• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନିର୍ବାଚନ ଆସିଲେ ବିଜେଡିର ମନେ ପଡ଼େ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ । ପଂଚାୟତ ନିର୍ବାଚନ ପ୍ରକ୍ରିୟା ଚାଲିଥିବାରୁ ଏବେ ସଂସଦରେ ବିଜେଡି ଜୋରଦାର୍ ଢଙ୍ଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଉଥିବାର ଦେଖିବାକୁ ମିଳିଛି । ଆବାସ ଯୋଜନାରେ ଘର ଠାରୁ, ଉଷୁନା ଚାଉଳ ଉଠାଣ ଓ ଧାନର ଏମ୍ଏସ୍ପି ବଢାଇବା କଥା ଉଠାଇବାରେ ଲାଗିଛି ବିଜେଡି ଦଳ । ସେପଟେ ଓଡ଼ିଶା ପାଇଁ କେନ୍ଦ୍ରର ଅନୁଦାନ କଥାକୁ ଘରକୁ ଘର ଓ ଫୋନ୍ ମାଧ୍ୟମରେ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା କରିଛି ବିଜେପି । କଂଗ୍ରେସ ଉଭୟଙ୍କୁ ସମାଲୋଚାନ କରି କହିଛି ଯେ, କେବଳ ନିର୍ବାଚନ ଆସିଲେ ବିଜେଡି କେନ୍ଦ୍ର ଅବହେଳ କଥା ଉଠାଏ ।

୨୦୧୯ ନିର୍ବାଚନ ପୂର୍ବରୁ ବିଜେପି-ବିଜେଡି ମଧ୍ୟରେ ଦେଖିବାକୁ ମିଳିଥିଲା ଜୋରଦାର୍ ଟକ୍କର । କିନ୍ତୁ ବିଜେଡି କ୍ଷମତା ବଜାୟ ରଖିବା ପରେ ଏକରକମ୍ ଚୁପ୍ ବସିଥିଲା । ଏମିତିକି ପେଟ୍ରୋଲ୍, ଡିଜେଲ୍ ଦର ୧୦୦ ପାର୍ କରିବା ପରେ ବି ପୂର୍ବଭଳି ଆନ୍ଦୋଳନକୁ ଓହ୍ଲାଇ ନଥିଲା ବିଜେଡି ଦଳ । ସେତେବେଳେ ଉଭୟ ଦଳ ମଧ୍ୟରେ ମଧୁର ସଂପର୍କ ନେଇ ଚର୍ଚ୍ଚା ହୋଇଥିଲା । ପାର୍ଲାମେଣ୍ଟରେ ଅନେକ ବିଲକୁ ମଧ୍ୟ ସମର୍ଥନ ଦେଇଥିଲା ବିଜେଡି । ହେଲେ ପଂଚାୟତ ଫାଇଟ୍ ପୂର୍ବରୁ ପୁଣି ଥରେ ବଦଳିଛି ବିଜେଡିର ଆଭିମୁଖ୍ୟ ।

ପୁଣି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ତାଜା କରିଛି ବିଜେଡି । ପଂଚାୟତ ପ୍ରଚାର ଚାଲିଥିବା ବେଳେ ପାର୍ଲାମେଣ୍ଟରେ ଗାଁ ଲୋକଙ୍କୁ ଛୁଉଁଥିବା ପ୍ରସଙ୍ଗ ଉଠାଉଛି ବିଜେଡି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା, କେବିକେ ଜିଲ୍ଲା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬ ଲକ୍ଷ ଘର ଦାବି କରିଛି ବିଜେଡି । ସେହିପରି ଉଷୁନା ଚାଉଳ ଉଠାଣ ପ୍ରସଙ୍ଗରେ ମଧ୍ୟ ଗର୍ଜନ କରିଛି ଶାସକ ଦଳ । ତାସହ ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ କରିବା, ଧାନର ସର୍ବାନିମ୍ନ ସହାୟକ ମୂଲ୍ୟ ବଢାଇବା କଥା ଉଠାଇଛି ।

 

ଖାଲି ସେତିକି ନୁହେଁ କେନ୍ଦ୍ରୀୟ ବଜେଟ୍‌କୁ ନେଇ ନବୀନ କମ୍ ଖୁସି, ବେଶି ସମାଲୋଚନା କରିଥିଲେ । ଅନ୍ୟପକ୍ଷରେ ଆଇଏସ୍ କ୍ୟାଡର୍ ରୁଲ୍ ସଂଶୋଧନ ପ୍ରସ୍ତାବ ସଂପର୍କରେ କେନ୍ଦ୍ର ରାଜ୍ୟମାନଙ୍କୁ ଯେଉଁ ଚିଠି ଦେଇଛି ତାର ବିରୋଧ କରିଛି ଓଡ଼ିଶା । ସେପଟେ ବିଜେପି ମଧ୍ୟ କରିଛି କାଉଣ୍ଟର ପ୍ଲାନ୍ । ଛୋଟ ଛୋଟ ଗ୍ରୁପ୍ ତିଆରି କରି ଘରେ ଘରେ ମୋଦି ସରକାରଙ୍କ ବାର୍ତ୍ତା ପରଞ୍ଚାଇବା ଲାଗି ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବଜେଟ୍‌ରେ ଶିକ୍ଷା, ରେଳ, କୃଷି କ୍ଷେତ୍ରରେ ଓଡ଼ିଶାକୁ ଅନୁଦାନ କଥା ବି ଫୋନ୍ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ କୁହାଯାଇଛି । କେନ୍ଦ୍ର ସରକାରଙ୍କ ଟଙ୍କା ହରିଲୁଟ୍ କରିବା, ଶାସକ ଦଳର ଗୁଣ୍ଡାରାଜ କଥା ବି ଉଠାଇବାକୁ ଦଳୀୟ କର୍ମୀ ଓ ନେତାଙ୍କୁ କୁହାଯାଇଛି। ଏପରିକି ଏଥରର ସର୍ବକାଳୀନ ସର୍ବାଧିକ ରେଳ ଅନୁଦାନ ପରେ ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦଳୀୟ କାର୍ଯ୍ୟାଳୟରେ ପ୍ରେସ୍‌ମିଟ୍ ସହ କଟକରେ ବୁଦ୍ଧିଜୀବୀ ସମ୍ମିଳନିରେ ଯୋଗ ଦେବେ ରେଳମନ୍ତ୍ରୀ।

ରାଜନୈତିକ ସମୀକ୍ଷକ ମତରେ ନିର୍ବାଚନ ଆସିଲେ ବିଜେଡି-ବିଜେପି ମଧ୍ୟରେ ଏମିତି ଶଲାକୁସ୍ତି ହୁଏ । ନିର୍ବାଚନ ସରିବା ପରେ ପୁଣି ବନ୍ଧୁତା ପଶ୍ଚିମବଙ୍ଗରେ ଯେମିତି ଲଢେଇ ହେଉଛି ଓଡିଶାରେ ତାହା ହେଉ ନାହିଁ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ।

୨୦୧୭ ପଂଚାୟତ ନିର୍ବାଚନରେ ବିଜେପି ଜିଲ୍ଲା ପରିଷଦରେ ବେଶ୍ ଭଲ ପ୍ରଦର୍ଶନ କରିଥିଲା । ତେବେ ୨୪ ନିର୍ବାଚନ ପୂର୍ବରୁ ପଂଚାୟତ ଓ ପୌର ନିର୍ବାଚନକୁ ଏକପ୍ରକାର ସେମିଫାଇନାଲ୍ କୁହାଯାଉଥିବାରୁ ସମସ୍ତେ ଜୋର୍ ଲଗାଇଛନ୍ତି । ତେବେ ନିର୍ବାଚନ ପରେ ବିଜେଡି, ବିଜେପି ଆଭିମୁଖ୍ୟ କଣ ରହୁଛି, ତା ଉପରେ ନଜର ରହିଛି ।

ରିପୋର୍ଟର- ହରିହର ଚାନ୍ଦ