• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ବିଜେଡିରୁ ବହିଷ୍କୃତ । ସରକାରୀ ସବସିଡି ଟଙ୍କା ହଡ଼ପ ଅଭିଯୋଗରେ ଦଳରୁ ବହିଷ୍କାର କରିଛି ବିଜେଡି । ବାଲେଶ୍ୱର ନିଗମାନନ୍ଦ ଆସୋସିଏଟ୍ସର ମ୍ୟାନେଜିଂ ପାର୍ଟନର ଥିବା ବେଳେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବସିଡି ହଡ଼ପ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଦର୍ଶାଯାଇଛି ।

୨୦୧୭-୧୮ରୁ ୨୦୧୯-୨୦ ମଧ୍ୟରେ ୩ କୋଟିରୁ ଅଧିକ ଟଙ୍କର ସବସିଡି ଟଙ୍କା ହଡ଼ପ ନେଇ ଏହି ପଦକ୍ଷେପ ନିଆଯାଇଥିବା କହିଛି ବିଜେଡି । ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଏହି ମାମଲାର ତଦନ୍ତ କରୁଛି ରାଜ୍ୟ ଭିଜିଲାନ୍ସ । ରେମୁଣା ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି । ସେ ଓ ତାଙ୍କର ଦୁଇ ସହଯୋଗୀଙ୍କ ମାଲିକାନାରେ ଚାଲିଥିବା ନିଗମାନନ୍ଦ ଆସୋସିଏଟ୍ ନାଁରେ କୃଷି ଯନ୍ତ୍ରାଂଶ ବିକ୍ରିରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ରହିଛି । ବିଧାୟକଙ୍କ ସମେତ ୧୮ଜଣଙ୍କ ନାଁରେ ଲୋକାୟୁକ୍ତ ନୋଟିସ୍ ଜାରି କରିଥିଲେ । ମୋଟ୍ ୩ କୋଟି ୨୨ ଲକ୍ଷ ସରକାରୀ ସବସିଡି ଟଙ୍କା ଆତ୍ମସାତ ହୋଇଥିବା ଜଣାପଡିଛି ।

ଏହି ଘଟଣାରେ ଗତ ଜୁନ୍ ୯ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାପାଇଁ ନୋଟିସ୍ ଜାରି ହୋଇଥିଲା । କିନ୍ତୁ ସେମାନେ ହାଜର ହୋଇନଥିଲେ । ୨୦୧୭-୧୮ ଓ ୧୯-୨୦ ଭିତରେ ବିଭିନ୍ନ ଜିଲ୍ଲାର ଅଣଚାଷୀ ଗରିବ ଏବଂ ଏସ.ସି /ଏସ.ଟି ହିତାଧିକାରୀଙ୍କ ନାଁରେ ହାରଭେଷ୍ଟିଂ ମେସିନ ବାବଦରେ  ସୁଧାଂଶୁଙ୍କ ଆକାଉଣ୍ଟକୁ ଯାଇଛି ମୋଟ ୨ କୋଟି ୨୫ ଲକ୍ଷ ୭୮ ହଜାର ଟଙ୍କା । ବାକି ତାଙ୍କ ସହଯୋଗୀଙ୍କ ଆକାଉଣ୍ଟକୁ ଯାଇଛି ୧ କୋଟି ୩୩ ଲକ୍ଷରୁ ଅଧିକ ଟଙ୍କା । ଏହା ଉପରେ ଚାଲିଛି ଖୋଳତାଡ । କୃଷି ଯନ୍ତ୍ରାଂଶ ମିଛଚାଷୀଙ୍କୁ ବିକ୍ରିକରି ସରକାରୀ ସବସିଡ୍ ଚଳୁ କରିଥିବା ଅଭିଯୋଗ ହୋଇଛି ।

ବହିଷ୍କାର ପରେ ବିଧାୟକ ସୁଧାଂଶୁ ପରିଡ଼ାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘ମୁଁ କିଛି ଜାଣିନି, କୌଣସି ସ୍କାମରେ ନାହିଁ । ମୋତେ ବହିଷ୍କାର କାରଣ ଜଣାନାହିଁ, ମୋ ଦାୟିତ୍ୱ ତୁଲାଉଛି । ମୋ କାର୍ଯ୍ୟ ଉପରେ ମୁଁ ସନ୍ତୁଷ୍ଟ ଅଛି, ଲୋକ ବି ସନ୍ତୁଷ୍ଟ ଅଛନ୍ତି । ମୁଁ କୌଣସି ସ୍କାମ ସହ ନାହିଁ କି ପୂର୍ବରୁ ବି ନଥିଲି । ବ୍ୟବସାୟ ଘଟଣା, ମୁଁ ସେଥିରେ ମାଲିକ ନୁହେଁ, ପାର୍ଟନର ଥିଲି । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେଇଛନ୍ତି ସେକଥା ସେ ଜାଣିଛନ୍ତି’ ।