• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ । ବିଧାନସଭା ନିର୍ବାଚନରେ ଆପର ଶୋଚନୀୟ ପରାଜୟ ପରେ ମୁଖ୍ୟମନ୍ତ୍ରୀ ଆତିଶୀ ଆଜି ବିଧିବଦ୍ଧ ଭାବେ ଇସ୍ତଫା ଦେଇଛନ୍ତି । ସେ  ଆଜି ସକାଳ ୧୧ଟାରେ ରାଜଭବନରେ ପହଞ୍ଚି ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । 

ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ଐତିହାସିକ ବିଜୟ ସହ ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ ସରକାର ଗଢିବାକୁ ଯାଉଛି । ଦିଲ୍ଲୀ ବିଧାନସଭାର ୭୦ ଆସନରୁ ବିଜେପି ୪୮ ଆସନ ଦଖଲ କରିଛି । ଆପକୁ ମାତ୍ର ୨୨ଟି ଆସନ ମିଳିଛି । ସର୍ବପୁରାତନ ଜାତୀୟ ଦଳ କଂଗ୍ରେସ ଶୂନ୍ୟ ଆସନ ସହ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି ।  ତେବେ ବିଜୟ ପରେ ବିଜେପି ପକ୍ଷରୁ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନାମ ନେଇ କିଛି ଘୋଷଣା ହୋଇନାହିଁ ।

ଅଧିକ ପଢନ୍ତୁ:  ଫେଲ୍ ହୋଇଗଲା କେଜ୍ରିୱାଲଙ୍କ ଦିଲ୍ଲୀ ମଡେଲ୍, କ'ଣ ହେବ କେଜ୍ରିୱାଲଙ୍କ ଭବିଷ୍ୟତ?

ଏହାରି ମଧ୍ୟରେ ଆଜି ଆତିଶୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦିନ ୧୧ଟାରେ ସେ ରାଜଭବନରେ ପହଞ୍ଚିଥିଲେ । ସେଠାରେ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଭେଟିଥିଲେ ଏବଂ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଆତିଶୀଙ୍କ ଇସ୍ତଫା ପରେ ଉପରାଜ୍ୟପାଳ ଦିଲ୍ଲୀ ବିଧାନସଭା ଭଙ୍ଗ କରିବାକୁ ନୋଟିଫିକେସନ ଜାରି କରିଛନ୍ତି । ଆତିଶୀ ୩୫୦୦ ଭୋଟ ବ୍ୟବଧାନରେ ରମେଶ ବିଧୁରୀଙ୍କୁ ହରାଇ କାଲକାଜି ଆସନରୁ ବିଜୟୀ ହୋଇଛନ୍ତି । 

ମଦ ଦୁର୍ନୀତିରେ ଜେଲ୍ ଯାଇଥିବା ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ AAP ନେତ୍ରୀ ଆତିଶୀ ଦିଲ୍ଲୀର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । କିନ୍ତୁ ସେ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବାକୁ ଭୁଲି ନଥିଲେ । ନିଜେ ଏକ ଚେୟାରରେ ବସିଥିବା ବେଳେ ନିଜ ସାଇଡ୍‌ରେ ଅରବିନ୍ଦ କେଜ୍ରିୱାଲ ବସୁଥିବା ଚେୟାର ରଖିଥିଲେ ।

ଏପରି ଭାବେ ସେ ନିଜର ଆନ୍ତରିକତା ତଥା ଆନୁଗତ୍ୟ କେଜ୍ରିୱାଲଙ୍କ ପ୍ରତି ପ୍ରଦର୍ଶନ କରିଥିଲେ । ତେବେ ଏ ଘଟଣା ସମ୍ପର୍କରେ ଆତିଶୀ କହିଥିଲେ, ସେ ହେଉଛନ୍ତି ଭରତ । ପ୍ରଭୁ ରାମଙ୍କ ଅନୁପସ୍ଥିତିରେ ସେ ଶାସନ ଭାର ସମ୍ଭାଳିଛନ୍ତି । ରାମ ଫେରିବା ପରେ ସେ ପୁନଶ୍ଚ ଶାସନ ଭାର ସମ୍ଭାଳିବେ । କିନ୍ତୁ ବିଧାନସଭା ନିର୍ବାଚନ ଫଳାଫଳ ସହ ଆପର ଏକ ଦଶନ୍ଧିର ଶାସନର ପତନ ଘଟିଛି । ସେ ଯାହାଙ୍କୁ ରାମ ବୋଲି କହୁଥିଲେ, ସେ ଆଉ ଶାସନକୁ ଫେରି ପାରିନାହାନ୍ତି । 

ଅଧିକ ପଢନ୍ତୁ: ଦିଲ୍ଲୀ ଦରବାରକୁ ଦଖଲ ପାଇଁ କି ରଣନୀତି ଆପଣାଇଥିଲା BJP ? 

 

OTV is now on Whatsapp

Join and get latest news update delivered to you via whatsapp

Join Now