• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ ଶର୍ମା । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦୀୟା କୁମାରୀ । ଆଉ ଜଣେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମଚନ୍ଦ୍ର ବୈରୱା ।

ରାଜସ୍ଥାନରେ ଆରମ୍ଭ ହେଲା ଭଜନଲାଲ ରାଜ୍ । ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ଆଜି ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ପାଇଁ ମଧ୍ୟ ରାଜସ୍ଥାନରେ ଲାଗୁ ହୋଇଛି ଛତିଶଗଡ଼ ଓ ମଧ୍ୟପ୍ରଦେଶ ଫର୍ମୁଲା । ଅର୍ଥାତ୍ ଦୁଇ ଜଣ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ।  ଅନ୍ୟପଟେ ବାସୁଦେବ ଦେବନାନୀ ରାଜସ୍ଥାନ ବିଧାନସଭାର ବାଚସ୍ପତି ଆସନରେ ବସିଛନ୍ତି ।

ଭଜନଲାଲ ଜୟପୁରସ୍ଥିତ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ରାଜସ୍ଥାନରେ ୫ ବର୍ଷର ବ୍ୟବଧାନ ପରେ ପୁଣି ସତ୍ତାକୁ ଫେରିଛି ବିଜେପି । ବିଧାନସଭା ନିର୍ବାଚନରେ ୧୧୬ ସିଟରେ ବିଜୟ ହାସଲ କରି ପୂର୍ଣ୍ଣ ବହୁମତରେ ସରକାର ଗଢ଼ିଛି ବିଜେପି । 

ରାଜସ୍ଥାନ ନିର୍ବାଚନରେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ​​ନିର୍ବାଚନ ଲଢ଼ିଥିଲା । ୨୦୦୩ ରୁ ରାଜସ୍ଥାନରେ ବସୁନ୍ଧରା ରାଜେ ହିଁ ବିଜେପିର ଚେହେରା ରହିଆସିଛନ୍ତି । ତେବେ ବସୁନ୍ଧରା ରାଜେଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱ ଏତେଟା ସନ୍ତୁଷ୍ଟ ନଥିବା କୁହାଯାଉଥିଲା । ତେଣୁ ଏଥର ଦଳ ରାଜ୍ୟରେ ନୂଆ ମୁହଁ ଆଣିବ ବୋଲି ଚର୍ଚ୍ଚା ହେଉଥିଲା ।

ପୂର୍ବରୁ ଭଜନଲାଲ ରାଜ୍ୟ ସାଧାରଣ ସମ୍ପାଦକଭାବେ ଦଳର ଗୁରୁ ଦାୟିତ୍ବ ତୁଲାଉଥିଲେ । ଜୟପୁରରେ ତାଙ୍କ ବାସ ଭବନ ରହିଥିବା ବେଳେ ସେ ଭରତପୁରର ମୂଳ ବାସିନ୍ଦା । ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଉଥିବା ବେଳେ ସାଙ୍ଗାନୋର ଆସନରେ ପ୍ରଥମଥର ପାଇଁ ତାଙ୍କୁ ଟିକେଟ ଦିଆଯାଇଥିଲା ।

ଏହି ଆସନ ବିଜେପିର ଗଡ଼ଭାବେ ପରିଚିତ ଥିଲା । ବରିଷ୍ଠ ନେତାଙ୍କ ଟିକେଟ କାଟି ଭଜନଲାଲଙ୍କୁ ଏଠାରେ ଦାୟିତ୍ୱ ଦିଆ ଯାଇଥିଲା । ଯାହାକୁ ସେ ଭଲ ଭାବେ ତୁଲାଇ ଥିଲେ । ସେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଛନ୍ତି ।