• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ରାଜ୍ୟ ସରକାର ଉପରେ ବର୍ଷିଲେ କଂଗ୍ରେସର ଦୁଇ କେନ୍ଦ୍ରୀୟ ନେତା ଜୟରାମ ରମେଶ ଓ ଦିଗବିଜୟ ସିଂହ । ବିଜେଡି ଓଡିଶାରେ କଳି କରି ଦିଲ୍ଲୀରେ ବିଜେପି ସହ ସଲାସୁତୁରାରେ ରହିଛି ବୋଲି ସିଧାସଳଖ ଅଭିଯୋଗ ବି ଆଣିଛନ୍ତି । ଏଥିଲାଗି ଆସନ୍ତା ଅକ୍ଟୋବର ୩୧ରୁ ରାଜ୍ୟରେ ଉଭୟ ବିଜେଡି ଓ ବିଜେପି ବିରୋଧରେ ପଦଯାତ୍ରା କରିବାକୁ ଯାଉଛି କଂଗ୍ରେସ । ସେପଟେ ବିଜେଡି ଓ ବିଜେପି ଏହାକୁ କଟାକ୍ଷ କରିଛନ୍ତି ।

‘ପ୍ରଧାନମନ୍ତ୍ରୀଙ୍କ କଥାରେ ଉଠ ବସ୍ ହୁଅନ୍ତି ନବୀନ । ବିଜ଼େଡି ସାଂସଦ ବି ସେୟା କରନ୍ତି, ଯାହା ପ୍ରଧାନମନ୍ତ୍ରୀ କୁହନ୍ତି । ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ’। ଓଡିଶାରେ କଂଗ୍ରେସର ଭାରତ ଯୋଡୋ ପଦଯାତ୍ରା ତାରିଖ ଘୋଷଣା କରି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ମୁଖପାତ୍ର ଜୟରାମ ରମେଶ । 

ଅକ୍ଟୋବର ୩୧ରୁ କଂଗ୍ରେସ ୨୨୫୦ କିଲୋମିଟର ବ୍ୟାପି ଓଡିଶାରେ ପଦଯାତ୍ରା କରିବ । ଶାସକ ବିଜେଡିର ବିଫଳତା ଲୋକଙ୍କ ଆଗରେ ରଖିବ । ସାରା ଦେଶରେ ବିଜେପି ବିରୋଧରେ ଭାରତ ଯୋଡୋ ପଦଯାତ୍ରା ଚାଲିଥିବା ବେଳେ ଓଡିଶାରେ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରି ପଦଯାତ୍ରା ହେବ । ଏହି ଓଡିଶା ପରିକ୍ରମା ଯାତ୍ରା, ରାଜ୍ୟରେ ପରିବର୍ତ୍ତନ ଆଣିବ ବୋଲି ମଧ୍ୟ ଦମ୍ଭୋକ୍ତି କରିଛନ୍ତି ଜୟରାମ । ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କରୁ ଶହେ ଦିନିଆ ପଦଯାତ୍ରା ଆରମ୍ଭ ହୋଇ ୨୦ଟି ସଂସଦୀୟ କ୍ଷେତ୍ର ପରିକ୍ରମା କରିବ ।

 

୨୦୨୪ ନିର୍ବାଚନ ପୂର୍ବରୁ ଭାରତ ଯୋଡୋ ଯାତ୍ରାରେ ବାହାରିଛନ୍ତି ରାହୁଲ ଗାନ୍ଧୀ । ଦର ବୃଦ୍ଧି, ବେକାରୀ ଓ ଚାଷୀ ସମସ୍ୟାକୁ ଲୋକଙ୍କ ପାଖରେ ପହଞ୍ଚାଇ ସେମାନଙ୍କ ସମର୍ଥନ ସାଉଣ୍ଟିବାକୁ ଉଦ୍ୟମ କରୁଛନ୍ତି ରାହୁଲ । ଏଣେ ଓଡ଼ିଶାରେ ୯ ରୁ ୯୦ ମିଶନ୍‌କୁ ସଫଳ କରିବା ଲାଗି ପଦଯାତ୍ରାକୁ ଅସ୍ତ୍ର କରିବ ଦଳ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଦୁଇ ବରିଷ୍ଠ ନେତା ଜୟରାମ ରମେଶ ଓ ଦିଗବିଜୟ ସିଂହ ରାଜ୍ୟ କଂଗ୍ରେସର ନାଡି ଦେଖିଛନ୍ତି । ବୁଦ୍ଧିଜୀବୀ ଓ ସାମାଜିକ କର୍ମୀଙ୍କ ସହ ଆଲୋଚନା କରିବା ସହ ଦଳର ନେତା ଓ ମିଡିଆ ସେଲ୍ ସହ ଗୁପ୍ତ ବୈଠକ କରି ଗୁରୁମନ୍ତ୍ର ଦେଇଛନ୍ତି । ଏପଟେ ଜୟରାମଙ୍କୁ କଟାକ୍ଷ କରିଛି ବିଜେପି । କଂଗ୍ରେସ ପ୍ରଥମେ ନିଜ ଦଳକୁ ଯୋଡୁ ବୋଲି ବିଜେପି ପକ୍ଷରୁ କୁହଯାଇଛି । ଏନେଇ ବିଜେଡି କହିଛି, ସଂଘୀୟ ବ୍ୟବସ୍ଥାରେ ବିଜ଼େଡି କାମ କରୁଛି, କଂଗ୍ରେସର ଅଭିଯୋଗ ଭିତ୍ତିହୀନ ।

ଭାରତ ଯୋଡ଼ୋ ଅଭିଯାନକୁ ଓଡିଶାରେ ସଫଳ କରିବା ଲାଗି କଂଗ୍ରେସ ଶିବିର ଏବେ ଚଳଚଞ୍ଚଳ । ତେବେ ଓଡ଼ିଶାରେ ଏହାର କି ପ୍ରଭାବ ରହୁଛି, ଏବେ ତା ଉପରେ ନଜର ।

(ରିପୋର୍ଟର- ଜଗଦୀଶ ଦାସ, ଭୁବନେଶ୍ୱର)