• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉତ୍ତର ପ୍ରଦେଶରେ ଆଜି ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ସମାଜବାଦୀ ପାର୍ଟି ଶୋଭାଯାତ୍ରାକୁ ନେଇ ହଙ୍ଗାମା । ବିଭିନ୍ନ ପ୍ରସଙ୍ଗରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଆଜି ବିଶାଳ ଶୋଭାଯାତ୍ରା ଆରମ୍ଭ କରିଥିଲେ । ତେବେ ଅଧା ବାଟରେ ଏହାକୁ ଅଟକାଇଥିଲା ଉତ୍ତର ପ୍ରଦେଶ ପୋଲିସ୍ । ବିକ୍ଷୋଭ ଶୋଭାଯାତ୍ରା ପାଇଁ ସମାଜବାଦୀ ପାର୍ଟିକୁ ଅନୁମତି ନଥିବାରୁ ପୋଲିସ ସେମାନଙ୍କୁ ଅଟକାଇଥିଲା ।

ଆଜି ଅଖିଲେଶ ଯାଦବ ଓ ସମାଜବାଦୀ ପାର୍ଟିର ଶତାଧିକ କର୍ମୀ ହାତରେ ବିଭିନ୍ନ ପ୍ରକାରର ଫ୍ଲାକାର୍ଡ ଧରି ବିଶାଳ ପ୍ରତିବାଦ ଶୋଭାଯାତ୍ରାରେ ବାହାରିଥିଲେ । ସେମାନେ ବିଧାନ ଭବନ ଅଭିମୁଖେ ଯିବାର ଥିଲା । ତେବେ ଆନ୍ଦୋଳନ ସ୍ଥଳଠୁ ମାତ୍ର ଅଳ୍ପ ଦୂର ଯାଇଥିବା ବେଳେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା । ସମାଜବାଦୀ ପାର୍ଟିକୁ ରାସ୍ତା ପରିବର୍ତ୍ତନ କରି ବିକ୍ଷୋଭ କରିବାକୁ ପୋଲିସ ପରାମର୍ଶ ଦେଇଥିଲା । ହେଲେ ସେମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ । ଅଖିଲେଶଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ରାସ୍ତା ଉପରେ ବସି ବିରୋଧ ପ୍ରଦର୍ଶନ କରିଥିଲେ ।

ସମାଜବାଦୀ ପାର୍ଟିର କର୍ମୀ ଓ ନେତାମାନେ ଦଳୀୟ ଅଫିସରୁ ବାହାରି ରାଜଭବନ ଓ ଜେନେରାଲ ପୋଷ୍ଟ ଅଫିସ ସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତି ଦେଇ ବିଧାନ ଭବନ ଯିବାକୁ ଯୋଜନା ରଖିଥିଲେ । ହେଲେ ପୋଲିସ ଅଟକାଇବା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିକ୍ଷୋଭ କରି ସମସ୍ତେ ଦଳୀୟ ଅଫିସକୁ ଫେରିଥିଲେ । ପଦଯାତ୍ରା ପାଇଁ ଅନୁମତି ନ ମିଳିବାରୁ ୧୧୧ଜଣ ବିଧାୟକ ଓ ୯ ବିଧାନ ପରିଷଦ ସଦସ୍ୟ ସ୍ୱଳ୍ପ ସମୟ ଧାରଣାରେ ବସି ମୁଖ୍ୟାଳୟକୁ ଫେରିଯାଇଥିଲେ । ଦଳ ପକ୍ଷରୁ ବିକ୍ଷୋଭ ବେଳର ଭିଡିଓ ଜାରି କରାଯାଇ ବିଜେପି ଗଣତନ୍ତ୍ରକୁ ହତ୍ୟା କରିଥିବା କୁହାଯାଇଛି ।

ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟିକୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଯେକୌଣସି ରାଜନୀତିକ ଦଳ ଗଣତାନ୍ତ୍ରିକ ଉପାୟରେ ପ୍ରଶ୍ନ କଲେ କିଛି ବି ଅସୁବିଧା ନାହିଁ । ସମାଜବାଦୀ ପାର୍ଟି ଯେକୌଣସି ଶୋଭାଯାତ୍ରା ପାଇଁ ପ୍ରଥମେ ଅନୁମତି ନେବା ଦରକାର । ସେହିପରି ସେମାନଙ୍କ ଶୋଭାଯାତ୍ରା ଯୋଗୁ କାହାର ଯେମିତି କ୍ଷତି ନ ହେବ, ସେକଥା ମଧ୍ୟ ଚିନ୍ତା କରିବା ଉଚିତ । ତେବେ ସମାଜବାଦୀ ପାର୍ଟିଠାରୁ ଅଧିକ ଆଇନ ଓ ଶୃଙ୍ଖଳା ଆଶା କରିବା ମଧ୍ୟ ଠିକ ନୁହେଁ ।