/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747301263.jpeg)
ନୂଆ ତାଲିକାରେ ପାଣ୍ଡିଆନ ଛାପ
“ଆରେ ଢମଣା ବୁଲି ବୁଲି ପୁଣି ସେଇ ଅଗଣା ।” କେଉଁ କାରଣରୁ ଦଳ ପରାଜୟବରଣ କଲା, ସାରା ରାଇଜ ଜାଣିଲା । ନିର୍ବାଚନୀ ପରାଜୟଠାରୁ ‘ୱାକଫ ବିଲ’ ନିଷ୍ପତ୍ତି ପର୍ଯ୍ୟନ୍ତ ଦଳରେ ଖୋଲାଖୋଲି ନେତା କର୍ମୀ ପାଣ୍ଡିଆନ ବିରୋଧୀ ନାରା ଦେଲେ, ଅସନ୍ତୋଷ ଝାଡିଲେ । ହେଲେ ସବୁଥର ସୁପ୍ରିମୋ ସାମ୍ନାକୁ ଆସି ନେତାଙ୍କୁ ତାଗିଦ କଲେ, “ପାଣ୍ଡିଆନଙ୍କୁ କିଛି କୁହ ନାହିଁ, ସେ ଦଳ ଛାଡି ସାରିଛନ୍ତି ।” ତେବେ ଦଳ ପରାଜୟର କାରଣ କଣ? ରାଜ୍ୟସଭାରେ ‘ୱାକଫ ସଂଶୋଧନ ବିଲ’ରେ ଦୁଇପ୍ରକାର ନିଷ୍ପତ୍ତି କାହାର ଥିଲା? ଦଳର ସଭାପତି ଏସବୁ ସ୍ପଷ୍ଟ କଲେ ନାହିଁ ।
ଏବେ ଦଳର ନୂଆ ସାଂଗଠନିକ ତାଲିକାରେ ପାଣ୍ଡିଆନଙ୍କ ଛାପ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ବିଜେଡି ପ୍ରତିଷ୍ଠାରୁ ଯେଉଁ ବରିଷ୍ଠ ନେତାମାନେ ଦଳରେ ରହିଛନ୍ତି, ଦଳର କ୍ରାଇସିସ ବେଳେ ଠିଆ ହୋଇଛନ୍ତି ଦଳୀୟ ବ୍ୟାପାରରେ ସେମାନେ ମୁଣ୍ଡ ପୁରାଇ ପାରିବେ ନାହିଁ । ‘ପାଣ୍ଡିଆନ ବିରୋଧୀ’ ନେତାଙ୍କୁ ଗୌଣ୍ୟ ଓ ସମର୍ଥକଙ୍କୁ ଗୁରୁତ୍ୱ ଦେବାଭଳି ଦଳୀୟ ଟିମ ପ୍ରସ୍ତୁତ ହେବା ଚର୍ଚ୍ଚାରେ ରହିଛି । ଏଭଳି କି ଅନେକ ନେତାଙ୍କୁ ତାଲିକାରେ ହିଁ ନିଆଯାଇ ନାହିଁ । ଯାହାଦ୍ୱାରା ଦଳର ଅସନ୍ତୋଷ ଆଗକୁ ଅହୁରି ତୀବ୍ରତର ହେବ ବୋଲି କୁହାଯାଉଛି । ତେବେ ନିର୍ବାଚନୀ ପରାଜୟରୁ ଦଳ ଶିଖିଲା କଣ? ଦଳର ସ୍ଥିତି କଣ ହେବ? ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ନୂଆ ସରକାର କ୍ଷମତାକୁ ଆସିବା ପରେ ଲୋକାଭିମୁଖୀ ହେବାରେ ଲାଗିଛି ଶାସକ ଦଳ ବିଜେପି । ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ବେହେରାଙ୍କ ମା’ଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୋଗଦାନ ସ୍ଥାନୀୟ ବାସୀଙ୍କୁ ଭାରି ଉତ୍ସାହିତ କରିଛି । ମୁଖ୍ୟମନ୍ତ୍ରୀ ଲୋକଙ୍କ ସହିତ ମିଶିବା, କଥାହେବା, ସେଲ୍ଫିନେବା ସେଠାକାର ଲୋକଙ୍କୁ ଅତି ନିଜର କରିଦେଇଛି । ଯାହାକୁ ଲୋକେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ସହିତ ତୁଳନା କରିଛନ୍ତି ।
ରାଜଧାନୀ ଏଜି ଛକ ନିକଟରେ ପାନଦୋକାନ କରିଥିବା ପୋଲସରାର କାଳିଆ ଏ ଘଟଣା ବର୍ଣ୍ଣନା କଲାବେଳେ ତାଙ୍କ ମୁହଁର ଭାବ ବେଶ୍ ବାରିହୋଇପଡୁଥିଲା । ତାଙ୍କ ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ପ୍ରାୟ ୫୦ ହଜାର ଲୋକଙ୍କ ଭିଡ ହୋଇଥିଲା । ଖାଲି କ’ଣ ସେତିକି; ମୁଖ୍ୟମନ୍ତ୍ରୀଙ୍କ ଗ୍ରିଭାନ୍ସ, ସୁଭଦ୍ରା ଯୋଜନା, ଚାଷୀଙ୍କଠାରୁ ଅଧିକ ୩୧ଶହ ଟଙ୍କାମୂଲ୍ୟରେ ଧାନ କିଣା ଆଦି ବିଭିନ୍ନ ସରକାରୀ ଯୋଜନାଗୁଡିକ ସୁଫଳ ବିଷୟରେ ମଧ୍ୟ କାଳିଆ କହିଲେ ।
କେବଳ ପୋଲସରା ନୁହେଁ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏପ୍ରିଲ ମାସରେ ଗଞ୍ଜାମ ଗସ୍ତରେ ଯାଇ ବୁଢୀଠାକୁରାଣୀ ଯାତ୍ରା, ଭୀମପୁର ସ୍କୁଲ ବାର୍ଷିକୋତ୍ସବ ଉଦ୍ଘାଟନ ଆଦି ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଏହି ଗସ୍ତ ସବୁଠି ଉତ୍ସବମୟ ପରିବେଶ ଦେଖିବାକୁ ମିଳିଥିଲା । ଯଦିିଓ ବିରୋଧୀ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଏକ ଅଭିଯୋଗ ଆଣିଥିଲା । ମୁଖ୍ୟମନ୍ତ୍ରୀ ଗଞ୍ଜାମରେ ଠାକୁରାଣୀ ଯାତ୍ରା ବୁଲୁଛନ୍ତି, କିନ୍ତୁ ସେଠାରୁ ମାତ୍ର କେଇବାଟ ଖଲିଙ୍ଗି ଆସି ପୀଡିତ ପରିବାରକୁ ଭେଟିବାକୁ ସମୟ ନାହିଁ ବୋଲି ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଭିଯୋଗ ଥିଲା ।
ଧ୍ୟାନଥାଉ କି ଏକଦା ବିଜେଡିର ଗଡ ଥିଲା ଗଞ୍ଜାମ । ରାଜ୍ୟର ସର୍ବାଧୀକ ୧୩ଟି ବିଧାନସଭା ଆସନରୁ ୧୨ଟି (ସାନଖେମୁଣ୍ଡିକୁ ବାଦ୍ ଦେଲେ) ଓ ୨ଟି ଲୋକସଭା ଆସନ ବିଜେଡି ଦଖଲରେ ରହୁଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟ ଏହି ଜିଲ୍ଲା ହିଞ୍ଜିଳିରୁ ଲଗାତାର ପ୍ରତିନିଧିତ୍ୱ କରୁଛନ୍ତି । ତେବେ ଗଲା ୨୦୨୪ ନିର୍ବାଚନରେ ଦୁର୍ଗର ପତନ ଘଟିଲା । ୧୧ଟି ଆସନ ବିଜେଡି ହାତରୁ ଚାଲିଯାଇ କେବଳ ଏକମାତ୍ର ନବୀନ ପଟ୍ଟନାୟକଙ୍କ ଆସନ ସୁରକ୍ଷିତ ରହିଲା । ଯେଉଁ ଦୁର୍ଗ ଏବେ ବିଜେପି ଦଖଲକୁ ଚାଲିଯାଇଛି । ୧୧ଟି ବିଧାନସଭା ଆସନ ଦଖଲ କରିଛି ବିଜେପି । ଏହା ସହିତ ବିଜେଡି କ୍ଷମତା ମଧ୍ୟ ହରାଇଛି ।
ବିଜେଡିର ଏଭଳି ବିପର୍ଯ୍ୟୟ ପାଇଁ ଲୋକେ ‘ପାଣ୍ଡିଆନ’ ମୁଖ୍ୟ କାରଣ ବୋଲି କୁହନ୍ତି । ଦିଗପହଣ୍ଡିରୁ ବ୍ରହ୍ମପୁର ଏକ ଯାତ୍ରୀବାହୀ ବସରେ ଗଲାବେଳେ ଆଲୋଚନା ଆଳରେ ଡେଙ୍ଗାଓସ୍ତାର ପୂର୍ବତନ ନାଏବ ସରପଂଚ କହିଲେ, “ଦଳର ସବୁ ନେତାଙ୍କୁ ତୁଚ୍ଛ କରି ଜଣେ ଅଣଓଡିଆଙ୍କୁ ଶ୍ରେୟ ମଣିବା, ପୁରା ଦଳ, କଳ, ବଳ ନେଇ ରାଇଜ ବୁଲାଇବା, ଏକୁଟିଆ ମଂଚ ଚଢିବା, ପୂରା ବ୍ୟବସ୍ଥାକୁ ନିଜ ଆୟତରେ ନେଇ ପରିଚାଳନା କରିବା କୋଉଠିକାର ନ୍ୟାୟ?” ଅବଶ୍ୟ ‘୫-ଟି’ ଯୋଜନାରେ ମନ୍ଦିର, ସ୍କୁଲ ଆଦି ଭିତ୍ତିଭୂମିର ବିକାଶକୁ କିଛିମାତ୍ରାରେ ସେ ପ୍ରଶଂସା ମଧ୍ୟ କରିଥିଲେ । ତେବେ ଲୋକଙ୍କ ମଧ୍ୟରେ ଏଭଳି ଧାରଣା ଏବଂ ବିରୋଧୀଙ୍କ ‘ଓଡିଆ ଅସ୍ମିତା’ ଟାର୍ଗେଟ ସରକାର ପରିବର୍ତ୍ତନ ପାଇଁ ଭରପୂର ଖୋରାକ ଯୋଗାଇଲା ।
ଗୋଟିଏ ପଟେ ଲୋକାଭିମୁଖୀ ଯୋଜନା, ଲୋକଙ୍କ ସରକାର, ଲୋକଙ୍କ ମୁଖ୍ୟମନ୍ତ୍ରୀ ନାରା ଦେଇ ବିଜେପିର ଡବଲଇଂଜିନ ସରକାରଙ୍କ ଆଗକୁ ବଢୁଥିବାବେଳେ ଅନ୍ୟପଟେ ଦ୍ୱିତୀୟ ବିରୋଧୀଦଳ କଂଗ୍ରେସ ମହିଳା ସୁରକ୍ଷା ଓ ଆଇନଶୃଙ୍ଖଳାକୁ ନେଇ ଲୋକଙ୍କ ପାଖକୁ ଯାଉଛି ଏବଂ ସରକାରଙ୍କୁ ଶାଣୀତ ଆକ୍ରମଣ କରୁଛି । କିନ୍ତୁ ମୁଖ୍ୟ ବିରୋଧୀ ବିଜେଡିର କେବଳ ଦଳୀୟ ଅସନ୍ତୋଷ ଓ କନ୍ଦଳ ପଦାକୁ ଆସୁଛି । ଏଭଳି ସ୍ଥିତିରେ ବିଜେଡି ଆଗକୁ କେଉଁ ମୋଡ ନେବ ତାହା ସମୟ ହିଁ କହିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)