ଭୋଟ୍‌ ସରିଲା, ବିଡିଓଙ୍କ ଗୋଡ଼ ତଳେ ପଡ଼ି ନେହୁରା ହେଲେ ପ୍ରାର୍ଥୀ ! ହେଲେ କାହିଁକି ?

ଗଞ୍ଜାମ ଜିଲ୍ଲାରୁ ଆସିଛି ଆଉ ଏକ ହୃଦୟ ବିଦାରକ ଦୃଶ୍ୟ । ଏଠାରେ ଭୋଟ ଗ୍ରହଣ ସରିଥିବା ବେଳେ ଷ୍ଟ୍ରଙ୍ଗ ରୁମ୍‌ରେ ତାଲା ପଡ଼ିଛି ପ୍ରାର୍ଥୀଙ୍କ ଭାଗ୍ୟ । ଆଉ ବିଡିଓଙ୍କ ଗୋଡ଼ ତଳେ ପଡ଼ି ନେହୁରା ହେଉଛନ୍ତି ପ୍ରାର୍ଥୀ । ଆପଣ ଚିନ୍ତା କରୁଥିବେ ଷ୍ଟ୍ରଙ୍ଗ ରୁମ୍‌ରେ ତ ଭୋଟ ବାକ୍ସ ରହିଲା ।

Panchayat Election

ଥମୁନି ବିବାଦ.. ଥମୁନି ହିଂସାକାଣ୍ଡ । ଏଥର ପଞ୍ଚାୟତ ନିର୍ବାଚନ ସ୍ଥିତି ନ କହିବା ଭଲ । ହତ୍ୟା, ଗଣ୍ଡଗୋଳ, ମାରପିଟ୍, ଭୋଟ ବାକ୍ସ ଲୁଟ୍, ବୁଥ୍‌ ରିଗିଂ, ବୁଥ୍‌ କ୍ୟାପ୍‌ଚରିଂ ଭଳି ଏମିତି ଅନେକ ବେଆଇନ୍‌ କାର୍ଯ୍ୟ ଏଥର ଦେଖିବାକୁ ମିଳିଛି । ଆଉ ସବୁଠୁ ଆଗରେ ରହିଛି ଯାଜପୁର ଜିଲ୍ଲା । ଏଠାରେ ସାମ୍ବାଦିକଙ୍କୁ ମାଡ଼ ସହ ପୋଲିସକୁ ବି ମାଡ଼ ମରାଯାଇଛି । ଏମିତିକି ପ୍ରିଜାଇଡିଂ ଅଫିସରଙ୍କୁ ବି ଛାଡ଼ି ନାହନ୍ତି ଲୋକେ ।

ତେବେ ଏହାରି ଭିତରେ ଗଞ୍ଜାମ ଜିଲ୍ଲାରୁ ଆସିଛି ଆଉ ଏକ ହୃଦୟ ବିଦାରକ ଦୃଶ୍ୟ । ଏଠାରେ ଭୋଟ ଗ୍ରହଣ ସରିଥିବା ବେଳେ ଷ୍ଟ୍ରଙ୍ଗ ରୁମ୍‌ରେ ତାଲା ପଡ଼ିଛି ପ୍ରର୍ଥୀଙ୍କ ଭାଗ୍ୟ । ଆଉ ବିଡିଓଙ୍କ ଗୋଡ଼ ତଳେ ପଡ଼ି ନେହୁରା ହେଉଛନ୍ତି ପ୍ରାର୍ଥୀ । ଆପଣ ଚିନ୍ତା କରୁଥିବେ ଷ୍ଟ୍ରଙ୍ଗ ରୁମ୍‌ରେ ତ ଭୋଟ ବାକ୍ସ ରହିଲା । ଭୋଟ ବାକ୍ସକୁ ସୁରକ୍ଷା ଦେବା ପାଇଁ ସଶସ୍ତ୍ର ପୋଲିସ ବାହିନୀ ବି ରହିବେ । ତେବେ କାହିଁକି ବିଡିଓଙ୍କ ଗୋଡ଼ ତଳେ ପଡ଼ି ନେହୁରା ହେଉଛନ୍ତି ପ୍ରାର୍ଥୀ ?

ଏହାର ଉତ୍ତରଟି ହେଲା, ଷ୍ଟ୍ରଙ୍ଗ ରୁମ୍‌ରେ ଉପରେ ନାହିଁ ପ୍ରାର୍ଥୀଙ୍କ ଭରସା । ସେଥିପାଇଁ ବିଡିଓଙ୍କ ଆଗରେ କାକୁତି ମିନତି ହେଉଛନ୍ତି ପ୍ରାର୍ଥୀ । ଏମିତିକି ତାଙ୍କ ଗୋଡ଼ ତଳେ ପଡ଼ି ନେହୁରା ହେଉଛନ୍ତି । ହେଲେ ବିଡିଓ ମାଡାମ୍‌ କିଛି ଶୁଣୁନାହାନ୍ତି । କହୁଛନ୍ତି ‘ଆମର ପ୍ରୋଭିଜନ୍‌ ନାହିଁ’।  

ଗଂଜାମ ଜିଲ୍ଲା ଖଲ୍ଲିକୋଟର ଏ ଘଟଣା । ଚତୁର୍ଥ ପର୍ଯ୍ୟାୟରେ ଭୋଟ ସରିଥିଲା ବେଳେ ବାକ୍ସରେ ସିଲ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ । ମାତ୍ର ବ୍ଲକ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ ସୁରକ୍ଷା ବ୍ୟବସ୍ଥା ଭଲ ନଥିବା ଅଭିଯୋଗ ହୋଇଛି । ବିଜେପିର ଦୁଇ ପ୍ରାର୍ଥୀ ଷ୍ଟ୍ରଙ୍ଗରୁମ ବୁଲି ଦେଖିବା ପରେ, ସୁରକ୍ଷା ବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ମାତ୍ର ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ବିଡିଓଙ୍କ ପାଦତଳେ ପଡ଼ି ସୁରକ୍ଷା ମାଗିଛନ୍ତି ୧୧ ନଂ ଜୋନର ବିଜେପି ପ୍ରାର୍ଥୀ ଯଜ୍ଞନାରାୟଣ ଦାସ ଓ ୧୩ ନଂ ଜୋନର ରାମଚନ୍ଦ୍ର ବୈଦ୍ୟ ।

ଦୁଇ ପ୍ରାର୍ଥୀ ଷ୍ଟ୍ରଙ୍ଗ ରୁମ୍‌ର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିଥିବା ବେଳେ ଛତ୍ରପୁର ଉପଜିଲ୍ଲାପାଳ, ଛତ୍ରପୁର ଏସଡିପିଓ, ଖଲ୍ଲିକୋଟ ତହସିଲଦାର ଓ ପୋଲିସ, ସମସ୍ତେ ସାଜିଥିଲେ ନୀରବଦ୍ରଷ୍ଟା । ଯଦିଓ ପ୍ରତିବାଦ ପରେ ସିସିଟିଭି ସଂଖ୍ୟା ବଢାଇଯାଇଛି, ମାତ୍ର ଅନିୟମିତତା ସନ୍ଦେହରେ ଷ୍ଟ୍ରଙ୍ଗରୁମ ଆଗରେ ଜଗି ରହିଛନ୍ତି ବିଜେପି କର୍ମୀ । ଏହି ଘଟଣାକୁ ନେଇ ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ବିଜେପି ପ୍ରାର୍ଥୀଙ୍କ ଅଭିଯୋଗ, ଷ୍ଟ୍ରଙ୍ଗରୁମ୍‌ରେ ଆବଶ୍ୟକ ଅନୁଯାୟୀ ସିସିଟିଭି ନାହିଁ, ଦୁର୍ବଳ ୫ ଇଞ୍ଚର କାନ୍ଥ ରହିଛି । ଯାହାକୁ ଦୁର୍ବୃତ୍ତମାନେ ଖୁବ୍ ସହଜରେ ଭେଦ କରି ପାରିବେ । ତେଣୁ ସେମାନେ ଷ୍ଟ୍ରଙ୍ଗରୁମ୍‌କୁ ରାତି ତମାମ ଜଗି ବସିଛନ୍ତି ।