• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୁଜରାଟରେ ବିଜେପି ସପକ୍ଷରେ ଜନାଦେଶ ଯିବା ପରେ ଆରମ୍ଭ ହୋଇଛି ବିଜୟ ଉତ୍ସବ । ପୁଣି ଥରେ ସରକାର ଗଠନ କରିବ ବିଜେପି । ଏଠାରେ ସାଧାରଣ ଜନତା ବିଜେପି ଉପରେ ଆସ୍ଥା ପ୍ରକଟ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ୧୫୮ରୁ ଅଧିକ ସିଟରେ ଆଗୁଆ ରହି ବଡ ବିଜୟ ଅଭିମୁଖେ ମୁହାଁଇଛି । ଆଉ ଏହାରି ମଧ୍ୟରେ ବିଜେପି ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଆସନ୍ତା ୧୨ ତାରିଖ ଅପରାହ୍ନ ୨ଟାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଭୂପେନ୍ଦ୍ର ପଟେଲ । ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହାସହ ବିଜୟ ବ୍ୟବଧାନରେ ରେକର୍ଡ କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ । ଘାଟଲୋଡିଆ ଆସନରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରେକର୍ଡ କରିଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କୁ ସେ ୧ ଲକ୍ଷ ୯୦ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି । ଏଠାରେ ଭୂପେନ୍ଦ୍ର ପଟେଲଙ୍କୁ ମିଳିଛି ୨ ଲକ୍ଷ ୧୨ ହଜାରରୁ ଅଧିକ ଭୋଟ । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀଙ୍କ ହାତକୁ ଯାଇଛି ମାତ୍ର ୨୧ ହଜାର ଭୋଟ ।

ବିଜେପି ଲଗାତାର ସପ୍ତମ ଥର ପାଇଁ ଗୁଜରାଟରେ ବିଜୟ ହାସଲ କରିବା ମଧ୍ୟ ଏକ ରେକର୍ଡ । ଏହା ପୂର୍ବରୁ ପଶ୍ଚିମବଙ୍ଗରେ ବାମପନ୍ଥୀ ଦଳ ଲାଗାତାର ୭ ତର ବିଜୟ ହାସଲ କରିଥିଲା । ଏହି ପ୍ରକାରେ ପୁଣି ଥରେ ବିଜେପି ହାତକୁ ଯାଇଛି ଗୁଜରାଟ ଆସନ ଏବଂ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଗୁଜରାଟରେ ୩୨ ବର୍ଷ ପୂରଣ ହୋଇଯିବ ।

ଆଜି ସକାଳୁ ଗଣତି ଆରମ୍ଭ ହେବା ମାତ୍ରେ ବିଜେପି ପ୍ରାର୍ଥୀମାନେ ବିଭିନ୍ନ ରାଉଣ୍ଡରେ ଆଗୁଆ ରହିଥିଲେ । ଗୁଜରାଟରେ ସରକାର ଗଠନ ପାଇଁ ୯୨ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ବିଜେପି ସପକ୍ଷରେ ବହୁମତ ରହିଛି । ତେଣୁ ଗୁଜରାଟରେ ପୁଣିଥରେ ବିଜେପି ସରକାର ଗଠନ କରିବା ନିଶ୍ଚିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ବିଜେପି ନେତା ହାର୍ଦ୍ଦିକ ପଟେଲ, ଅଳ୍ପେଶ ଠାକୁର ପ୍ରମୁଖ ଆଗୁଆ ରହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଆପ୍ ତୃତୀୟରେ ରହିଛି । ଗତ ୨୭ ବର୍ଷ ଧରି ଗୁଜରାଟରେ କ୍ଷମତାରେ ରହିଛି ବିଜେପି ।