• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସନ୍ତାକାଲି ଛତିଶଗଡ଼ ବିଧାନସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ସରିଛି ପ୍ରଚାର । ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନରେ ମତଦାନ କରିବେ ଭୋଟର୍ । ଅବିଭକ୍ତ ବସ୍ତର ଓ ରାଜନନ୍ଦଗାଓ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ, ଭୋଟିଂ ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବସ୍ତର, ଦାନ୍ତେୱାଡ଼ା, କାଙ୍କେର୍ ଓ କୋଣ୍ଡାଗାଓଁ ଆଦି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ପୋଲିସ ସମେତ ସଶସ୍ତ୍ର ବାହିନୀ, ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ, ଜିଏସଟି ବିଭାଗ ପକ୍ଷରୁ ଚେକିଂ କଡ଼ାକଡ଼ି କରାଯାଇଛି । ଗାଡ଼ି ଗୁଡ଼ିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ସୁରକ୍ଷା ବ୍ୟବସ୍ଥା ସହ ସ୍ବଚ୍ଛ ମତଦାନ ସଂପର୍କରେ ବସ୍ତର SP ଜିତେନ୍ଦ୍ର ସିଂହ ମୀନା ଓ ଜିଲ୍ଲାପାଳ ବିଜୟ ଦୟାରାମଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।

ଏଥିରେ ବସ୍ତର, ଜଗଦଲପୁର ଓ ଚିତ୍ରୋକୋଟର ସମସ୍ତ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଏହାପରେ ଜଗଦଲପୁର ସମେତ ଆଖପାଖ ଅଞ୍ଚଳରେ SP ଓ ଜିଲ୍ଲାପାଳଙ୍କ ସମେତ ପୋଲିସ ଓ ସଶସ୍ତ୍ର ବାହିନୀର ଫ୍ଲାଗ ମାର୍ଚ୍ଚ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅନ୍ୟପଟେ ଗତକାଲି କଂଗ୍ରେସ ଛତିଶଗଡ଼ରେ ଏହାର ନିର୍ବାଚନୀ ଘୋଷଣାପତ୍ର ଆଣି ମତଦାତାଙ୍କୁ ଖୁସି କରିବା ଲାଗି ଚେଷ୍ଟା କରିଛି । ଆସନ୍ତା ୧୭ରେ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ । ତେବେ ଡିସେମ୍ବର ୩ ରେ ଭୋଟ ଗଣତି ହେବ ବୋଲି ଜଣା ପଡ଼ିଛି ।

କଂଗ୍ରେସ ପୁଣି କ୍ଷମତାକୁ ଆସିଲେ କ୍ବିଣ୍ଟାଲ ପିଛା ୩୨୦୦ ଟଙ୍କାରେ ଧାନ କିଣା ଯିବ ବୋଲି ଘୋଷଣା କରିଛି । ଏହା ସହ ସମସ୍ତ ଉପଭୋକ୍ତାଙ୍କୁ ମାସିକ ୨୦୦ ୟୁନିଟ ମାଗଣାରେ ଦିଆଯିବ । କୃଷି ଋଣ ମଧ୍ୟ ଛାଡ କରାଯିବ । ଏକର ପିଛା ୨୦ କ୍ବିଣ୍ଟାଲ ଧାନ କ୍ରୟ କରାଯିବ । ସିଲିଣ୍ଡର ପିଛା ୫୦୦ ଟଙ୍କା ସବସିଡି ମାଗଣାରେ ମିଳିବ । ଏପରି ଅନେକ ମନଲୋଭା ଯୋଜନା ନିଜ ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛି ।