କିଏ କରୁଛି ଗଣ୍ଡଗୋଳ ? ନିର୍ବାଚନ କମିଶନଙ୍କ ଆଗରେ ମୁହାଁମୁହିଁ ବିଜେପି-ବିଜେଡି

ସରକାରୀ ଅଧିକାରୀମାନେ ଶାସକ ଦଳକୁ ସହଯୋଗ କରୁଥିବା ଅଭିଯୋଗ କରିଛି ବିଜେପି । ବୁଥରେ ହିଂସା, ଜବରଦଖଲ ଓ ଆକ୍ରମଣ ବେଳେ ପୋଲିସ କି ପ୍ରଶାସନକୁ ଡାକିଲେ କେହି ଆସୁନଥିବା କହିଛି ବିଜେପି ।

Odisha Panchayat Election

ପଞ୍ଚାୟତ ନିର୍ବାଚନରେ ହିଂସା ଓ ଅନିୟମିତତା ଅଭିଯୋଗ ନେଇ ବିଜେପି-ବିଜେଡି ମୁହାଁମୁହିଁ । ବିଜେପି ରାଜନୈତିକ ହିଂସା ଆପଣାଉଥିବା ଅଭିଯୋଗ କରି ବିଜେଡି ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି । ଆଠ ଥର ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ଅଭିଯୋଗ କରିଛି ବିଜେଡି । ତୁରନ୍ତ ନିର୍ବାଚନ କମିଶନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ଦାବି କରିଛି ।

ଅନ୍ୟପଟେ ପଞ୍ଚାୟତ ନିର୍ବାଚନରେ ଅନିୟମିତତା ଓ ପକ୍ଷପାତିତା ଅଭିଯୋଗ ଆଣି ବିଜେପି ପକ୍ଷରୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା । ସରକାରୀ ଅଧିକାରୀମାନେ ଶାସକ ଦଳକୁ ସହଯୋଗ କରୁଥିବା ଅଭିଯୋଗ କରିଛି ବିଜେପି । ବୁଥରେ ହିଂସା, ଜବରଦଖଲ ଓ ଆକ୍ରମଣ ବେଳେ ପୋଲିସ କି ପ୍ରଶାସନକୁ ଡାକିଲେ କେହି ଆସୁନଥିବା କହିଛି ବିଜେପି ।

ସେପଟେ ସମ୍ବାଦିକ ସମ୍ମିଳନୀ କରି ଶାସକ ଦଳ ଉପରେ ବର୍ଷିଛି କଂଗ୍ରେସ । ବିଜେଡି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ହିଂସା ଘଟାଉଥିବା କଂଗ୍ରେସ ଅଭିଯୋଗ କରିଛି । ଜିଲ୍ଲାପାଳ, ଏସ୍‌ପି ଏବଂ ବିଡିଓ ଶାସକ ଦଳର ଏଜେଣ୍ଟ ସାଜି କାମ କରୁଥିବା ଦଳ ଅଭିଯୋଗ ଆଣିଛି । ଷ୍ଟ୍ରଙ୍ଗରୁମର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇବା ସହ ନିର୍ବାଚନ କମଶନ ଅଧିକ ସକ୍ରିୟ ଓ ସଚେତନ ହେବାକୁ କଂଗ୍ରେସ ଦାବି କରିଛି । ତେବେ ତିନି ଦଳର ଅଭିଯୋଗ ସତ୍ତ୍ୱେ ବି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏବେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ତେବେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ବେଳେ ହିଂସା କମିଛି, ହେଲେ ଥମିନି । ଚତୁର୍ଥ ପର୍ଯ୍ୟାରେ ବି ବିଶୃଙ୍ଖଳା.. ଉତ୍ତେଜନା ଦେଖାଦେଇଛି । ପ୍ରଥମ ତିନି ପର୍ଯ୍ୟାୟରେ ଚରମ ଭୋଟ୍ ବିଶୃଙ୍ଖଳାର ମାଳ ମାଳ ଚିତ୍ର ପରେ ଲାଗୁଥିଲା ଚତୁର୍ଥ ପର୍ଯ୍ୟାୟରେ ନିୟନ୍ତ୍ରଣକୁ ଆସିଯିବ । ହେଲେ ଏଥର ବି ଅନେକ ସ୍ଥାନରୁ ଆସିଛି ହିଂସା ଓ ଉତ୍ତେଜନାର ଖବର । କେଉଁଠି ବିଡିଓଙ୍କୁ ଠେଲାପେଲା ତ କେଉଁଠି ପ୍ରିଜାଇଡିଂ ଅଫିସରଙ୍କୁ ଘେରିଛନ୍ତି ଭୋଟର । ବରଗଡ଼ ଲୋହରାଚଟିରେ ରାଜନୈତିକ ହିଂସାରେ ଦୁଇଜଣ ଗୁରୁତର ହୋଇଛନ୍ତି । ଶେଷ ପର୍ଯ୍ୟାୟ ପ୍ରଚାରବେଳେ କାକଟପୁର-ଅସ୍ତରଂଗରେ ପିଟାପିଟି ହୋଇଛନ୍ତି ବିଜେଡି-ବିଜେପି କର୍ମୀ । 

ସେହିଭଳି ଜଗତସିଂହପୁର ରାହାମାର ପୋଲିଂ କର୍ମଚାରୀଙ୍କୁ ମାଡ଼, ବିଡିଓଙ୍କୁ ଠେଲାପେଲା ମଧ୍ୟ ହୋଇଛି । ସୂଚନା ଅନୁସାରେ କୁଜଙ୍ଗ ପଣ୍ଡୁଆ ପଞ୍ଚାୟତର ୧୦ନଂ ବୁଥ୍‌ରେ ନିର୍ବାଚନ ପରେ ବାଲାଟ୍ ବକ୍ସ ଧରି ଫେରିଥିଲେ ପୋଲିଂ ପାର୍ଟି । ରାହାମାସ୍ଥିତ କଣ୍ଟ୍ରୋଲ ରୁମ୍‌ରେ ରଖାଯିବା ପୂର୍ବରୁ ଏକ ନିରୋଳା ସ୍ଥାନରେ ଜଣେ ପୋଲିଂ କର୍ମଚାରୀ ଭୋଟ୍ ବାକ୍ସକୁ ଟାମ୍ପରିଂ କରୁଥିବା କିଛି ଲୋକ ଦେଖିଥିଲେ । ଏହାକୁ ନେଇ ତୀବ୍ର ଉତ୍ତେତନା ପ୍ରକାଶ ପାଇଥିଲା । ଆଉ ଉତ୍ତ୍ୟକ୍ତ ଲୋକେ ପ୍ରଶାସନିକ ଅଧିକାରୀ ଓ ପୋଲିଂ ପାର୍ଟିକୁ ଅଟକାଇ ଦୀର୍ଘ ସମୟ ଧରି ଧାରଣା ଦେଇଥିଲେ ।