• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିର୍ବାଚନ ପୂର୍ବରୁ ବଦଳୁଛି ଉତ୍ତରପ୍ରଦେଶର ରାଜନୈତିକ ସମୀକରଣ । ଗୋଟିଏ ପଟେ ଦଳଡିଆଁ ରାଜନୀତି ଜୋର ଧରିଥିବା ବଳେ ଏଥର ନିର୍ବାଚନରେ ​​ସମାଜବାଦୀ ପାର୍ଟି ଏବଂ ଭୀମ ଆର୍ମି (bhim army) ଏକାଠି ଲଢ଼ିପାରନ୍ତି ବୋଲି ଅନୁମାନ କରାଯାଉଛି । ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଶୁକ୍ରବାର ଦିନ ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି । ଭୀମ ଆର୍ମି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ ଓ ଆସନ ବଣ୍ଟା ବୁଝାମଣା ହେଉଥିବା ନେଇ ଗତ କିଛି ଦିନ ହେବ ଆଲୋଚନା ଚାଲିଛି । ଚନ୍ଦ୍ରଶେଖର ଆଜାଦ୍ ଗୁରୁବାର ଦିନ ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏହି ଆକଳନ ସତ ହେବା ପରି ଲାଗୁଛି ।

ଅନ୍ୟପକ୍ଷରେ ଛୋଟ ଦଳକୁ ସାଥିରେ ନେଇ ୟୁପି ନିର୍ବାଚନରେ ​​ ବିଜେପିକୁ ଟକ୍କର କରିବେ ବୋଲି ଅଖିଳେଶ ଯାଦବ କହିଥିଲେ । ସୁହେଲଦେବ ଭାରତୀୟ ସମାଜ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ଜନବାଦୀ ପାର୍ଟି (ସମାଜବାଦୀ), ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି), ଅପନା ଦଳ (କମ୍ୟୁନିଷ୍ଟ), ପ୍ରଗତିଶୀଳ ସମାଜବାଦୀ ପାର୍ଟି (ଲୋହିଆ), ମହାନ ଦଳ ସହିତ ଟିଏମସି ସହିତ ସମାଜବାଦୀ ପାର୍ଟି ମେଣ୍ଟ କରିଛି ।

ସମାଜବାଦୀ ପାର୍ଟି ତିଆରି କରୁଛି ଦଳିତ-ସଂଖ୍ୟାଲଘୁ ମେଣ୍ଟ

ଯୋଗୀଙ୍କୁ ମାତ୍‌ ଦେବାକୁ ମାଷ୍ଟର ପ୍ଲାନ୍ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ । କଳେ ବଳେ କୌଶଳେ ପୁଣି ଥରେ ଗାଦି ଅକ୍ତିଆର କରିବାକୁ ପ୍ରୟାସ ଚଳାଇଛନ୍ତି । ଜୟନ୍ତ ଚୌଧୁରୀଙ୍କ ପରେ ଚନ୍ଦ୍ରଶେଖର ଆଜାଦ ମଧ୍ୟ ଅଖିଳେଶ ଯାଦବଙ୍କ ସହ ହାତ ମିଳାଇଲେ, ପଶ୍ଚିମ ୟୁପିରେ ଦଳିତ-ସଂଖ୍ୟାଲଘୁ- ଜାଟ-ସପା ମେଣ୍ଟ ସୃଷ୍ଟି ହେବ । ସମଗ୍ର ଉତ୍ତରପ୍ରଦେଶରେ ଜାଟ୍ ସଂପ୍ରଦାୟ ୪ ପ୍ରତିଶତ ହୋଇଥିଲେ ମଧ୍ୟ ପଶ୍ଚିମ ୟୁପିରେ ସେମାନଙ୍କ ସଂଖ୍ୟା ପାଖାପାଖି ୨୦ ପ୍ରତିଶତ । ଏଥି ସହିତ ସଂଖ୍ୟାଲଘୁଙ୍କ ସଂଖ୍ୟା ୩୦ ରୁ ୪୦ ପ୍ରତିଶତ ହୋଇଥିବା ବେଳେ ଦଳିତ ସମ୍ପ୍ରଦାୟ ୨୫ ପ୍ରତିଶତରୁ ଅଧିକ ।

ବହୁଜନ ସମାଜପାର୍ଟି ସୁପ୍ରିମୋ ମାୟାବତୀ ଓ ଚନ୍ଦ୍ରଶେଖର ଆଜାଦ ଦଳିତ ସମ୍ପ୍ରଦାୟର ଗୋଟିଏ ଜାତିର ଅଟନ୍ତି ଏବଂ ସମାନ ଅଞ୍ଚଳର ଅଟନ୍ତି । ଉଭୟଙ୍କର ଜାଟ ସମ୍ପ୍ରଦାୟ ସହିତ ଭଲ ସମ୍ପର୍କ ରହିଛି । ଏହି କ୍ରମରେ ପଶ୍ଚିମ ୟୁପିରେ ସପା ଚନ୍ଦ୍ରଶେଖରଙ୍କ ସହ ମେଣ୍ଟ କଲେ ମିଳିତ ମଞ୍ଚରେ ଦଳିତ ସମ୍ପ୍ରଦାୟର ଅଂଶଗ୍ରହଣ ବୃଦ୍ଧି ପାଇବ । ଚନ୍ଦ୍ରଶେଖରଙ୍କ ମାଧ୍ୟମରେ ଦଳିତଙ୍କ ସମ୍ପୂର୍ଣ୍ଣ ଭୋଟ୍ ନଆସିଲେ ମଧ୍ୟ ପ୍ରତ୍ୟେକ ଆସନରୁ ଚାରି ରୁ ପାଞ୍ଚ ହଜାର ଭୋଟ୍ ମିଳିବା ଏକପ୍ରକାର ସ୍ପଷ୍ଟ । ପଶ୍ଚିମ ୟୁପିରେ ସପା ପାଇଁ ଏହି ଭୋଟ୍ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇପାରେ ।