• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୨୪ ନିର୍ବାଚନରେ ମାଟି କାମୁଡ଼ିବା ପରଠୁଁ ଚବିଶ ବର୍ଷର ଶାସକ ବିଜେଡିରେ ଏବେ ଫାଟ ଜଳ ଜଳ । ଯେତେ ଲୁଚାଇଲେ ବି ଆଉ ଲୁଚୁନି । ଘଡ଼ିକେ ଘୋଡ଼ା ଛୁଟୁଛି ବିଜେଡି କର୍ପୋରେଟରଙ୍କ ଅନ୍ତଃକନ୍ଦଳ । ବିଜେଡି କର୍ପୋରେଟର ଅମରେଶ ଜେନା ଦଳରେ ବିଭୀଷଣ ଥିବା କହିଥିବାବେଳେ ଦଳୀୟ ବୁଝାମଣାରୁ ପରାଜୟ କହି, ନିଆଁରେ ଘିଅ ଢାଳିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ।

ତାରି ଭିତରେ ଦଳୀୟ ନେତାଙ୍କୁ ଏକଜୁଟ୍ ପାଇଁ ୨ ଦିନ ହେଲା, ଭୁବନେଶ୍ୱରରେ ଲାଗିରହିଛି ଧାଁ ଧପଡ଼ । ବିଜେଡିରେ କିଏ ସାଜିଛନ୍ତି ବିଭୀଷଣ ? ୨୪ ବର୍ଷ ଧରି ଓଡ଼ିଶାକୁ ଶାସନ କରିଥିବା ଦଳକୁ ଭାଙ୍ଗିବାକୁ କିଏ ଚଳାଇଛନ୍ତି ଉଦ୍ୟମ ? ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ‘ବିଭୀଷଣ’ ମନ୍ତବ୍ୟ ପରଠୁ ଏବେ ହଲଚଲ୍ ଶଙ୍ଖ ମହଲ ।

ସମୟ ଦିନ ପ୍ରାୟ ୧୧ଟା । ବିଜେଡି ବିଧାୟକ ପ୍ରତାପ ଦେବଙ୍କ ସରକାରୀ ବାସଭବନରେ ଚାଲିଥିଲା ବୈଠକ । ପହଞ୍ଚିଥିଲେ ୨ ବିଜେଡି କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାରଙ୍କ ସମେତ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ।

ବୈଠକରେ ନିର୍ଦ୍ଦିଷ୍ଟ କେଉଁ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା, ତାହା ଦଳ ପକ୍ଷରୁ ସ୍ପଷ୍ଟ କରାଯାଇନଥିଲେ ବି ବୈଠକ ବାହାରେ ଅମରେଶ ଜେନାଙ୍କ ‘ବିଭୀଷଣ’ ମନ୍ତବ୍ୟ ଦଳୀୟ କନ୍ଦଳକୁ ପଦାରେ ପକାଇଛି । ଅମରେଶ କାହା ନାଁ ନନେଇ କହିଥିଲେ କିଛି ଦଳୀୟ ନେତା ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ସେମାନେ ଦଳ ଭିତରେ ବିଭୀଷଣ । ଅନେକ ଦୁର୍ନୀତିରେ ସଂପୃକ୍ତ ଅଛନ୍ତି ।

ପ୍ରତାପ ଦେବଙ୍କ ଘରେ ବସିଥିବା ବୈଠକର କିଛି ସମୟ ବ୍ୟବଧାନରେ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏକାଠି ହୋଇଥିଲେ ବିଜେଡିର ଆଉ ଏକ ୨୪ ଜଣିଆ କର୍ପୋରେଟର୍ ଗୋଷ୍ଠୀ । ଯେଉଁମାନେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଅନନ୍ତ ଜେନାଙ୍କ ସମର୍ଥକ ବୋଲି କୁହାଯାଉଛି । ଏହି ବୈଠକରୁ ବି ବାହାରି ଆସୁଥିଲା ଦଳୀୟ ଅନ୍ତଃକନ୍ଦଳର ସ୍ୱର ।

ପ୍ରେସମିଟ୍ କରି ସଂପୃକ୍ତ ବିଜେଡି କର୍ପୋରେଟର କହିଥିଲେ, ୨ କର୍ପୋରେଟର ଦଳରେ ବିଭାଜନ ଚାହିଁବା ସହ ଢୋଲ ଭିତରେ ମୂଷା ସାଜିଛନ୍ତି । ତଥାପି ଆମେ ଏକଜୁଟ୍ । ଭୁବନେଶ୍ୱର ବିଜେଡିରେ ଏଭଳି ଗୋଷ୍ଠୀ କନ୍ଦଳ ଆଜିର ନୁହେଁ । ଗତ ସାଧାରଣ ନିର୍ବାଚନରେ ଟିକେଟ୍ ବଣ୍ଟନ ପରଠୁ ଲାଗିରହିଛି ଟଣାଓଟରା ।

ଅଶୋକ ପଣ୍ଡା ଏବଂ ଅନନ୍ତ ଜେନାଙ୍କୁ ଏଥର ଟିକେଟ୍ ନଦେବାକୁ ଦାବି କରିଥିଲେ ଗୋଟିଏ ଗୋଷ୍ଠୀ । ବିଶେଷ କରି କର୍ପୋରେଟର ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୂପକାର ଏବଂ ସଂଗ୍ରାମ ପାଇକରାୟ ପ୍ରମୁଖ ନିଜକୁ ଦାବିଦାର ଦର୍ଶାଇ ବିଦ୍ରୋହ ଜାରି ରଖିଥିଲେ । ସେଦିନଠୁ ଅଶୋକ-ଅନନ୍ତ ବନାମ୍ ଅମରେଶ-ବିରଞ୍ଚି ଗୋଷ୍ଠୀ ମଧ୍ୟରେ ଲାଗିରହିଛି ଛକାପଞ୍ଝା ।

ଏସବୁ ଭିତରେ ବିଜେପିର ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂଙ୍କୁ ଜନ୍ମଦିନର ଶୁଭେଚ୍ଛା ଆଳରେ ଗତକାଲି ପହଞ୍ଚିଥିଲେ ଅମରେଶ, ବିରଞ୍ଚି ଓ ସଂଗ୍ରାମ । ତେବେ ବାବୁ ସିଂହ କହିଛନ୍ତି, ସେମାନେ ପଦ୍ମ ଧରିବେ କି ନାହିଁ, ସେ ନିଷ୍ପତ୍ତି ରାଜ୍ୟ ବିଜେପି ସଭାପତିଙ୍କର । ଭୁବନେଶ୍ୱର ବିଜେଡିରେ ଫାଟ ଜଳ ଜଳ ଦିଶୁଥିବା ବେଳେ ଚୌଦ୍ୱାର କଟକ ବିଧାୟକ ତଥା ପୁଅ ସୌଭିକ୍ ବିଶ୍ୱାଳଙ୍କ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ।

ପ୍ରଭାତ କହିଛନ୍ତି, ଦଳ ଭିତରେ ବୁଝାମଣା ଅଭାବରୁ ଚଳିତ ନିର୍ବାଚନ ହାରିଲା ବିଜେଡି । କେଉଁଠି ନା କେଉଁଠି ସରକାର ବିରୋଧୀ ହାୱା ଗୋଟିଏ ବଡ଼ ଫ୍ୟାକ୍ଟର ଭାବେ କାମ କରିଛି ।

  • Reported by:
  • PRAVAT BISOI , RASHMIRANJAN DAS , KAPILENDRA PRADHAN , BIBARTAN PANDA

OTV is now on Whatsapp

Join and get latest news update delivered to you via whatsapp

Join Now