• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କ୍ଷମତାର ଛତ୍ରଛାୟାରେ ଯାଜପୁର ନେଉଳପୁର ଧର୍ମଶାଳା ଭବନ ପରିସରରେ ଥିବା ବଲ୍ଲେ ବଲ୍ଲେ ଢାବାର ଫିଟୁଛି ଗୁମର । କିଏ କହୁଛନ୍ତି, ଏଇଠି ଚାଲିଥିଲା ରଙ୍ଗଶାଳା ତ ଆଉ କିଏ କହୁଛନ୍ତି ଜମୁଥିଲା ମଦ ମାଂସର ଆସର । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଅଭୟବର ପାଇଁ ବିଜେଡି ନେତ୍ରୀ ଏଲିନା ଦାସଙ୍କ ତତ୍ତ୍ବାବଧାନରେ ଚାଲୁଥିବା ଏହି ଢାବାରେ ବେଆଇନ ଆର୍ଥିକ କାରବାର ଅଭିଯୋଗ ପରେ ଏବେ ହଇଚଇ । ତେବେ ଏନେଇ ପ୍ରଣବ କିମ୍ବା ଏଲିନାଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ଆଜିଠୁ ଖାଲି କରାଯାଉଛି ବଲ୍ଲେ ବଲ୍ଲେ ଢାବା ।

ନାଁକୁ ଥିଲା ଢାବା...କିନ୍ତୁ ବିଜେଡି ନେତାଙ୍କ ସାଜିଥିଲା ମଉଜର ଠିକଣା...କିଏ କହିଲେଣି ଚାଲିଥିଲା ରଙ୍ଗଶାଳା...ଜମୁଥିଲା ମଦମାଂସର ଆସର ତ ଆଉ କିଏ କହୁଛନ୍ତି ହେଉଥିଲା ବେଆଇନ ଆର୍ଥିକ କାରବାର । ୨୪ ବର୍ଷର ଶାସନ ସହ ଅଖଣ୍ଡ କ୍ଷମତା ଭୋଗ କରିଥିବା ବିଜେଡି ବିଧାୟକ ଏବଂ ସାଂସଦଙ୍କ ଛତ୍ରଛାୟାରେ କାୟା ମେଲାଇଥିଲା ବଲ୍ଲେ ବଲ୍ଲେ ଢାବା । ଏଭଳି ଅଭିଯୋଗ ଆଣି ଗୋଟି ଗୋଟି କରି ଢାବା ପଛର ବିବାଦୀୟ କାହାଣୀ ସାମ୍ନାକୁ ଆଣୁଛନ୍ତି ସ୍ଥାନୀୟ ଲୋକେ ।

ଏଇ ଢାବାକୁ କୁଆଡ଼େ ଚଳାଉଥିଲେ ବିଜେଡି ନେତ୍ରୀ ଏଲିନା ଦାସ । ଯାହାଙ୍କ ପଛରେ ଥିଲେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ । ଯେଉଁଠି ଲାଗୁଥିଲା ବଡ଼ ବଡ଼ ଗାଡ଼ି ମୋଟର, ରଙ୍ଗୀନ ହେବାକୁ ଆସୁଥିଲେ ନେତା ଆଉ ମନ୍ତ୍ରୀ । ଦିନରେ ଢାବା, କିନ୍ତୁ ରାତିରେ ପାଲଟୁଥିଲା ରଙ୍ଗଶାଳା । ଅଭିଯୋଗ ଯଦି ସତ, ତେବେ ଢାବାରେ କେଉଁ ଆଧାରରେ ଚାଲୁଥିଲା ବେଆଇନ କାରବାର ? ଅଭିନେତ୍ରୀ ତଥା ବିଜେଡି ନେତ୍ରୀ ଏଲିନା ଦାସ ଢାବାକୁ ଲିଜ୍ ସୂତ୍ରରେ ନେଇଥିଲେ ନା ଅନ୍ୟ କାହା ନାଁରେ ଏହାକୁ ପରିଚାଳନା କରୁଥିଲେ ? ଏଭଳି ପ୍ରଶ୍ନ ଉଠୁଥିବାବେଳେ ଏହାର ତଦନ୍ତ ଦାବି କରିଛନ୍ତି ନେଉଳପୁର ବାସିନ୍ଦା ।

କେବଳ ବଲ୍ଲେ ବଲ୍ଲେ ଢାବା ନୁହଁ । ଧର୍ମଶାଳା ଭବନର ବର୍ତ୍ତମାନର ସ୍ଥିତି ଓ ଅବସ୍ଥିତିକୁ ନେଇ ବି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି । ବିବାହ ହେଉ କି କୌଣସି ସାମାଜିକ କାର୍ଯ୍ୟକ୍ରମ, ବେଶ୍ ସୁଲଭ ଦରରେ ଧର୍ମଶାଳା ଭବନକୁ ବ୍ୟବହାର କରୁଥିଲେ ସ୍ଥାନୀୟ ବାସିନ୍ଦା । ଗୋଚର ଜମିରେ ଛିଡ଼ା ହୋଇଥିବା ଏହି ଭବନର ପୂର୍ବରୁ ଦୈନିକ ଭଡ଼ା ଥିଲା ମାତ୍ର ୪ ହଜାର । ଏବେ ଏହା ୬୫ ହଜାରରେ ପହଞ୍ଚିଛି । ଆଉ ଏହି ଧର୍ମଶାଳା ଭବନ ପରିସର ଢାବାରେ ବେଆଇନ ଭାବେ ସାଂସଦ ଓ ବିଧାୟକ ପାଣ୍ଠି ବିନିଯୋଗ ହୋଇଥିବା କଥା ସ୍ବାଧୀନ ବିଧାୟକ ହିମାଂଶୁ ସାହୁ ଜାଣିବା ପରେ ଗତକାଲି ଲଟକା ମାରିଥିଲା ପ୍ରଶାସନ । ୩ ଦିନ ଭିତରେ ଖାଲି କରିବାକୁ କହିବା ପରେ ଆଜି ଗୋଟି ଗୋଟି ଖୋଲି ନିଆଯାଉଛି ଆସବାବପତ୍ର । ଖାଲି କରାଯାଉଛି ଢାବାକୁ । କର୍ମଚାରୀଙ୍କୁ ଲଗାଇ ହୋଟେଲ୍ ସାମଗ୍ରୀକୁ ସ୍ଥାନାନ୍ତର କରୁଛନ୍ତି ଢାବା ମାଲିକ ।

ଏଠି ପ୍ରଶ୍ନ, କାହା ଟଙ୍କାରେ ତିଆରି ହୋଇଛି ଏହି ଢାବା ? ସାଧାରଣ ଲୋକଙ୍କ ସ୍ବାର୍ଥରେ ଖର୍ଚ୍ଚ ହେଉଥିବା ଅର୍ଥ ଏଠି ବିନିଯୋଗ ହୋଇନି ତ ? ଗତ ଦୁଇ ଦିନ ଧରି ଗଣମାଧ୍ୟମରେ ବଲ୍ଲେ ବଲ୍ଲେ ଢାବାକୁ ନେଇ ଘନ ଘନ ଖବର ପ୍ରସାରଣ ସତ୍ତ୍ନେ କାହିଁକି ସାମ୍ନାକୁ ଆସି ସତ ଉଗାରୁ ନାହାଁନ୍ତି ଏଲିନା କିମ୍ବା ବିଜେଡି ନେତା ? ବଲ୍ଲେ ବଲ୍ଲେ ଢାବା ସହ ଲିଙ୍କକୁ ନେଇ ଝଡ଼ ଉଠୁଥିଲେ ବି କାହିଁକି ପ୍ରତ୍ୟକ୍ଷ ଭାବେ ଆଗକୁ ଆସି ପ୍ରତିକ୍ରିୟା ରଖୁନାହାଁନ୍ତି ଜିତୁ ଓରଫ ପ୍ରଣବ ବଳବନ୍ତରାୟ ?

ସେପଟେ ସାଂସଦ ବିଧାୟକ ପାଣ୍ଠିରେ ଢାବା ନିର୍ମାଣ କଥାକୁ ଖଣ୍ଡନ କରିଛନ୍ତି ଧର୍ମଶାଳା ବିଡ଼ିଓ । କହିଛନ୍ତି, କିଏ ଏହି ଢାବା କରିଛନ୍ତି, ତା’ର ତଦନ୍ତ କରାଯାଉଛି।

  • Reported by:
  • DEBASHISH MOHANTY , Gulam

OTV is now on Whatsapp

Join and get latest news update delivered to you via whatsapp

Join Now