• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୀତୀଶ କୁମାରଙ୍କ ପଲଟିମାର ପଲିଟିକ୍ସ ପରେ ବିହାରରେ ଆରମ୍ଭ ହେଲା ମହାଗଠବନ୍ଧନ ସରକାରର ଦ୍ୱିତୀୟ ଭାଗ । ବିଜେପି ହାତ ଛାଡ଼ିବା ପରେ ଆରଜେଡି ଓ କଂଗ୍ରେସ ସହ ୭ଟି ଦଳର ସମର୍ଥନରେ ରାଜ୍ୟରେ ନୂଆ ମହାମେଣ୍ଟ ସରକାରର ଶାସନ ଆରମ୍ଭ କରିଛନ୍ତି ନୀତୀଶ କୁମାର । ଆଜି ସେ ରେକର୍ଡ ଅଷ୍ଟମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆରଜେଡିର ତେଜସ୍ୱୀ ଯାଦବ ଦ୍ୱିତୀୟ ଥର ପାଇଁ ହୋଇଛନ୍ତି ତାଙ୍କ ଡେପୁଟି ସିଏମ୍‌ । ତେବେ ମାତ୍ର ୪୮ ଘଣ୍ଟାରେ ବିହାର ରାଜନୀତିର ଦୃଶ୍ୟପଟ୍ଟକୁ ପୁଣି ଥରେ ବଦଳାଇଥିବା ନୀତୀଶଙ୍କ ଏ ନିଷ୍ପତ୍ତି ପଛରେ ରହସ୍ୟ କଣ ? ଚର୍ଚ୍ଚା ହେଉଛି ଜାତୀୟ ରାଜନୀତିରେ ବିଜେପି ଓ ମୋଦିଙ୍କ ପତିଆରାରେ ବ୍ରେକ୍ ଲଗାଇବାକୁ ୨୦୨୪ରେ ବିରୋଧୀଙ୍କ ନେତା ସାଜିବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି ନୀତୀଶ ।

କାଲି ଇସ୍ତଫା, ଆଜି ଶପଥ । ମାତ୍ର ୨୪ ଘଣ୍ଟା ଭିତରେ ବଦଳି ଗଲା ବିହାର ରାଜନୀତି ମୈଦାନର ଚିତ୍ର । କିନ୍ତୁ ପୂର୍ବଭଳି ରାଜ୍ୟ ମୁଖିଆ ପଦ ବଜାୟ ରଖି ଆଜି ରେକର୍ଡ ଅଷ୍ଟମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜେଡିୟୁ ନେତା ନୀତୀଶ କୁମାର । ପାଟନା ରାଜଭବନରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ସମାରୋହ । ଉଭୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଫଗୁ ଚୌହ୍ୱାନ ଶପଥ ଗ୍ରହଣ କରାଇଛନ୍ତି । ତେବେ ଶପଥ ଗ୍ରହଣ ଉତ୍ସବରେ ମନ୍ତ୍ରିମଣ୍ଡଳର ଅନ୍ୟ କୌଣସି ସଦସ୍ୟ ଶପଥ ନେଇନାହାନ୍ତି । ଆଜିର ଶପଥ ଗ୍ରହଣ ସମାରୋହରେ ମହାମେଣ୍ଟର ୭ ସହଯୋଗୀ ଦଳର ନେତା ଓ ଅନ୍ୟ ନିମନ୍ତ୍ରିତ ଅତିଥି ଯୋଗ ଦେଇଥିଲେ ବି ସାମିଲ ହୋଇନଥିଲେ ବିଜେପିର କୌଣସି ନେତା କି ବିଧାୟକ ।

ନୀତୀତିଶଙ୍କ ନେତୃତ୍ୱରେ ବିହାରରେ ଆଜିଠୁ ମହାଗଠନବନ୍ଧନ ସରକାରର ଦ୍ୱିତୀୟ ଭାଗ ଶାସନ ଆରମ୍ଭ ପରେ ଏହା ଏକ ମଜବୁତ ସରକାର ହେବ ବୋଲି କହିଛନ୍ତି ଉପମୁଖମନ୍ତ୍ରୀ ତେଜସ୍ୱୀ ଯାଦବ । ସେପଟେ ଏ ସରକାର ୨୦୨୫ ଯାଏଁ କାର୍ଯ୍ୟକାଳ ପୂରଣ କରିବ ନାହିଁ ବୋଲି କହିଛି ବିଜେପି ।

ତେବେ ମାତ୍ର ୪୮ ଘଣ୍ଟାରେ ବିହାର ରାଜନୀତିରେ ଦୃଶ୍ୟପଟ୍ଟକୁ ପୁଣି ଥରେ ବଦଳାଇ ଦେଇ ବିଜେପିକୁ ଚକମା ଓ ଦେଶବାସୀଙ୍କ ଆଶ୍ଚର୍ଯ୍ୟ କରିଥିବା ନୀତୀଶଙ୍କ ଏ ନିଷ୍ପତ୍ତି ପଛରେ ରହସ୍ୟ କଣ ? ତାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର । ଏପଟେ ଆଜି ଶପଥ ଗ୍ରହଣ କରିବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧା ନିଶାନା କରିଛନ୍ତି ନୀତୀଶ । ୨୦୧୪ରେ ଯେଉଁମାନେ କ୍ଷମତାକୁ ଆସିଥିଲେ, ୨୦୨୪ରେ ସେମାନେ ଜିତିବେ କି ବୋଲି ପ୍ରଶ୍ନ କରିଛନ୍ତି ନୀତୀଶ ?

 

ଏହାସହ ୨୦୨୪ ପାଇଁ ସମସ୍ତ ବିରୋଧୀଙ୍କୁ ଏକତ୍ରିତ ହେବାକୁ ଆହ୍ୱାନ ବି ଦେଇଛନ୍ତି । ତେଣୁ ନୀତୀଶଙ୍କ ଏ ରଣନୀତି ଆଗକୁ ତାଙ୍କୁ ଜାତୀୟ ରାଜନୀତିରେ ମୋଦିଙ୍କ ବିକଳ୍ପ ଆଉ ବିରୋଧୀଙ୍କ ନେତା ଭାବେ ପ୍ରତିପାଦନ କରିବନି ତ ? ଆଗରୁ ମିଳିତ ବିରୋଧୀଙ୍କ ନେତୃତ୍ୱ ନେଉଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ମଧ୍ୟରେ ଏବେ ସମ୍ପର୍କରେ ସାମାନ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ତେଣେ ନୀତୀଶଙ୍କ ଏ ନୂଆ ଗେମ୍ ପରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବି ଏହାକୁ ଭଲ ଆରମ୍ଭ ବୋଲି କହିଛନ୍ତି । ଏସବୁ ଭିତରେ ତାଙ୍କୁ ଭବିଷ୍ୟତରେ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ଆକଳନ କରାଯାଉଛି । ତେବେ ନୀତୀଶ ପ୍ରଧାନମନ୍ତ୍ରୀ ପଦକୁ ଆଖେଇ ନାହାନ୍ତି ବୋଲି ଆଜି ସ୍ପଷ୍ଟ କରିଥିଲେ ବି ଏହା ହିଁ ଶେଷ ଗଣିତ ବୋଲି ଚର୍ଚ୍ଚା ହେଉଛି ।