• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୪ ରାଜ୍ୟର ଫଳାଫଳ ଆସିବା ପରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ମ୍ୟାଜିକ୍ ନମ୍ବର ୧୧୬ଠୁ ଢେର ଆଗକୁ ଯାଇ ବୃହତ୍ ସଫଳତା ହାସଲ କରିଛି ବିଜେପି । କଂଗ୍ରେସକୁ ଗତ ଥର ତୁଳନାରେ ୫୦ରୁ ଅଧିକ ସିଟ୍ ହରାଇବାକୁ ପଡିଛି । ଏସବୁ ଭିତରେ ପ୍ରଶ୍ନ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ରହିବେ ନା ଆଉ କିଏ ହେବେ ? ଶିବରାଜଙ୍କ ସହ କୈଳାସ ବିଜୟବର୍ଗିଆ, ଜ୍ୟୋତିରାଦିତ୍ୟା ସିନ୍ଧିଆ ଓ ନରେନ୍ଦ୍ର ସିଂ ତୋମର ନାଁକୁ ନେଇ ବି ଚର୍ଚ୍ଚା ଚାଲିଛି ।

ତେବେ ଦଳ ଯାହାକୁ ଚାହିଁବ ସେ ହିଁ ଦାୟିତ୍ୱ ନେବ ବୋଲି କହୁଛନ୍ତି ନେତା । ରାଜସ୍ଥାନରେ ପଦ୍ମ ଫୁଟିବା ପରେ ଏବେ କଳ୍ପନାଜଳ୍ପନା- କିଏ ପିନ୍ଧିବ ମୁଖ୍ୟମନ୍ତ୍ରୀ ମୁକୁଟ ? କାହାକୁ ସିଏମ୍ ଚୌକିରେ ବସାଇବ ବିଜେପି ? ବିଜେପି କୌଣସି ନେତାଙ୍କୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସ୍ପଷ୍ଟ କରିନଥିବାରୁ, ଏବେ ରେସରେ ଅତିକମରେ ୫ ଜଣ ନେତାଙ୍କ ନାଁ ଚର୍ଚ୍ଚା ହେଉଛି । ସେମାନେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ସାଂସଦ ମହନ୍ତ, ବାଲକନାଥ, ସାଂସଦ ଦୀୟା କୁମାରୀ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତେବେ ବସୁନ୍ଧରା ରାଜେଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱ ଏତେଟା ସନ୍ତୁଷ୍ଟ ନଥିବା କୁହାଯାଉଛି ।

ତେଣୁ ନୂଆ ଚେହେରା ଭାବେ ଚର୍ଚ୍ଚାରେ ସବୁଠୁ ଆଗରେ ଅଛନ୍ତି ମହନ୍ତ ବାଲକନାଥ ଓରଫ୍ ରାଜସ୍ଥାନର 'ଯୋଗୀ ଆଦିତ୍ୟନାଥ'। ଆଉ ଜଣେ ଚର୍ଚ୍ଚିତ ନୂଆ ଚେହେରା ହେଉଛନ୍ତି ରାଜସମନ୍ଦର ଏମପି ତଥା ଏଥର ବିଦ୍ୟାଧରନଗରରୁ ବିଧାନସଭା ନିର୍ବାଚନ ଜିତିଥିବା ଦୀୟା କୁମାରୀ । ଜଣେ ମହିଳା ଓ ରାଜ ପରିବାର ଦୃଷ୍ଟିରୁ ସେ ମୁଖ୍ୟମନ୍ତ୍ରୀ ଭାବେ ବସୁନ୍ଧରାଙ୍କ ବିକଳ୍ପ ଭାବେ ଉଭା ହୋଇପାରନ୍ତି । କେବଳ ଏମାନେ ନୁହଁନ୍ତି, ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଦୁଇ ଯୋଧପୁରୀ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ବି ମୁଖ୍ୟମନ୍ତ୍ରୀ ଆଶାୟୀ ଭାବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଛତିଶଗଡରେ ବିଜେପି ସରକାରକୁ ଆସିବା ପରେ ଆରମ୍ଭ ହୋଇଛି ସିଏମ୍ ପାଇଁ ରେସ୍ । ଆଉ ଏହି ରେସରେ ସବୁଠୁ ଆଗରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ । ସେପଟେ ତେଲେଙ୍ଗାନାରେ କଂଗ୍ରେସର ବିଜୟ ପରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗରେ ଅଛନ୍ତି ପିସିସି ସଭାପତି ରେବନ୍ତ ରେଡ୍ଡୀ ।