• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରିବା ପରେ ଏହାର ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ସାମ୍ନାକୁ ଆସିଛି । ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ବା DMRC ମୁଖ୍ୟଶାସନ ସଚିବଙ୍କୁ ଏହି ରିପୋର୍ଟ ପ୍ରଦାନ କରିଛି । ଡିପିଆର୍ ଅନୁସାରେ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆ ଯାଏ ୨୬ କିଲୋମିଟରର ମେଟ୍ରୋ ପ୍ରକଳ୍ପରେ ୨୦ଟି ଷ୍ଟେସନ୍ ରଖାଯିବାର ପ୍ରସ୍ତାବ ରହିଛି । ପରବର୍ତ୍ତୀ ପର୍ଯ୍ୟାୟରେ ଖୋର୍ଦ୍ଧା ଓ ପୁରୀକୁ ମେଟ୍ରୋ ସଂପ୍ରସାରଣ କରାଯିବ । ଏପଟେ ମେଟ୍ରୋ ପ୍ରକଳ୍ପକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି ।

ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ମେଟ୍ରୋ ପ୍ରକଳ୍ପକୁ ନେଇ କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଏହାର ଦିନକ ପରେ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପର ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ବା DPR ସାମ୍ନାକୁ ଆଣିଥିଲେ ରାଜ୍ୟ ସରକାର । ଟ୍ରାଫିକ୍ ସର୍ଭେ, ଜିଓ-ଟେକନିକାଲ୍ ଇନଭେଷ୍ଟିଗେସନ୍, ଟୋପୋଗ୍ରାଫିକ୍ ସର୍ଭେ, ପରିବେଶ ଓ ସାମାଜିକ ପ୍ରଭାବର ଆକଳନ ପରେ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଏହି DPR ପ୍ରସ୍ତୁତ କରିଛି । 

ଏହା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆ ଛକ ଯାଏଁ ୨୬ କିଲୋମିଟର ଦୀର୍ଘ ମେଟ୍ରୋ ପ୍ରକଳ୍ପ ନିର୍ମାଣ ହେବ । ଏଥିରେ ରହିବ ୨୦ଟି ଷ୍ଟେସନ୍ । ସେଗୁଡ଼ିକ ହେଲା ବିଜୁ ପଟ୍ଟନାୟକ ବିମାନ ବନ୍ଦର, କ୍ୟାପିଟାଲ୍ ହସପିଟାଲ୍ , ଶିଶୁଭବନ, ବାପୁଜି ନଗର, ଭୁବନେଶ୍ୱର ରେଳଷ୍ଟେସନ୍, ରାମ ମନ୍ଦିର ଛକ, ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଛକ, ଜାଭିୟର୍ ସ୍କ୍ୱାୟାର୍, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଡମଣା, ପଟିଆ ଛକ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀଉଦ୍ୟାନ, ଫୁଲପୋଖରୀ ଓ ତ୍ରିଶୁଳିଆ ଛକ ।

ଆସନ୍ତା ୬ରୁ ୮ ମାସ ଭିତରେ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ପ୍ରାୟ ୬ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି । ପ୍ରକଳ୍ପର ଡିଜାଇନ୍ ପ୍ରସ୍ତୁତ ହେବାପରେ ଟେକ୍ନିକାଲ୍ ଅନୁମୋଦନ ନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ମେଟୋ ପ୍ରକଳ୍ପକୁ ଖୋର୍ଦ୍ଧା ଓ ପୁରୀକୁ ସଂପ୍ରସାରଣ କରାଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ମେଟ୍ରୋ ପ୍ରକଳ୍ପ ନେଇ ପ୍ରଥମେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ତାଚ୍ଛଲ୍ୟ କରିଥିଲେ । ଡିପିଆର୍ ଆସିବାପରେ ବିଜେପି ପୁଣି ରାଜ୍ୟ ସରକାରଙ୍କୁ ସାମଲୋଚନା କରି କହିଛି, ଡିପିଆର୍ ଡିପିଆର୍‌ରେ ରହିଯିବ । ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କେବଳ ସ୍ୱପ୍ନ ଦେଖାଉଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ପ୍ରକଳ୍ପ ସଂପର୍କରେ କେନ୍ଦ୍ର ସରକାରଙ୍କ ସହଯୋଗ ନେବା କଥା, ହେଲେ ରାଜ୍ୟ ସରକାର ତାହା କରୁନଥିବା ଅଭିଯୋଗ କରିଛି ବିଜେପି । ଜବାବରେ ବିଜେଡି କହିଛି, ମେଟ୍ରୋ ପ୍ରକଳ୍ପକୁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରେ କରୁଛନ୍ତି । ଲୋକଙ୍କ ସୁବିଧା ପାଇଁ ଏହା କରାଯାଉଛି ।

ଗତ ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ କଟକ-ଭୁବନେଶ୍ୱରକୁ ଯୋଡିବାକୁ ମେଟ୍ରୋ ରେଳ ପ୍ରକଳ୍ପ ଘୋଷଣା କରିଥିଲେ । ତେବେ ପ୍ରକଳ୍ପ ବାସ୍ତବ ରୂପ ନେବ ନା କେବଳ ଘୋଷଣାରେ ହିଁ ରହଯିବ ତା’ଉପରେ ସମସ୍ତଙ୍କ ନଜର ।

  • Reported by:
  • HARIHARA CHAND , KAPILENDRA PRADHAN