• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପଞ୍ଚାୟତ ନିର୍ବାଚନରେ ବିଜେଡିର ସଫଳତା ପରେ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଜନମତ ସେବା ପାଇଁ ଆମ ସଙ୍କଳ୍ପକୁ ଆହୁରି ଦୃଢ଼ କରିବ ବୋଲି ନବୀନ ଟ୍ୱିଟ୍ କରିଛନ୍ତି । ବିଜୟୀ ଦଳୀୟ ପ୍ରାର୍ଥୀ ଓ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ସେ ଆନ୍ତରିକତା ସହ ଧନ୍ୟବାଦ ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜନତାଙ୍କ ରାୟକୁ ସମ୍ମାନ ଜଣାଇବା ସହ ବିଜେପିର ନିର୍ବାଚିତ ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ଟୁଇଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ଓଡ଼ିଶାର ୩୦ ପ୍ରତିଶତରୁ ଅଧିକ ମତଦାତା ଦଳକୁ ସମର୍ଥନ କରିଛନ୍ତି । ଆମେ ଆମର ସଂଗଠନକୁ ସୁଦୃଢ଼ କରିବା ସହ ମୋଦି ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକୁ ଲୋକଙ୍କ ପାଖକୁ ନେବା ପାଇଁ ଅଧିକରୁ ଅଧିକ ପରିଶ୍ରମ କରିବୁ ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଗଣତି ସରିଲା, ଆସିଲା ସଂପୂର୍ଣ୍ଣ ଫଳାଫଳ । ଉପକୂଳର ଉପାନ୍ତ, ଉତ୍ତରରୁ ଦକ୍ଷିଣ ସବୁଠି ବିଜେଡିର ବାଜିମାତ । ମୋଟ୍ ୮୫୨ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ବିଜେଡି ରେକର୍ଡ ୭୬୬ଟି ଜୋନ୍ ଅକ୍ତିୟାର କରିଛି । ବିରୋଧୀ ବିଜେପି ମାତ୍ର ୪୨ଟିରେ ସନ୍ତୁଷ୍ଟ ହୋଇଥିବା ବେଳେ କଂଗ୍ରେସ୍‌କୁ ୩୭ ଜୋନ୍ ମିଳିଛି । ସେହିପରି ଜେଏମ୍ଏମ୍ ୩ଟି, ସିପିଏମମ୍ ଗୋଟିଏ ଏବଂ ସ୍ୱାଧୀନ ପ୍ରାର୍ଥୀ ୩ଟି ଜୋନ୍‌ରେ ବିଜୟୀ ହୋଇଛନ୍ତି ।

 

୨୦୧୭ ନିର୍ବାଚନ ସହିତ ଚଳିତ ଥରର ଫଳାଫଳକୁ ତୁଳନାକୁ କଲେ ସବୁ ରେକର୍ଡ ଭାଙ୍ଗି ଐତିହାସିକ ରେଜଲ୍ଟ କରିଛି ବିଜେଡି । ୨୦୧୭ରେ ବିଜେଡିକୁ ମିଳିଥିଲା ୪୭୬ ସିଟ୍, ଏଥର ତାଠାରୁ ୨୯୦ଟି ଜୋନ୍ ଅଧିକ ପାଇଛି ଶାସକ ଦଳ । ମୋଟ୍ ସିଟ୍‌ର ପ୍ରାୟ ୯୦ ପ୍ରତିଶତ ଅକ୍ତିୟାର କରିଛି ବିଜେଡି । ତାଠୁ ବି ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ସମସ୍ତ ୩୦ ଜିଲ୍ଲାରେ ଦଳ ସଂଖ୍ୟା ଗରିଷ୍ଠତା ପାଇଥିବାରୁ ସବୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଦଳୀୟ ଖାତାକୁ ଯିବ ।

୨୦୧୭ରେ ୨୦ଟି ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ହାତେଇ ଥିଲା । ସେତେବେଳେ ବିଜେପି ୮ଟି ଓ କଂଗ୍ରେସ୍‌କୁ ମିଳିଥିଲା ୨ଟି ଜିଲ୍ଲା ପରିଷଦ । ପଞ୍ଚାୟତ ନିର୍ବାଚନରେ ସବୁଠାରୁ ବଡ଼ ଧକ୍କା ଲାଗିଛି ବିଜେପିକୁ । ୨୦୧୭ରେ ୨୯୭ଟି ଜୋନ୍ ପାଇଥିବା ବିଜେପି ଏଥର ମାତ୍ର ୪୨ରେ ସୀମିତ ରହିଯାଇଛି । ମାନେ ପୁରା ୨୫୫ ଜୋନ୍‌ର ଘାଟା । ୧୦ ଜିଲ୍ଲା ଜଗତସିହପୁର, ଯାଜପୁର, ଭଦ୍ରକ, ମୟୂରଭଂଜ, ଝାରସୁଗୁଡ଼ା, ଦେବଗଡ଼, ମାଲକାନଗିରି, କୋରାପୁଟ, ରାୟଗ଼ଡ଼ା ଓ ନବରଙ୍ଗପୁରରେ ଆଦୌ ଖାତା ଖୋଲି ପାରିନାହିଁ ଦଳ ।

କଂଗ୍ରେସ୍ ବି ଚଳିତ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଛି । ୨୦୧୭ ନିର୍ବାଚନରେ ୬୦ଟି ଜିଲ୍ଲା ପରିଷଦ ଜୋନ୍ ପାଇଥିବା କଂଗ୍ରେସ୍ ଏଥର ୩୭କୁ ଖସି ୨୩ଟି ଜୋନ୍ ହରାଇଛି । ୧୮ ଜିଲ୍ଲାରେ ଦଳର ଆକାଉଣ୍ଟ ବି ଖୋଲିନାହିଁ । ତେବେ କୋରାପୁଟ, ରାୟଗଡ଼ା, କନ୍ଧାମାଳ ଓ ବଲାଙ୍ଗୀରରେ ଦଳ ଅନ୍ୟ ଜିଲ୍ଲା ଅପେକ୍ଷା ଭଲ ପ୍ରଦର୍ଶନ କରିଛି । ଏକାକୀ କୋରାପୁଟ ଜିଲ୍ଲାରେ ୧୨ଟି ଜୋନ୍ ଅକ୍ତିଆର କରି ସେଠାରେ ବିଜେଡିକୁ ଟକ୍କର ଦେଇଛି କଂଗ୍ରେସ୍ ।

ରାଜ୍ୟ ନିର୍ବାଚନ କମିଶନ୍‌ଙ୍କ ତଥ୍ୟ ଅନୁଯାୟୀ, ଚଳିତ ପଞ୍ଚାୟତ ନିର୍ବାନରେ ମୋଟ୍ ୨ କୋଟି ୧୦ ଲକ୍ଷ ୨୮ ହଜାର ବୈଧ ଭୋଟ୍ ପଡ଼ିଥିବା ବେଳେ ସେଥିରୁ ବିଜେଡି ଖାତାକୁ ଯାଇଛି ୧ କୋଟି ୧୦ ଲକ୍ଷ ୮୯ ହଜାର ଭୋଟ୍ । ଅର୍ଥାତ ବିଜେଡିର ଭୋଟ୍ ସେୟାର ରହିଛି ୫୨. ୭୩ ପ୍ରତିଶତ । ସେହିପରି ବିଜେପି ୬୩ ଲକ୍ଷ ୨୩ ହଜାର ଅର୍ଥାତ ୩୦.୦୭ ପ୍ରତିଶତ ଏବଂ କଂଗ୍ରେସ୍‌କୁ ୨୮ ଲକ୍ଷ ୫୪ ହଜାର, ଅର୍ଥାତ ୧୩.୫୭ ପ୍ରତିଶତ ଭୋଟ୍ ମିଳିଛି ।

ରିପୋର୍ଟର- ଭୁବନେଶ୍ୱରରୁ ହରିହର ଚାନ୍ଦ