• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଘନଉଛି ରେଞ୍ଜ ରୋଭର ବିବାଦ । ରାଜଧାନୀରେ ଘଟିଥିବା ଏହି ବହୁଚର୍ଚ୍ଚିତ ଦୁର୍ଘଟଣାରେ ବିଜେଡି ବିଧାୟିକାଙ୍କ ଭାଇ ବିଶାଲ ଦାସଙ୍କୁ ମିଳୁଛି ସୁରକ୍ଷା କବଚ। ଏଭଳି ଅଭିଯୋଗ ଆଣି କମିଶନରେଟ୍ ପୋଲିସ୍ କାର୍ଯ୍ୟାଳୟ ଘେରାଉ କରିଛି ଛାତ୍ର କଂଗ୍ରେସ । ମୃତକ ପରିବାରକୁ କ୍ଷତିପୂରଣ ଓ ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ ସହ ବିଶାଲ ଦାସଙ୍କୁ ଗିରଫ କରିବାକୁ ଦାବି କରିଛି ଦଳ । ସେପଟେ ବିଜେପି ମଧ୍ୟ ଶାସକ ଦଳକୁ ଟାର୍ଗେଟ କରିଛି । ଅନ୍ୟପଟେ ମେଧାବୀ ଝିଅକୁ ହରାଇ ଗୁମୁରି କାନ୍ଦୁଛି ପରିବାର ଓ ଗାଁ ।

ସେ ଥିଲା ଗାଁର ପଢୁଆ ଝିଅ । ପାଠପଢାରେ ଆଗରେ ଥିଲା । ଆଶା ରଖିଥିଲା ପାଠପଢି ଗାଁର ନାଁ ରଖିବ । ହେଲେ ସବୁ କିଛି ଯେମିତି ଚୁରମାର୍ ହୋଇଗଲା । ବହୁ ଚର୍ଚ୍ଚିତ ରେଞ୍ଜ ରୋଭର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାଜପୁର ବରୀ ଅଞ୍ଚଳର ଲୋପାମୁଦ୍ରାଙ୍କ ଥିଲା ଏଇ ସ୍ୱପ୍ନ । ଜୁଇ ଶୀତଳ ପଡିଛି ହେଲେ ବାପ ମନ ଏବେବି ଅଶାନ୍ତ । ଏବେବି ଜନ୍ମକଲା ଝିଅକୁ ଝୁରି ହେଉଛନ୍ତି ବାପା କୈଳାସ ସାହୁ । ଗାଁ ବାସୀ ବି ସହଜରେ ଗ୍ରହଣ କରିପାରୁନାହାଁନ୍ତି ଗାଁ ଝିଅ ଲୋପାମୁଦ୍ରା ଯେ ଆଉ ନାହିଁ । ଦୁଇ ଦିନ ତଳେ ଶବକୁ ସଂସ୍କାର କରିବା ବେଳେ ପୁରା ଗାଁରେ ଶୋକାକୁଳ ପରିବେଶ ଛାଇଯାଇଥିଲ । କିଏ ବୁକୁ ପିଟି କାନ୍ଦୁଥିଲା ତ ଆଉ କିଏ ତୁହାକୁ ତୁହା ମୁର୍ଚ୍ଛା ଯାଉଥିଲା । କେହି ଯେମିତି ସହଜରେ ଗ୍ରହଣ କରିପାରୁନଥିଲେ । ଆଜି ବି ଗାଁରେ ଆବେଗପୂର୍ଣ୍ଣ ପରିବେଶ ।

ଆଜି ରାଜଧାନୀ ଭୁବନେଶ୍ୱରର କମିଶନରେଟ୍ ପୋଲିସ୍ କାର୍ଯ୍ୟାଳୟ ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ । ଲୋପାମୁଦ୍ରାଙ୍କ ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ୱର୍ଗତ ନବ ଦାସଙ୍କ ପୁଅ ତଥା ଝାରସୁଗୁଡା ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଲ ଦାସ ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି । ଶାସକ ଦଳର ନେତା ହୋଇଥିବାରୁ ପୋଲିସ୍ ଜାଣି ଶୁଣି ବିଶାଲଙ୍କୁ ଘଣ୍ଟ ଘଡାଉଛି । କମିଶନରେଟ ପୋଲିସ୍ କାର୍ଯ୍ୟାଳୟର କିଛି ମିଟର ଦୁରରେ ଦୁର୍ଘଟଣା ଘଟିଛି । ସବୁ କିଛି ସିସିଟିଭିରେ କଏଦ । ସିସିଟିଭି ଫୁଟେଜକୁ ସାର୍ବଜନୀନ କରି ବିଶାଲ ଦାସଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ପୋଲିସ କମିଶନରଙ୍କୁ ଭେଟି ଦାବି କରିଛି ଛାତ୍ର କଂଗ୍ରେସ । ବିଜେପି ମଧ୍ୟ ଘଟଣାରେ କଡା ସମାଲୋଚନା କରିଛି । ବିଶାଲଙ୍କ ଏନେଇ ପ୍ରତିକ୍ରିୟା ମିଳିନଥିବା ବେଳେ ଜବାବ ରଖିଛି ବିଜେଡି ।

ରେଞ୍ଜ ରୋଭର ଦୁର୍ଘଟଣାରେ ଲୋପାମୁଦ୍ରାଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଗୁରୁତର ଆହତ ହୋଇ ଏବେବି ଜୀବନ ସଂହ ସଂଗ୍ରାମ ଜାରି ରଖିଛନ୍ତି କାହ୍ନୁଚରଣ ନାୟକ । ତେବେ ଘଟଣାରେ ନ୍ୟାୟ କେବେ ମିଳୁଛି ତାକୁ ଅପେକ୍ଷା କରି ରହିଛନ୍ତି ପରିବାର ଲୋକେ ।

  • Reported by:
  • PAWAN TIWARI , JAGDISH DAS , CHANDAN PAIKRAY , Sanjeeb Nayak