• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କୋରାପୁଟ: ଓଡ଼ିଶା ମାଟିରେ ଆନ୍ଧ୍ରର ରାଜୁତି। ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବି ଆନ୍ଧ୍ର ସରକାର ଅନାୟାସରେ କୋଟିଆର ସୀମାନ୍ତ ଗାଁର ନିରୀହ ଆଦିବାସୀଙ୍କୁ ବିଭିନ୍ନ ସ୍କିମ୍ ଦ୍ୱାରା ପ୍ରଲୋଭିତ କରିବାକୁ ଜାରି ରଖିଛନ୍ତି ନିରନ୍ତର ପ୍ରୟାସ। ଆମ ନ୍ୟୁଜଟିମ୍‌ ପଞ୍ଚାୟତ ନିର୍ବାନ କଭରେଜ୍ ପାଇଁ କୋଟିଆ ପଂଚାୟତର ତଳ ଗଂଜେଇପଦର ଗାଁରେ ପହଞ୍ଚିଲା ବେଳକୁ ଆନ୍ଧ୍ରର ଏକ ଟିମ୍ ସହ ମୁହାଁମୁହିଁ ହୋଇଥିଲା। ପଚାରିଲା ବେଳକୁ ତେଲୁଗୁ ଭାଷାରେ ସେମାନେ କହିଲେ ଏହା ଏକ ବିବାଦୀୟ ଅଞ୍ଚଳ, ଆମେ ସରକାରୀ କାମ କରିବାକୁ ଆସିଛୁ  ଏଥିରେ ଅସୁବିଧା କଣ?

କଥା କେବଳ ଏଇଠି ସରୁନି, ତଳଗଂଜେଇପଦରର ଅନେକ ଗାଁରେ ଆନ୍ଧ୍ର ସରକାର ଘର ନମ୍ବରିଂ କରିବା ସହ ଫଳକ ବି ଲଗାଇଛନ୍ତି। ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ବାଣ୍ଟିଛନ୍ତି। ବାର୍ଦ୍ଧକ୍ୟ ଭତ୍ତାରେ ମାସକୁ ୨୨୫୦ ଟଙ୍କା ସହ ରାସନ ସାମଗ୍ରୀରେ ଚାଉଳ ସାଙ୍ଗକୁ ଡାଲି, ତେଲ, କିରାସିନି ଘର ଦୁଆରେ ପହଞ୍ଚାଇବାର  ବ୍ୟବସ୍ଥା କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା କଥା ସେମାନଙ୍କୁ ଓଡ଼ିଶା ପଟୁ କେବଳ ମୁଣ୍ଡ ପିଛା ୫ କେଜି ଚାଉଳ ମିଳୁଛି। ମୋଟାମୋଟି ଓଡ଼ିଶା କମ୍ ଦେଉଛି, ଆନ୍ଧ୍ର ବେଶି ଦେଉଛି। 

କେବଳ ବିଭିନ୍ନ ଯୋଜନାରେ ସାମିଲ କରିବା ନୁହେଁ, ମୌଳିକ ସୁବିଧା ଯୋଗାଇ ଦେବାରେ ବି ଆନ୍ଧ୍ରର ଛାପ କୋଟିଆର ସୀମାନ୍ତ ଗାଁରେ ଦେଖିବାକୁ ମିଳିବ। ଯେମିତି ତାଡ଼ିବାଲ୍ସା ଗାଁରେ ଆନ୍ଧ୍ର ଦ୍ୱାରା ନିର୍ମିତ ପାନୀୟ ଜଳ ପ୍ରକଳ୍ପ, ଏପରିକି ଅଙ୍ଗନବାଡ଼ି କେନ୍ଦ୍ର ବି ରହିଛି। ଏଇ ଗାଁରେ ଆମ ଟିମ୍ ପହଞ୍ଚିଲା ବେଳକୁ ଆନ୍ଧ୍ରର ଚାଉଳବଣ୍ଟା ଗାଡ଼ିକୁ ଦେଖିବାକୁ ପାଇଲୁ।   

କୋଟିଆର ଧୂଳିପଦର ଗାଁରେ ତ ଆନ୍ଧ୍ର ପକ୍ଷରୁ ଚକାଚକ୍ ପ୍ରାଥମିକ ବିଦ୍ୟାଳୟ ଚାଲିଛି। ଶହେ ମିଟର ଦୂରରେ ଏହି ଟିଣଛପର ଘରେ ଓଡ଼ିଶାର ପ୍ରାଥମିତ ସ୍କୁଲ୍ ବି ଚାଲିଛି। ଗାଁରେ ଆନ୍ଧ୍ର ମାଗଣା ବିଜୁଳି ଯୋଗାଣର ବ୍ୟବସ୍ଥା କରିଛି, ତ ଓଡ଼ିଶା ପକ୍ଷରୁ ସୌର ଆଲୋକ ଷ୍ଟ୍ରିଟ୍ ଲାଇଟ୍ ଲାଗିଛି। ଗାଁରେ ଆନ୍ଧ୍ର ଡ୍ରେନ୍, କଂକ୍ରିଟ୍ ରାସ୍ତା ବ୍ୟବସ୍ଥା ବି କରିଛି। ସ୍ଥାନୀୟ ସରଳ ଆଦିବାସୀ ସୀମା ବିବାଦକୁ ବୁଝନ୍ତିନିି, ତେଣୁ ଯେଉଁ ସରକାର ଯାହା ଦେଲେ ଉଭୟକୁ ଗ୍ରହଣ କରୁଛନ୍ତି। ସୀମା ବିବାଦକୁ ନେଇ ଉଭୟ ରାଜ୍ୟର ଟଣାଓଟରା ଭିତରେ ଫଗୁଣସିନେରୀ ଓ ଫାଟୁସିନେରୀ ରାସ୍ତାରେ ଗଲା ବେଳକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କର ଏଭଳିି ବିରାଟ ପୋଷ୍ଟର ସବୁ ଲାଗିଛି।

କୋଟିଆରେ ରାସ୍ତା ନିର୍ମାଣ, ସ୍କୁଲ୍, ଡାକ୍ତରଖାନା, ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଭଳି ଅନେକ କିଛି ପଦକ୍ଷେପ ଓଡ଼ିଶା ସରକାରଙ୍କ ପକ୍ଷରୁ ବି ନିକଟରେ ଗ୍ରହଣ କରାଯାଇଛି କିନ୍ତୁ ଯେହେତୁ ଆନ୍ଧ୍ର ସିଧାସଳଖ ଲୋକଙ୍କ ବିଭିନ୍ନ ସ୍କିମ୍‌ରେ ଯୋଡ଼ି ଲୋକଙ୍କ ଜୀବନଧାରଣ ଉନ୍ନତ କରିବାରେ ଲାଗିଛି, ସମର୍ଥନ ବି ଢଳୁଛି।

ରିପୋର୍ଟ: ଟି. ଗୌରୀଶଙ୍କର, ସୂର୍ଯ୍ୟନାରାୟଣ ପଣ୍ଡା ଓ ରାଧାମାଧବ ମିଶ୍ର