• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିନ ୧ଟା ୩୦ରେ ଜେଡିୟୁ ସାଂସଦ ଓ ବିଧାୟକଙ୍କୁ ନିଜ ବାସଭବନରେ ଭେଟିଲେ ନୀତୀଶ । ଅପରାହ୍ଣ ୩ଟା ୪୫ରେ ରାଜଭବନ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ୧୬୦ ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କଲେ । ଏହାର ୧୫ ମିନିଟ୍ ପରେ ୪ଟା ବେଳକୁ ଲାଲୁଙ୍କ ଘରକୁ ଯାଇ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ଓ ରାବଡ଼ି ଦେବୀଙ୍କୁ ଭେଟିଲେ ।

୪ଟା ୧୦ ବେଳକୁ ତେଜସ୍ୱୀ, ରାବଡ଼ିଙ୍କ ସହ ଏକାଠି ଦର୍ଶନ ଦେଲେ, ସାଥିରେ କଂଗ୍ରେସ୍‌ର ବିହାର ପ୍ରଭାରୀ ଭକ୍ତ ଦାସ ବି ଥିଲେ । ଆଉ ସଂଧ୍ୟା ପ୍ରାୟ ୫ଟା ବେଳକୁ ତେଜସ୍ୱୀଙ୍କ ସହ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ଦାବି ଜଣାଇଲେ । ବିଜେପିକୁ ବାଏ ବାଏ କରି ପୁଣି ମହାମେଣ୍ଟରେ ଫେଣ୍ଟି ହେବା ପାଇଁ ଇଏ ଥିଲା ନୀତୀଶ କୁମାରଙ୍କ ଆଜିର କସରତ ।

ବିହାର ପଲିଟିକ୍ସ ଉପରେ ଆଜି ଦିନ ତମାମ୍ ଅଟକି ଥିଲା ସାରା ଦେଶର ନଜର । ଆଉ ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା । ଦଳୀୟ ସାଂସଦ, ବିଧାୟକ ଓ ବରିଷ୍ଠ ନେତାଙ୍କ ସହମତିରେ ଅର୍ଥାତ୍ ପାର୍ଟିର ନିଷ୍ପତ୍ତି କ୍ରମେ ଜେଡିୟୁ ଏନ୍‌ଡିଏ ମେଣ୍ଟରୁ ଓହରିଲା ବୋଲି ଘୋଷଣା କରିଛନ୍ତି ନୀତୀଶ । ଏଥିସହ ମହାଗଠବନ୍ଧନରେ ୭ଟି ଦଳ ଓ ସ୍ୱାଧୀନଙ୍କୁ ମିଶାଇ ୧୬୪ ବିଧାୟକ ଅଛନ୍ତି ବୋଲି କହିଛନ୍ତି ।

ଜେଡିୟୁ, ଆର୍‌ଜେଡି, କଂଗ୍ରେସ ଓ ବାମଦଳ ମିଶି ବିହାରରେ ମହାମେଣ୍ଟ ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ । ତେବେ ଏଥିରେ କାହାକୁ ମିଳିବ କେଉଁ ମନ୍ତ୍ରୀପଦ ? ପୋର୍ଟଫୋଲିଓ ଭାଗବଣ୍ଟାକୁ ନେଇ ରହିବ ତ ସହମତି ? ଚର୍ଚ୍ଚା ହେଉଛି, ନୂଆ ସରକାରରେ ନୀତୀଶ ମୁଖ୍ୟମନ୍ତ୍ରୀ ଓ ତେଜସ୍ୱୀ ଉପମୁଖ୍ୟମନ୍ତ୍ରୀ ହେବେ । ତେଜସ୍ୱୀ ଗୃହମନ୍ତ୍ରୀ ମଧ୍ୟ ହେବେ ବୋଲି ଚର୍ଚ୍ଚା ହେଉଛି । ବାଚସ୍ପତି ଆର୍‌ଜେଡିରୁ ରହିବେ ।

ତେବେ କାହାକୁ କେଉଁ ମନ୍ତ୍ରୀପଦ ମିଳିବ ତାହା ନୀତୀଶ ନିଷ୍ପତ୍ତି ନେବେ ଏବଂ ଏଥିରେ କୌଣସି ମତାନ୍ତର ନାହିଁ ବୋଲି ଆର୍‌ଜେଡି କହିଥିବା ଚର୍ଚ୍ଚା ହେଉଛି । ତେଣେ ଯେଉଁ ଆର୍‌ଜେଡିକୁ ନୀତୀଶ ଭ୍ରଷ୍ଟ ବୋଲି କହୁଥିଲେ, ତା ସହିତ କେମିତି ସରକାର ଗଢିବେ ବୋଲି ପଚାରିଛି ବିଜେପି । ଏହାକୁ ବିହାରବାସୀଙ୍କ ସହ ଧୋକା ବୋଲି କହିଛି ଦଳ । ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ଏନ୍‌ଡିଏରେ ଅଛି ଏବଂ ରହିବ ବୋଲି ପଶୁପତି ପାରଶ ଘୋଷଣା କରିଥିବା ବେଳେ, ଆଜି ସାମ୍ବାଦିକ ସମ୍ମିଳନୀ କରି ନୀତୀଶଙ୍କ ଉପରେ ବର୍ଷିଛନ୍ତି ଏଲ୍‌ଜେପି ନେତା ଚିରାଗ୍ ପାଶ୍ଓ୍ୱାନ ।

 

ନଜର ପକାନ୍ତୁ ବିହାର ସଂଖ୍ୟା ଗଣିତ ଉପରେ । ବିହାର ବିଧାନସଭାରେ ମୋଟ ଆସନ ସଂଖ୍ୟା ୨୪୩ ହୋଇଥିବା ବେଳେ, ସଂଖ୍ୟାଗରିଷ୍ଠତା ହାସଲ ପାଇଁ ମ୍ୟାଜିକ ନମ୍ବର ୧୨୨ । ଏବେ ଆର୍‌ଜେଡି ପାଖରେ ୭୯ ବିଧାୟକ ଥିବା ବେଳେ, ବିଜେପି ପାଖରେ ୭୭ । ସେହିପରି ଜେଡିୟୁର ୪୫, କଂଗ୍ରେସ ଓ ସହଯୋଗୀ ଦଳଙ୍କ ୨୦, ବାମଦଳର ୧୬ ଏବଂ ଅନ୍ୟନ୍ୟ ୫ ବିଧାୟକ ଅଛନ୍ତି । ଏବେ ନଜର ମହାମେଣ୍ଟ ସହଜରେ ସରକାର ଗଠନ କରିପାରୁଛି ନା କାହାଣୀରେ କିଛି ନୂଆ ଟୁଇଷ୍ଟ ଆସୁଛି ?