• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କଲେ । ଇସ୍ତଫା ପରେ ନୀତିଶ କୁମାର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘ଆଜି ଆମ ଦଳର ବରିଷ୍ଠ ନେତାମାନଙ୍କ ବୈଠକ ବସିଥିଲା । ସେହି ବୈଠକରେ ବିଧାୟକ, ସାଂସଦମାନେ ଉପସ୍ଥିତ ଥିଲେ । ବୈଠକରେ ସମସ୍ତେ ଏନ୍‌ଡିଏ ଛାଡ଼ି ଦେବାକୁ କହିଲେ । ସମସ୍ତେ ଏନ୍‌ଡିଏ ଛାଡ଼ିବାକୁ କହିବାରୁ ମୁଁ ଇସ୍ତଫା ଦେଲି ।’

ସେପଟେ ଇସ୍ତଫା ଦେବା ପରେ ସିଧା ଲାଲୁ ଯାଦବଙ୍କ ଘରେ ପହଞ୍ଚିଲେ ନୀତିଶ କୁମାର । ଆର୍‌ଜେଡି ନେତା ରାବଡି ଦେବୀ ଓ ତେଜସ୍ୱୀ ଯାଦବଙ୍କୁ ଭେଟିବାକୁ ସେ ଆସିଥିବା ସୂଚନା ରହିଛି ।

 

 

 

ବିହାରରେ ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ । ଆଉ ମେଣ୍ଟ ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତିଶ କୁମାର । ଏବେ ନୂଆ ରୂପରେ ନୂଆ ମେଣ୍ଟ ଗଠନ ହେବ ବୋଲି ଜେଡିୟୁ ନେତା ଉପେନ୍ଦ୍ର କୁଶୱା ସୂଚନା ଦେଇଛନ୍ତି । ଏହାସହ ନୂଆ ମେଣ୍ଟକୁ ନେତୃତ୍ୱ ଦେବା ନେଇ ନୀତିଶ କୁମାରଙ୍କୁ କୁଶୱା ବଧାଇ ଜଣାଇଛନ୍ତି । ନୀତିଶ ଆଗକୁ ବଢନ୍ତୁ, ଦେଶ ଆପଣଙ୍କୁ ଅପେକ୍ଷା କରିଛି ବୋଲି ସେ କହିଛନ୍ତି ।

ବିଜେପି ହାତ ଛାଡ଼ି ପୁଣି ଆର୍‌ଜେଡିକୁ ନୀତିଶ ସାଥି କରିଛନ୍ତି । ଆର୍‌ଜେଡି, କଂଗ୍ରେସ ଓ ବାମଦଳକୁ ନେଇ ସରକାର ଗଢ଼ିବାକୁ ନୀତିଶ ସଜବାଜ ହେଉଛନ୍ତି ।ନୂଆ ସରକାର ଗଢ଼ିବା ନେଇ ଅପରାହ୍ଣ ୪ଟାରେ ରାଜ୍ୟପାଳଙ୍କୁ ନୀତିଶ କୁମାର ଭେଟିବେ ବୋଲି ସୂଚନା ମିଳିଛି । ଏନେଇ ସେ ରାଜ୍ୟପାଳଙ୍କୁ ସମୟ ମାଗିଛନ୍ତି । ଆଜି ସକାଳେ ଜେଡିୟୁ ବିଧାୟକଙ୍କ ସହ ନୀତିଶ ବୈଠକ କରିଥିଲେ ।

ସେପଟେ ନୂଆ ସରକାର ଗଠନ ପୂର୍ବରୁ ଆରମ୍ଭ ହୋଇଯାଇଛି ମୂଲଚାଲ ରାଜନୀତି । ତେଜସ୍ୱୀ ଯାଦବ ଗୃହ ମନ୍ତ୍ରଣାଳୟ ମାଗୁଥିବା ଚର୍ଚ୍ଚା ହେଉଛି । ପରିସ୍ଥିତିକୁ ଦେଖି ବିଧାୟକଙ୍କୁ ଏକାଠି ରଖିବାକୁ ରାଜ୍ୟ କଂଗ୍ରେସ ପ୍ରଭାରୀ ଭକ୍ତଚରଣ ଦାସ ଗୁପ୍ତ ବୈଠକ କରିଥିବା ସୂଚନା ମିଳିଛି । ଅନ୍ୟପକ୍ଷେ, ନୀତିଶଙ୍କୁ ଅକଳରେ ପକାଇ ପାରନ୍ତି ବିଜେପି ମନ୍ତ୍ରୀ । ମନ୍ତ୍ରିମଣ୍ଡଳରେ ଥିବା ୧୬ ଜଣ ବିଜେପି ମନ୍ତ୍ରୀ ଇସ୍ତଫା ଦେବାକୁ ଅରାଜି ଥିବା ସୂଚନା ମିଳିଛି । ଇସ୍ତଫା ଦେବେ ନାହିଁ ବୋଲି ସେମାନେ ଅଡ଼ି ବସିଛନ୍ତି ।

ସୂଚନାଥାଉ କି, ବିହାରରେ ଗତ ବିଧାନସଭା ନିର୍ବାଚନରେ ୨୪୩ ଆସନରୁ ଏନ୍‌ଡିଏ ୧୨୭ଟି ଆସନରେ ବିଜୟୀ ହୋଇଥିଲା । ଜେଡିୟୁକୁ ୪୫ ଏବଂ ବିଜେପିକୁ ୭୭ଟି ସିଟ୍ ମିଳିଥିଲା । NDAର ଅନ୍ୟ ସହଯୋଗୀଙ୍କୁ ୫ଟି ସିଟ୍ ମିଳିଥିଲା । କମ୍ ଆସନ ପାଇଥିବା ସତ୍ତ୍ୱେ ନୀତିଶଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିଥିଲା ।