• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପାଣ୍ଡିଆନଙ୍କ ବିରୋଧରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ଚାରିପାଞ୍ଜିରୁ ଗଲ । କିଛି ଏଭଳି ଘଟିଛି ମୟୂରଭଞ୍ଜ ଖୁଣ୍ଟା ବ୍ଲକରେ ବ୍ୟାଙ୍କ ମିତ୍ର ଥିବା ଭାରତୀ ସିଂଙ୍କ କ୍ଷେତ୍ରରେ । ଦୀର୍ଘ ୪ ବର୍ଷ ହେଲା ବ୍ୟାଙ୍କମିତ୍ର ଭାବେ କାମ କରୁଥିବା ଭାରତୀ, ଗତ ୧୧ ତାରିଖରେ ପିଏମଜିରେ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କ ପକ୍ଷରୁ ହୋଇଥିବା ଆନ୍ଦୋଳନରେ ସାମିଲ ହୋଇ ସରକାରୀ ବ୍ୟବସ୍ଥା ଓ ଫାଇଭ୍ ଟି ସଚିବଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ । ଆଉ ସେଥିପାଇଁ ଭିନ୍ନ ଆଲ ନେଇ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବାର ସେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ।

ମୁହଁ ଖୋଲିବାରୁ ଚାକିରି ଗୋଲ୍ ! ଏତେ ବହପ ! ସରକାର ତ ସରକାର ପୁଣି ଜଣେ ମହିଳା ବ୍ୟାଙ୍କ ମିତ୍ରଙ୍କ ମୁହଁରେ ପାଣ୍ଡିଆନ୍ ବିରୋଧୀ ଭାଷା ! ହଜମ ହେଲାନି, ଦେହରେ ଗଲାନି ! ସେଇଥିପାଇଁ ହେଲା କି ଚାକିରି ଖାଇବାର ବ୍ୟବସ୍ଥା ? 

ଏଇ ମାସ ୧୧ ତାରିଖ, ସ୍ଥାନ- ଲୋୟର ପିଏମ୍‌ଜି..ବର୍ଧିତ ଦରମା ଓ ସ୍ଥାୟୀ ଚାକିରି ଭଳି ବିଭିନ୍ନ ଦାବିରେ ସେଦିନ ରାଜଧାନୀର ରାଜରାସ୍ତାକୁ ଓହ୍ଲାଇଥିଲେ ହଜାର ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ । ଆଉ ଏଇଠି ନିଜ ପେଟପାଟଣାର ଦୁଃଖ, ନିଜ ଅଧିକାର, ତାଙ୍କ ଭଳି ହଜାର ହଜାର ବ୍ୟାଙ୍କ ମିତ୍ରଙ୍କ ହକ୍ କଥା କହିବାକୁ ଯାଇ ସରକାରଙ୍କୁ ସମାଲୋଚନା କହିଦେଇଥିଲେ ଭାରତୀ । ସରକାର ବାହାଦୂରଙ୍କ ନାଁ ନେଇଥିଲେ। ଖାସ କରି ଫାଇଭ୍ଟ ସଚିବଙ୍କ ବିରୋଧରେ କହିଦେଲେ । ତାହା ପୁଣି ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ।

ଭିଡିଓଟି ନିଆଁ ଭଳି ମୋବାଇଲରୁ ମୋବାଇଲ୍ ଭାଇରାଲ ହେଇଗଲା । ସୋସିଆଲ୍ ମିଡିଆରେ ନାନା ଚର୍ଚ୍ଚା ହେଲା । ଆଉ ଭୁବନେଶ୍ୱରରୁ ଖୁଣ୍ଟା ଫେରୁ ନ ଫେରୁଣୁ ଭାରତୀଙ୍କ ବିରୋଧରେ ଆରମ୍ଭ ହୋଇଗଲା ବ୍ୟବସ୍ଥାର ଆକ୍ସନ୍ ପର୍ବ । ବ୍ୟବସ୍ଥା ଦେହରେ ଜଖମ୍ ଏମିତି ଲାଗିଲା ଯେ ମାତ୍ର ୬ ହଜାର ଟଙ୍କା ଦରମାରେ ପରିବାର ଚଳାଉଥିବା ଭାରତୀଙ୍କ ଚାକିରି ନେବାର ଉଦ୍ୟମ ହେଲା ।

ଭାରତୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ବସେଇ ମିଟିଂ ହେଲା । କାହିଁକି ପାଣ୍ଡିଆନଙ୍କ ନାଁ ନେଲ ବୋଲି କୁହାଗଲା । ଭୁଲରେ କହି ଦେଇଛି, ଆଉ ଏପରି କହିବିନି ବୋଲି କହିବା ସତ୍ତ୍ବେ ବି ୧୫ ତାରିଖରେ ଖୁଣ୍ଟା ମିଶନ ଶକ୍ତି ଗୃହରେ ବସିଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ ବାହାରିଗଲା ଭାରତୀଙ୍କୁ ବହିଷ୍କାର ନୋଟିସ୍ ।

ଭାରତୀଙ୍କୁ ବହିଷ୍କାର ନୋଟିସରେ ଲେଖାଯାଇଛି ବ୍ୟାଙ୍କମିତ୍ର ଦିଦିଙ୍କ କାର୍ଯ୍ୟକଳାପ ଭଲଲାଗୁନି । ବ୍ୟାଙ୍କମିତ୍ର ଦିତି ଫିଲ୍ଡକୁ ଯାଉ ନାହାନ୍ତି । ଅନୁପସ୍ଥିତ ରହୁଛନ୍ତି । ଏମିତି କେତେ ଅଭିଯୋଗ । ହେଲେ ବଡ଼ କଥା ହେଉଛି ଇଏ ସେହି ବ୍ୟାଙ୍କମିତ୍ର ଭାରତୀ, ଭଲ କାମ ପାଇଁ ଦୁଇ ଦୁଇଥର ବ୍ଲକ୍ ଓ ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଛନ୍ତି । କୋଭିଡ୍ ସମୟରେ ନିଜ ସ୍ୱଳ୍ପ ଦରମା ଟଙ୍କା ରେଡକ୍ରସ ପାଣ୍ଠିକୁ ଦେଇ ଉଦାହରଣ ସାଜିଛନ୍ତି ।

ହେଲେ ୪ ବର୍ଷ କାଳ ବ୍ୟାଙ୍କ ମିତ୍ର ଭାବେ ନିୟୋଜିତ ହୋଇ ମହିଳାଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବାର ମଙ୍ଗ ଧରିଥିବା ଭାରତୀ ଦିନଟିଏ ଭିତରେ କେମିତି ଖରାପ ହେଇଗଲେ ତାକୁ ନେଇ ପ୍ରଶ୍ନ ଉଠାଇଛି ବ୍ୟାଙ୍କ ମିତ୍ର ସଂଘ । ଏଥିସହ ସଂଘ ପକ୍ଷରୁ ଆଜି ମିଶନ୍ ଶକ୍ତି ଜିଲ୍ଲା ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଭେଟି ନିଷ୍ପତ୍ତିର ପ୍ରତ୍ୟାହାର ପାଇଁ ଦାବି କରାଯାଇଛି ।

ଭାରତୀଙ୍କୁ ବହିଷ୍କାରର କାରଣ ଯାହା ଦର୍ଶାଯାଇଥାଉ ନା କାହିଁକି, ଆନ୍ଦୋଳନରେ ସରକାରୀ ବ୍ୟବସ୍ଥା ଉପରେ ମୁହଁ ଖୋଲିବା ପରେ ହିଁ ତାଙ୍କ ଭଳି ଜଣେ ସ୍ୱଳ୍ପ ବେତନଭୋଗୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଚର୍ଚ୍ଚା ସୃଷ୍ଟି କରିଛି । ତାହା ପୁଣି ମିଶନ୍ ଶକ୍ତି ଭଳି ମହିଳା ସଶକ୍ତିକରଣ କଥା କହୁଥିବା ବିଭାଗ  ଅଧିନରେ ।

  • Reported by:
  • MANIK Lal PANI