• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବହୁ ବାଦ ବିବାଦ, ଆରୋପ ପ୍ରତ୍ୟାରୋପ ପରେ ଶେଷରେ ପିଏମ୍ ଆବାସ ଯୋଜନାରେ ଘର ବଣ୍ଟନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । କେନ୍ଦ୍ର ମଂଜୁର କରିଥିବା ପ୍ରାୟ ୯ଲକ୍ଷ ୫୦ ହଜାର ଘର ଲାଗି କାର୍ଯ୍ୟଦେଶ ବାଣ୍ଟିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଥିପାଇଁ ଅନଲାଇନରେ ଦିଆଯିବ କାର୍ଯ୍ୟାଦେଶ। ସେପଟେ କାଳେ ଆବାସ ବଣ୍ଟନରୁ ମୋଦି ସରକାର ମାଇଲେଜ୍ ନେଇଯିବେ, ସେଥିପାଇଁ ଆସନ୍ତାକାଲିଠାରୁ ମୋ ଘର ଯୋଜନାରେ ଆବେଦନ ଗ୍ରହଣ କରିବେ ରାଜ୍ୟ ସରକାର । ଯାହାକୁ ନେଇ ପୁଣି ତେଜିଛି ରାଜନୀତି ।

ପୁଣି ତେଜିଲା ବିଜେଡି-ବିଜେପି ଘର କଳି । ପ୍ରଧାନମନ୍ତ୍ରୀ ଆବାସ ବନାମ୍ ମୋ ଘର ଯୋଜନା । ଟାର୍ଗେଟରେ ଗ୍ରାମାଂଚଳ ଭୋଟ୍ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗତ ଜାନୁୟାରୀରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ମଂଜୁର କଲେ ସାଢେ ୯ଲକ୍ଷ ଘର । କିନ୍ତୁ ଏପର୍ଯ୍ୟନ୍ତ ଘର ବାଣ୍ଟି ପାରି ନାହାନ୍ତି ରାଜ୍ୟ ସରକାର । ହିତାଧିକାରୀ ଚୟନ ଆଳରେ ସମୟ ଗଡ଼େଇ ଚାଲିଛି ପଂଚାୟତିରାଜ ବିଭାଗ ।

ବହୁ ବାଦ ବିବାଦ ଓ ପ୍ରବଳ ଚାପ ପରେ ଶେଷରେ ଆରମ୍ଭ ହୋଇଛି ଆବାସ ଘର ବଣ୍ଟନ ପ୍ରକ୍ରିୟା । କାର୍ଯ୍ୟାଦେଶ ବାଣ୍ଟିବାକୁ ବିଡିଓମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ତେବେ ଏହା ପୂର୍ବରୁ ଉପଯୁକ୍ତ ଯାଂଚ ସହ ସମସ୍ତ କାମ ସାରିବାକୁ କୁହାଯାଇଛି । ପ୍ରଥମେ ପ୍ରତ୍ୟେକ ହିତାଧିକାରୀଙ୍କୁ ଟ୍ୟାଗିଂ କରାଯିବ, ଏହାପରେ ଯୋଗ୍ୟ ହିତାଧିକାରୀ ନା ନାହିଁ ପୁଣି ଥରେ ଯାଂଚ ହେବ । ଅନଲାଇନରେ ଅର୍ଥାତ ପଂଜୀକୃତ ମୋବାଇଲ୍ ନମ୍ବରରେ କାର୍ଯ୍ୟାଦେଶ ପ୍ରଦାନ କରାଯିବ ।

ତେବେ ଆବାସ ଘର ବଣ୍ଟନ ବେଳେ କାଳେ ମୋଦି ସରକାର ମାଇଲେଜ୍ ନେଇଯିବେ ତାକୁ କାଉଣ୍ଟର କରିବାକୁ ଆସନ୍ତକାଲିଠାରୁ ରାଜ୍ୟ ସରକାରଙ୍କ ମୋ ଘର ଯୋଜନାରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ଯାହାକୁ ନେଇ ଦୋଷ ଲଦାଲଦି ହୋଇଛନ୍ତି ବିଜେପି-ବିଜେଡି । ମୋ ଘର ଯୋଜନାରେ ଋଣ ସବସିଡି ମାଧ୍ୟମରେ ରାଜ୍ୟ ସରକାର ଘର ପ୍ରଦାନ କରିବେ । ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବର୍ଗ ଏହାର ଲାଭ ଉଠାଇପାରିବେ । 

ଏହି ସ୍କିମ୍ ଦ୍ୱାରା ନୂଆ ଘର ନିର୍ମାଣ ବ୍ୟତୀତ ପୁରୁଣା ଘରର ଉନ୍ନତୀକରଣ, ସଂପ୍ରସାରଣ, ଅସମ୍ପୂର୍ଣ୍ଣ ଘରକୁ ସଂପୂର୍ଣ୍ଣ କରିବା ପାଇଁ ସୁବିଧା ରହିଛି । ଏଥିପାଇଁ  ଆସନ୍ତାକାଲିଠାରୁ ଆର୍ .ଏଚ୍. ପୋର୍ଟାଲରେ ଆବେଦନ କରାଯାଇପାରିବ । ପଂଜୀକରଣ ପାଇଁ ଆଧାର ନମ୍ବର, ମୋବାଇଲ୍ ନମ୍ବର ସମେତ ଅନ୍ୟାନ୍ୟ ଡକୁମେଣ୍ଟ ଦାଖଲ କରିବାକୁ ପଡିବ। ଫର୍ମ ଦାଖଲ ପରେ ଏହାକୁ ପଂଚାୟତ ଟ୍ୟାଗିଙ୍ଗ ଅଫିସର୍ ଓ ଜେଇ ଯାଂଚ କରିବେ । ବିଡିଓଙ୍କ ଅନୁମୋଦନ ମିଳିବା ପରେ ବ୍ୟାଙ୍କକୁ ଲୋନ୍ ପାଇଁ ପଠାଯିବ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପୂର୍ବରୁ କେନ୍ଦ୍ର ରାଜ୍ୟ ମଧ୍ୟରେ ତୁ ତୁ ମେ ମେ ହୋଇଥିଲା । ବିଜେଡି ଦଳୀୟ ଆଧାରରେ ହିତାଧିକାରୀ ଚୟନ କରୁଛି ବୋଲି ଅଭିଯୋଗ ଆସିଥିଲା। ଏବେ ମୋ ଘର ଯୋଜନାରେ ପ୍ରକୃତ ହିତାଧିକାରୀ ଉପକୃତ ହୋଇପାରୁଛନ୍ତି ନା ନାହିଁ ତା ଉପରେ ନଜର ରହିବ ।

  • Reported by:
  • RASHMIRANJAN DAS , HARIHARA CHAND , Ajit Das