• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜେପି ଅପେକ୍ଷା ବିଜେଡିର ଦରଦ ଅଧିକ ଭଳି ଲାଗୁଛି । କାରଣ ସମର୍ଥନ ଯୋଗାଡ଼ରେ ବିଜେପିଠାରୁ ବିଜେଡି ଅଧିକ ତପରତା ପ୍ରକାଶ କରୁଛି । ରାୟଗଡାର ସ୍ୱାଧୀନ ବିଧାୟକ ମକରନ୍ଦ ମଦୁଲିଙ୍କଠାରୁ ନିଜେ ମୁଖ୍ୟମନ୍ତ୍ରୀ ସମର୍ଥନ ମାଗିବା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟିଥିଲେ ବିଜେଡି ନେତାମାନେ ।

ସେପଟେ ଆଜି ବିଜେଡିର ଭିନ୍ନ ଭିନ୍ନ ଟିମ କଂଗ୍ରେସ ବିଧାୟକମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଦ୍ରୌପଦୀଙ୍କୁ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି ।  କଂଗ୍ରେସର ଆଭିମୁଖ୍ୟ ଜାଣିବା ପରେ ମଧ୍ୟ୍ୟ କାହିଁକି ବିଜେଡିର ଏଭଳି ରଣନୀତି ତାକୁ ନେଇ ଚର୍ଚ୍ଚା ଚାଲିଛି । ତେବେ କଂଗ୍ରେସ କହିଛି ଏହା ବିଜେଡିର ଡ୍ରାମା । ସେପଟେ ବିଜେପି କହିଛି ଏଥିରେ କୌଣସି ଅସୁବିଧା ନାହିଁ, ବାହାଘର ସରିଲା ପରେ ପୁଣି ଯେ ଯା ବାଟରେ ଚାଲିବେ ।

ବିଧାନସଭା ଛାଡି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସମର୍ଥନ ଯୋଗାଡ଼ କରିବା ପାଇଁ ଲାଗି ପଡିଛନ୍ତି ବିଜେଡି ନେତା ଓ ମନ୍ତ୍ରୀମାନେ । ଦ୍ରୌପଦୀଙ୍କୁ ଓଡିଶାରୁ ସବୁ ଭୋଟ ଯେମିତି ମିଳିବ ସେଥିପାଇଁ ବିଜେଡିର ପ୍ରୟାସ ଚାଲିଛି । ଆଜି କଂଗ୍ରେସ ବିଧାୟକମାନଙ୍କୁ ଭେଟିଛିି ବିଜେଡି ଟିମ । କଂଗ୍ରେସ ବିଧାୟକ ରାଜନ ଏକା, ସୁର ରାଉତରାୟ, ମହମ୍ମଦ ମୋକିମ୍ ଭଳି ବିଧାୟକଙ୍କୁ ବିଜେଡିର ନେତା ମନ୍ତ୍ରୀ ମାନେ ଭେଟିଛନ୍ତି ।

 

ସେହିପରି ସିପିଆଇଏମ ବିଧାୟକ ଲକ୍ଷଣ ମୁଣ୍ଡାଙ୍କୁ ଭେଟି ସମର୍ଥନ ମାଗିଛି ବିଜେଡି । ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟିଥିଲେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ୯ଜଣ ବିଧାୟକଙ୍କୁ ଭେଟିବା ପାଇଁ ୯ଟି ଟିମ୍ ଗଠନ କରିଛି ବିଜେଡି ।

ଦେଶରେ ଦ୍ରୌପଦୀଙ୍କୁ ବର୍ତ୍ତମାନ ଅଣ ଏନଡିଏ ଦଳ ମଧ୍ୟ ସମର୍ଥନ କରୁଛନ୍ତି । ଯାହା ଫଳରେ ଦ୍ରୌପଦୀ ମୁର୍ମୁ ଜିତିବା ସ୍ପଷ୍ଟ ହେବା ପରେ ମଧ୍ୟ ବିଜେଡି ଅଧିକ ତତ୍ପରତା ପ୍ରକାଶ କରୁଛି କାହିଁକି ? ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜେପି ଅପେକ୍ଷା ବିଜେଡି କାହିଁକି ଅଧିକ ଦରଦ ଦେଖାଉଛି ? ସତେଯେମିତି ବିଜେଡିର ପ୍ରାର୍ଥୀ ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ତାଙ୍କୁ ପ୍ରାର୍ଥୀ କରି ବିଜେପି କାଳେ ଓଡିଶାରେ ମାଇଲେଜ ନେଇଯିବ, ଆଦିବାସୀ ଭୋଟ ଏପଟ ସେପଟେ ହେବ, ମହିଳା ଭୋଟ ବ୍ୟାଙ୍କ ମାଡ଼ ଖାଇଯିବ, ସେଥିପାଇଁ ବିଜେଡିର ଏଭଳି ପ୍ରୟାସ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ କହିଛି, ଏହା ବିଜେଡିର ଡ୍ରାମା । ସେପଟେ ବିଜେପି କହିଛି ଏଭଳି ସମର୍ଥନ ଭିକ୍ଷାରେ କୌଣସି ଅସୁବିଧା ନାହିଁ । ବାହାଘର ପରେ ପୁଣି ଯେ ଯା ବାଟରେ ଯିବେ ।

ଗତକାଲି ରାୟଗଡା ସ୍ୱାଧୀନ ବିଧାୟକ ମକରନ୍ଦ ମଦୁଲିଙ୍କଠାରୁ ବିଜେଡି ସମର୍ଥନ ମାଗିଥିଲା । ମକରନ୍ଦ ମୁଖମନ୍ତ୍ରୀଙ୍କୁ ଭେଟିବା ପରେ ସମର୍ଥନ ଦେବେ ବୋଲି କହିଥିଲେ । ଆସନ୍ତା ୮ ତାରିଖରେ ଦ୍ରୌପଦୀ ମୁର୍ମୁ ଓଡିଶା ଆସିବେ । ବିଧାନସଭାରେ ବିଜେଡିର ସମସ୍ତ ବିଧାୟକ ଓ ସାଂସଦମାନେ ଉପସ୍ଥିତ ରହିବେ । ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ହେଲେ ରାଜନୀତି ସମୀକ୍ଷକ ମତରେ ଆଦିବାସୀ ଏବଂ ମହିଳା ଭୋଟ ବ୍ୟାଙ୍କ ପାଇଁ ଏସବୁ ପ୍ରୟାସ ଚାଲିଛି ।

ଦ୍ରୌପଦୀ ଓଡିଶାର ଆଦିବାସୀ ମହିଳା ରାଷ୍ଟ୍ରପତି ଭଳି ଗଣତନ୍ତ୍ରର ସର୍ବୋଚ୍ଚ ପଦରେ ବସିବେ । ସେପଟେ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ ଘୋଷଣା ପରେ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ । ସେପଟେ ବିଜେଡି ଏବେ ଶ୍ରେୟ ରାଜନୀତିର କାର୍ଡ ଖେଳୁଛି । ନାଁ ମାଟିର ଝିଅ ପାଇଁ ଏ ଦରଦ ତାହା ସ୍ପଷ୍ଟ ବାରି ହେଉଛି । ତେବେ ରାଷ୍ଟ୍ରପତି ର୍ନିବାଚନ ପରେ ବିଜେଡି -ବିଜେପି ଭିତରେ ମଧୁର ସମ୍ପର୍କ ରହୁଛି ନା ନାହିଁ ତାହା ଦେଖିବାର କଥା ।

ରିପୋର୍ଟର- ହରିହର ଚାନ୍ଦ