏହା ପରେ ବିଜୁବାବୁ ତତକ୍ଷଣାତ୍ ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଅଶୋକ ଦାସ ହୋଇଥିଲେ ଦଳର ସଭାପତି । ଜଣେ ବ୍ୟକ୍ତି ଦୁଇଟି ପଦବୀରେ ରହିବା ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ନୁହେଁ ବୋଲି ବିଜୁବାବୁ ସେତେବେଳେ କହିଥିଲେ ଓ ତାହା କାମରେ କରି ଦେଖାଇଥିଲେ । କିନ୍ତୁ ତାଙ୍କର ଆଦର୍ଶ କଥା କହୁଥିବା ବିଜେଡି ଏହାକୁ ପାଳନ କରୁନାହିଁ । ଦଳ ଗଠନ ହେବା ଦିନଠାରୁ ନବୀନ ପଟ୍ଟନାୟକ ଦଳର ସଭାପତି ଅଛନ୍ତି । କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି । 2000 ମସିହାରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ଅଛନ୍ତି । ଜଣେ ବ୍ୟକ୍ତି ଦୁଇଟି ପଦବୀରେ ଅଛନ୍ତି ।

ବିଜୁବାବୁଙ୍କର ଓଡିଆ ପ୍ରୀତି ଥିଲା

ବିଜୁବାବୁ ଓଡିଆ ଭାଷାକୁ ଭଲପାଉଥିଲେ । ଓଡିଆ ଲୋକଙ୍କୁ ଭଲ ପାଉଥିଲେ । ଓଡିଆ ଭାଷାର ଉନ୍ନତି ପାଇଁ କାମ କରୁଥିଲେ । କିନ୍ତୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ପର୍ଯ୍ୟନ୍ତ ଭଲଭାବେ ଓଡିଆ କହିପାରିଲେ ନାହିଁ । ବିଜେଡି ସରକାର ଅମଳରେ ଓଡିଶାର ସୀମା ସୁରକ୍ଷା ପ୍ରତି ସବୁଠୁ ଅଧିକ ବିପଦ ଦେଖାଦେଇଛି । ସୀମାନ୍ତରେ ଓଡିଆ ଭାଷା ମଧ୍ୟ ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛି । ସୀମାନ୍ତରେ କେତେକ ଗାଁରେ ଲୋକମାନେ ଅନ୍ୟ ରାଜ୍ୟ ସହ ମିଶିଯିବାକୁ ଧମକ ବି ଦେଲେଣି । କୋରାପୁଟର କୋଟିଆ ଏହାର ଏକ ସଦ୍ୟତମ ଉଦାହରଣ ମାତ୍ର ।