• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣ ସମସ୍ତଙ୍କର ମନେ ଥିବ, ଦିନେ ପ୍ରଚାର ପାଇଁ ଅହମଦାବାଦ୍ ଯାଇଥିଲେ କେଜ୍ରିୱାଲ । ଆଉ ସେଠାରେ ଏକ ଅଟୋରେ ବସି ଅଟୋ ଚାଳକଙ୍କ ଘରକୁ ରାତ୍ରି ଭୋଜନ ପାଇଁ ଯାଇଥିଲେ । ଯାହାକି ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କିଏ ଏହାକୁ ପଲିଟିକାଲ ଷ୍ଟଣ୍ଟ କହିଥିଲା ତ କିଏ ଏହାକୁ କେଜ୍ରିୱାଲଙ୍କ ଉଦାର ପଣିଆ କହିଥିଲା । ସେହି ଅଟୋ ଡ୍ରାଇଭର ମଧ୍ୟ ବେଶ୍‌ କିଛି ଦିନ ଚର୍ଚ୍ଚାରେ ଥିଲେ । ହେଲେ ଏବେ ଏହି କାହାଣୀରେ ଆସିଛି ଏକ ବଡ଼ ଟ୍ୱିଷ୍ଟ । ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଅଟୋ ଡ୍ରାଇଭର ବିକ୍ରମ ଦନ୍ତାନୀ ନିଜେ ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ’ମୁଁ ଜଣେ ବିଜେପି କର୍ମୀ । ମୋଦିଙ୍କ ବଡ଼ ପ୍ରଶଂସକ । ମୁଁ ବିଜେପି ପାଇଁ କାମ କରେ । ମୋତେ କେଜ୍ରିୱାଲଙ୍କୁ ଘରକୁ ଡାକିବା ପାଇଁ ପୂର୍ବରୁ କୁହାଯାଇଥିଲା । ତେଣୁ ମୁଁ ଉକ୍ତ ସଭାରେ ତାଙ୍କୁ ଡାକିଥିଲି । ଅଟୋ ସଂଘ ପକ୍ଷରୁ ମୋତେ ଏଭଳି କରିବାକୁ କୁହାଯାଇଥିଲା । ହେଲେ ମୁଁ ଜାଣି ନଥିଲି ଏହି ଘଟଣା ଏତେ ବଡ଼ ଇସ୍ୟୁ ହେବ । ମୁଁ ଡାକିବା ପରେ ହଠାତ୍‌ କେଜ୍ରିୱାଲ ମୋ ଘରକୁ ଆସିବା ପାଇଁ ରାଜି ମଧ୍ୟ ହୋଇଗଲେ । ଯାହାକି ମୋ ପାଇଁ ଆଶ୍ଚର୍ଯ୍ୟର ବିଷୟ ଥିଲା । ମୁଁ କେବେ ବି କୌଣସି ଆପ୍‌ ନେତାଙ୍କ ସଂସ୍ପର୍ଶରେ ନଥିଲି । କିମ୍ବା ଏବେ ବି କୌଣସି ଆପ୍‌ ନେତାଙ୍କ ସଂସ୍ପର୍ଶରେ ନାହିଁ ।’

ତେବେ ଆପଣଙ୍କ ମନରେ ଏବେ ପ୍ରଶ୍ନ ଆସୁଥିବ ଯେ, କାହିଁକି ହଠାତ୍ ଏଭଳି ଖୁଲାସା କଲେ ଉକ୍ତ ଡ୍ରାଇଭର । କେଜ୍ରିୱାଲଙ୍କ ଭଳି ଜଣେ ବଡ଼ ନେତା ତାଙ୍କ ଘରକୁ ଖାଇବାକୁ ଯାଇଥିଲେ, ଏମିତିକି କେଜ୍ରିୱାଲ ତାଙ୍କର ପ୍ରଶଂସା ବି କରିଥିଲେ । ସାରା ଦେଶରେ ତାଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ମଧ୍ୟ ହୋଇଥିଲା । ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଲୋକେ ତାଙ୍କୁ ଖୁବ୍‌ ପସନ୍ଦ ବି କରୁଥିଲେ । ହେଲେ ହଠାତ୍‌ କାହିଁକି ଏମିତି ମତ ବଦଳାଇଲେ ଅଟୋ ଡ୍ରାଇଭର ବିକ୍ରମ । କାହିଁକି ସେ ନିଜକୁ ମୋଦିଙ୍କ ବଡ଼ ସମର୍ଥକ ବିଜେପି କର୍ମୀ ବୋଲି କହିବାକୁ ବାଧ୍ୟ ହେଲେ । ଆସନ୍ତୁ ଜାଣିବା..

ମୂଳ କଥାଟି ହେଲା ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି ମୋଦି । ଆଉ ଏହି ସମୟରେ ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ରାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ଅଟୋ ଡ୍ରାଇଭର ବିକ୍ରମ ଦନ୍ତାନୀଙ୍କୁ ଦେଖିବାକୁ ମିଳିଥିଲା । ସେ ବିଜେପି ପତାକା ଧରିବା ସହ ବେକରେ ଗେରୁଆ ଉତ୍ତରୀୟ ଓ ମୁଣ୍ଡରେ ଟୋପି ବି ପିନ୍ଧିଥିଲେ । ତାଙ୍କୁ ଏମିତି ଅବସ୍ଥାରେ ଦେଖିବା ପରେ କିଛି ସମ୍ବାଦିକ ତାଙ୍କୁ ଏନେଇ ପ୍ରଶ୍ନ ପଚାରିଥିଲେ । ସେତେବେଳେ ବିକ୍ରମ କହିଥିଲେ ଯେ, ‘ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ବଡ଼ ସମର୍ଥକ । ମୁଁ ବିଜେପି ପାଇଁ କାମ କରେ । ବିଜେପିରେ ଅଛି. ବିଜେପିରେ ଥିଲି, ଆଗକୁ ବିଜେପିରେ ହିଁ ରହିବି । ବିଜେପିକୁ ହିଁ ଭୋଟ ଦେବି । ଆରମ୍ଭରୁ ମୁଁ ବିଜେପିରେ ଅଛି । ମୋଦିଙ୍କ ରାଲି ପାଇଁ ଏଠାକୁ ଆସିଛି । ଏହି ସବୁ କଥା ମୁଁ କାହା ଚାପରେ ପଡ଼ି କହୁ ନାହିଁ ।’