ସରକାରଙ୍କୁ ଅପରାଜିତାଙ୍କ ଗୁଗ୍‌ଲି ! କହିଲେ ଆଗରୁ ନିୟମ ମାନିଥିଲେ ଏମିତି ସ୍ଥିତି ଆସିନଥାନ୍ତା

ଏହାର ଉଚ୍ଚତା ମଧ୍ୟ କମ କରିବାକୁ ଏନ୍ଏମ୍ଏ ପ୍ରସ୍ତାବ ଦେଇଛି । ଏନ୍ଏମ୍ଏର ସୁପାରିଶ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତି ଦେଇଛି ।

Bhubaneswar MP Aparajita Sarangi

ରାଜ୍ୟ ସରକାରଙ୍କୁ ପୁରୁଣା କଥା ମନେପକାଇ ସମାଲୋଚନା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । ସରକାରଙ୍କୁ ତାଙ୍କର କହିବା କଥା, ଆଇନ୍‌ ଅନୁଯାୟୀ କାମ କରୁଥିଲେ ଏଭଳି ଅପଦସ୍ତ ହେବାକୁ ପଡ଼ିନଥାନ୍ତା । ତେବେ କେହି କେହି ଏହାକୁ ଅପରାଜିତାଙ୍କ ତାତ୍ସଲ୍ୟ ବୋଲି ମଧ୍ୟ କହୁଛନ୍ତି ।

କାରଣ ପୂର୍ବରୁ ଅନେକ ଥର ଅପରାଜିତା, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ମତ ଦେଇ କହିଥିଲେ ଯେ, ଯାହା ବି ଉନ୍ନତି ମୂଳକ କାର୍ଯ୍ୟ କରାଯାଉଛି ତାହା ଆଇନ୍ ଅନୁଯାୟୀ କରାଯାଉ । ଏହାସହ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଅଧିକ ଗୁରୁତ୍ୱ ଦିଆଯାଉ ବୋଲି ମଧ୍ୟ କହିଥିଲେ ଅପରାଜିତା । ହେଲେ ସେତେବେଳେ ସରକାର ଅଇନ ଉଲଂଘନ କରି ଶ୍ରୀମନ୍ଦିରର ଶହେ ମିଟର ପରିଧି ଭିତରେ ଅଭ୍ୟର୍ଥନା କକ୍ଷ ନିର୍ମାଣ କରିବାକୁ ଚେଷ୍ଟା କରିଥିଲେ ।   

ସୂଚନାଯୋଗ୍ୟ, ଶ୍ରୀମନ୍ଦିରଠାରୁ ଶହେ ମିଟର ଦୂରରେ ଅଭ୍ୟର୍ଥନା କକ୍ଷ ଓ ଏହାର ଉଚ୍ଚତା କମାଇବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି NMA । ଆଉ ଏହା ପରେ ଆରମ୍ଭ ହୋଇଛି ରାଜନୀତି । ରାଜ୍ୟ ସରକାରଙ୍କ ଦୋଷ ତ୍ରୁଟି ମନେ ପକାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି ଯଦି ରାଜ୍ୟ ସରକାର ଆଇନର ପରିଧି ଭିତରେ ରହି, ସେତେବେଳେ ୧୦୦ ମିଟର ବାହାରେ ଅଭ୍ୟର୍ଥନା କକ୍ଷର କାମ କରିଥାନ୍ତେ ତେବେ ବେଆଇନ ସୌଧ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇନଥାନ୍ତା ।

ଏନ୍ଏମ୍ଏର ସୁପାରିଶ ପରେ ଶ୍ରୀମନ୍ଦିରର ସୁରକ୍ଷା ଓ ନିରାପତ୍ତା କଥା ଚିନ୍ତା କରୁଥିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତି ଦେଇଛି ବୋଲି ଅପରାଜିତା କହିଛନ୍ତି ।  ଏନ୍ଓସିକୁ ନେଇ ସେ NMAକୁ ଧନ୍ୟବାଦ ଦେଇଛନ୍ତି । ଜଗନ୍ନାଥ ପରିକ୍ରମା ଓ ଅନ୍ୟ ଐତିହ୍ୟ ପ୍ରକଳ୍ପର କାରଣ ଖୋଜିଥିବାରୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।