Advertisment

ପରାଜୟ ସତ୍ତ୍ୱେ ମହାନଗରରେ ବଢିଛି ବିଜେପିର ଭୋଟ୍ ପ୍ରତିଶତ : ଅପରାଜିତା କହିଲେ, ରାଜ୍ୟ ନେତୃତ୍ୱ ଶକ୍ତିଶାଳୀ ହୋଇଥିଲେ ଆହୁରି ଭଲ ହୋଇଥାନ୍ତା ପ୍ରଦର୍ଶନ

ବଦଳୁଛି କି ରାଜଧାନୀବାସୀଙ୍କ ମୁଡ୍? ଭୁବନେଶ୍ୱର ମହାନଗର ନିଗମର ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଏକ ଲକ୍ଷ ୧୩ ହଜାର ୪ଶହ ଭୋଟ ମିଳିବା ପରେ ଏବେ ଏଭଳି ପ୍ରଶ୍ନ ଉଠିଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
bjp

bjp

ତିନି ମହାନଗର ନିଗମର ମେୟର ପଦ ହାତେଇବା ସହ କର୍ପୋରେଟର ନିର୍ବାଚନରେ ବି ସବୁଠି ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେଡି । ହେଲେ ସବୁଠି ବଢ଼ିଛି ବିଜେପିର ଭୋଟ୍ ପ୍ରତିଶତ । ଏମିତିକି ଗତଥର ତୁଳନାରେ ଏଥର ଦଳର କର୍ପୋରେଟର ସଂଖ୍ୟା ବି ବଢ଼ିଛନ୍ତି । କିନ୍ତୁ କେବଳ କଟକକୁ ଛାଡ଼ି ଦେଲେ ସବୁଠି ଶୋଚନୀୟ ସ୍ଥିତିରେ କଂଗ୍ରେସ । ଅପରପକ୍ଷେ ବିଦ୍ରୋହୀଙ୍କୁ ମ୍ୟାନେଜ୍ କରି ନପାରିବାରୁ ବହୁ ସ୍ଥାନରେ ବିଜେଡି କର୍ପୋରେଟର ପ୍ରାର୍ଥୀଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି । ତେଣୁ ଡେପୁଟି ମେୟର ନିର୍ବାଚନ ପୂର୍ବରୁ ସ୍ୱାଧୀନ ପ୍ରାର୍ଥୀଙ୍କୁ ନିଜ ଆଡକୁ ଆଣିବାକୁ ପ୍ଲାନ୍ ବି ପ୍ରସ୍ତୁତ କରିସାରିଲାଣି ଶାସକ ଦଳ ।

Advertisment

ବିଜେଡି ପାଇଁ କାଳ ହେଲେ କି ବିଦ୍ରୋହୀ? ବଦଳୁଛି କି ରାଜଧାନୀବାସୀଙ୍କ ମୁଡ୍? ଭୁବନେଶ୍ୱର ମହାନଗର ନିଗମର ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଏକ ଲକ୍ଷ ୧୩ ହଜାର ୪ଶହ ଭୋଟ ମିଳିବା ପରେ ଏବେ ଏଭଳି ପ୍ରଶ୍ନ ଉଠିଛି । ମେୟର ପଦ ଲାଗି ପ୍ରତ୍ୟକ୍ଷ ନିର୍ବାଚନ ହୋଇଥିବାରୁ ସ୍ପ୍ଲିଟ୍ ଭୋଟିଂ ଓ କର୍ପୋରେଟର ଟିକେଟ ବଣ୍ଟାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିବାରୁ ଅସନ୍ତୁଷ୍ଟ ମାନେ ଦଳର ଭୋଟ ମାଇନସ୍ କରାଇ ଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଏକାମ୍ର ନିର୍ବାଚନ ମଣ୍ଡଳୀର ସର୍ବାଧିକ ୮ଟି ଓ୍ୱାର୍ଡରେ ବିଜେଡି ପରାସ୍ତ ହୋଇଛି । ୪ଟିରେ ବିଜେପି ଜିତିଥିବାବେଳେ ଅନ୍ୟ ୪ଟିରେ ବିଜେଡି ବିଦ୍ରୋହୀ ଜିତିଛନ୍ତି । ସେହିପରି ବିଧାୟକ ଅନନ୍ତନାରାୟଣ ଜେନାଙ୍କ ମଧ୍ୟ ନିର୍ବାଚନ ମଣ୍ଡଳୀର ୧୯ଟି ଓ୍ୱାର୍ଡରୁ ବିଜେଡି ୫ଟିରେ ପରାସ୍ତ ହୋଇଛି । ୩ଟିରେ ବିଜେପି ଓ ୨ଟି ଓ୍ୱା଼ର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

Advertisment

ସେହିପରି ବିଧାୟକ ସୁଶାନ୍ତ ରାଉତଙ୍କ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ୬ଟି ଓ୍ୱାର୍ଡରେ ଦଳ ପରାଜୟର ସ୍ୱାଦ ଚାଖିଛି । ଏଠାରେ ୩ଟି ଓ୍ୱାର୍ଡରେ ବିଜେପି ଓ ୩ଟି ଓ୍ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେଡି ନିଜ ବିଧାୟକଙ୍କ ମୁଣ୍ଡରେ ଟିକେଟ ବଣ୍ଟା ଦାୟିତ୍ୱ ଲଦିବି ବିଜୟ ଓ୍ୱାର୍ଡ ସଂଖ୍ୟାକୁ ୫୦କୁ ନେଇପାରିନି । ସେପଟେ ବିଜେପି ଗତଥରର ୪ସିଟରୁ ବଢି ୧୦ରେ ପହଞ୍ଚିଛି । ସେହିପରି ୮ଟି ଓ୍ୱାର୍ଡରେ ତୀବ୍ର ପ୍ରତିନ୍ଦ୍ୱନ୍ଦିତା କରିଛି ବିଜେପି । ତେବେ ରାଜ୍ୟ ନେତୃତ୍ୱ ଶକ୍ତିଶାଳୀ ହୋଇଥିଲେ ଦଳ ଆହୁରି ଭଲ ପ୍ରଦର୍ଶନ କରିଥାନ୍ତା ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି । ସେପଟେ ଓ୍ୱାର୍ଡରେ ଖାତା ଖୋଲିପାରିନଥିବା କଂଗ୍ରେସ କହିଛି, ଶୋଚନୀୟ ପ୍ରଦର୍ଶନର ସମୀକ୍ଷା ହେବ ।

ସିଲଭରି ସିଟି କଟକରେ କିନ୍ତୁ ମେୟର ପଦବୀରେ ବିଜେଡିକୁ କଡା ଟକ୍କର ଦେଇ ପରାଜିତ ହୋଇଥିବା କଂଗ୍ରେସ ୮ଟି ଓ୍ୱାର୍ଡରେ ବିଜୟୀ ହୋଇଛି । ଅନ୍ୟପଟେ ମେୟର ଭୋଟରେ ବିଜେପି ତୃତୀୟରେ ରହିଛି ସତ ଦଳର ଭୋଟ ହାର କିନ୍ତୁ ବଢିଛି । ପୂର୍ବ ନିର୍ବାଚନ ତୁଳନାରେ ଅଧିକ ୩ଟି ଓ୍ୱାର୍ଡ ସହ ୭ଟି ଓ୍ୱାର୍ଡ ଦଖଲ କରିଛି ଦଳ । ସେପଟେ ଟିକେଟ୍ କନ୍ଦଳରୁ ୩ ବିଜେଡି ବିଦ୍ରୋହୀଙ୍କ ସମେତ ୬ ଜଣ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । ତେଣୁ ବିଜେଡି ଏଠି ବିଜୟୀ ବିଦ୍ରୋହୀ ପ୍ରାର୍ଥୀଙ୍କ ଘର ବାହୁଡ଼ା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି ।

ସେମିତି ବ୍ରହ୍ମପୁରରେ ମଧ୍ୟ ମେୟର ପଦ ଲାଗି ଶାସକ ବିଜେଡିକୁ କଡା ଟକ୍କର ଦେଇ ବିଜେପି ଦ୍ୱିତୀୟରେ ରହିଛି । ଗତ ଥର ୭ ପ୍ରତିଶତ ଭୋଟ୍ ପାଇ ଖାତା ଖୋଲି ପାରି ନଥିବା ବିଜେପି ଏଥର ଭୋଟ୍ ପ୍ରତିଶତକୁ ଖାଲି ୩୪କୁ ବଢ଼ାଇନି, ୭ଟି କର୍ପୋରେଟର ସିଟ୍ ବି ଅକ୍ତିଆର କିରଛି । ସେହିପରି ବିଜେଡି ୩୦, କଂଗ୍ରେସ ଗୋଟିଏ ଓ ସ୍ବାଧୀନ ପ୍ରାର୍ଥୀ ୪ଟିରେ ବିଜୟୀ ହୋଇଛନ୍ତି । ମହାନଗର ନିର୍ବାଚନରେ ବିଜେପିର ଭୋଟ ହାର ବଢିବା ପରେ ବିଜେଡି ଶିବିରରେ ଆରମ୍ଭ ହୋଇଯାଇଛି କାଉଣ୍ଟର କସରତ ।

ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା, କଟକରୁ ଦେବାଶିଷ ମହାନ୍ତି, ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ ଓ ଜଗଦୀଶ ଦାସଙ୍କ ରିପୋର୍ଟ

Municipal Election 2022
Advertisment
Advertisment