• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଜିକୁ ପ୍ରାୟ ଏକ ମାସ ହେବ ଓଡ଼ିଶାରେ ପ୍ରଶାସନିକ ବ୍ୟବସ୍ଥା ଗୋଟିଏ ନିର୍ଦ୍ଧିଷ୍ଟ ପ୍ରସଙ୍ଗକୁ ନେଇ ଘାଣ୍ଟି ହେଉଛି । ନିର୍ଦ୍ଧିଷ୍ଟ ପ୍ରସଙ୍ଗଟି ହେଉଛି ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ଯୁବତୀମାନଙ୍କ ଆତ୍ମଦାହ ଜନିତ ମୃତ୍ୟୁ, ଦୁଷ୍କର୍ମ ଓ ହତ୍ୟା । ଏ ସମସ୍ତ ଘଟଣାରେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଥିଲେ ହେଁ ବିରୋଧୀ ବିଜୁ ଜନତା ଦଳ ଓ କଂଗ୍ରେସ କିନ୍ତୁ ଏହି ପ୍ରସଙ୍ଗଗୁଡ଼ିକୁ ଅଧାର କରି ଦୀର୍ଘଦିନ ଧରି ଆନ୍ଦୋଳନ ଇତ୍ୟାଦି କରିବା ଦ୍ୱାରା ସାଧାରଣ ଜନତା ସେମାନଙ୍କର ନିୟମିତ ପ୍ରଶାସନିକ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ବିକ୍ଷୋଭ ଓ ହରତାଳ ଯୋଗୁ ସରକାର ତାଙ୍କର ଦୈନନ୍ଦିନର ନିରୂପିତ କାର୍ଯ୍ୟକ୍ରମଗୁଡ଼ିକ ସମ୍ପାଦିତ କରିବା ପାଇଁ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ବାଲେଶ୍ୱର ସ୍ଥିତ ଫକୀରମୋହନ ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣା ହେଉ ବା ବଳଙ୍ଗା ଓ ପଟ୍ଟାମୁଣ୍ଡାଇ ଘଟଣା ହେଉ, ତଦନ୍ତ ପ୍ରକ୍ରିୟାକୁ ସରକାର ପ୍ରଥମରୁ ନିରପେକ୍ଷ କରିବା ପାଇଁ ଚେଷ୍ଟା କରିଛନ୍ତି । ପ୍ରତିଟି ଘଟଣାର ମେରିଟ୍‌କୁ ଯାଇ ସରକାର ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚେଷ୍ଟା କରିଛନ୍ତି । ବାଲେଶ୍ୱର ଘଟଣାକୁ ଏଠାରେ ଉଦାହରଣ ସ୍ୱରୂପ ନିଆଯାଇପାରେ । ଉକ୍ତ କଲେଜର ଅଧ୍ୟକ୍ଷ ଦିଲ୍ଲୀପ ଘୋଷ, ଶିକ୍ଷା ବିଭାଗର ଅଧ୍ୟାପକ ସମୀର କୁମାର ସାହୁଙ୍କ ସମେତ ସୌମ୍ୟାଶ୍ରୀଙ୍କ ସହପାଠୀ ଜ୍ୟୋତିପ୍ରକାଶ ବିଶ୍ୱାଳ ଏବଂ ଶୁଭ୍ର ସମ୍ବିତ ନାୟକଙ୍କୁ ପୋଲିସ୍ ଗିରଫ କରି ଜେଲ୍ ପଠାଇଛି ।

Also Read

ବଳଙ୍ଗା ଘଟଣାରେ ବିରୋଧୀମାନେ ନାହିଁ ନଥିବା ତମ୍ବିତୋଫାନ କଲେ । ରାଜଧାନୀରୁ ଆରମ୍ଭ କରି ଗ୍ରାମାଞ୍ଚଳର ରାସ୍ତାଘାଟରେ ଆନ୍ଦୋଳନ କରିବା ଦ୍ୱାରା ସରକାର ଏକ ପ୍ରକାର ଅଣନିଶ୍ୱାସୀ ହୋଇପଡ଼ିଲେ । ସଚିବାଳୟ ଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇପଡ଼ିଲା । ବିରୋଧୀମାନଙ୍କ ଦ୍ୱାରା ଗୋଟିଏ ବାର୍ତ୍ତା ଦିଆଗଲା ଯେ ଏହି ଘଟଣାରେ ଜଡ଼ିତ ଥିବା ଅପରାଧୀମାନଙ୍କୁ ସରକାର ଧରିବା ପାଇଁ ଆନ୍ତରିକତା ଦେଖାଉନାହାଁନ୍ତି । କିନ୍ତୁ ତଦନ୍ତରୁ ଜଣାଗଲା ଯେ ଏହି ଘଟଣାରେ କୌଣସି ବ୍ୟକ୍ତି ସମ୍ପୃକ୍ତ ନାହାନ୍ତି । ଉକ୍ତ ଯୁବତୀଜଣକ ମାନସିକ ଅସନ୍ତୁଳନତାର ଶିକାର ହୋଇଥିଲେ । ଯାହାଫଳରେ କି ଏତେ ବଡ଼ ଗୋଟିଏ ଦୁର୍ଘଟଣା ଘଟିଗଲା ।
ଏବେ ଆସିବା କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଘଟଣାକୁ । ଏଠାରେ ପ୍ରଥମରୁ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଇ ଶୈଳେନ୍ଦ୍ର ପଲେଇ ନାମକ ଜଣେ ପୋଲିସ୍ ଆସିଷ୍ଟାଣ୍ଟ ସବଇନିସ୍ପେକ୍ଟରଙ୍କୁ ବଦଳି କରିଛନ୍ତି । ଘଟଣାର ତଦନ୍ତ ଭାର ଖୋଦ୍ ଜିଲ୍ଲା ପୋଲିସ୍ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ନେଇଛନ୍ତି । ମୃତା ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ଅଟକ ରଖିଛି । ଆଗକୁ ତଦନ୍ତର ଗତି ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ।
ଏବେ ଆସନ୍ତୁ ଦେଖିବା ଏହି ପ୍ରତ୍ୟେକ ଘଟଣାରେ ବିରୋଧୀ ଦଳମାନଙ୍କର ଭୂମିକା । ଓଡ଼ିଶା ବନ୍ଦ ଠାରୁ ଆରମ୍ଭ କରି ପ୍ରତ୍ୟେକ ଦିନ କିଛି କିଛି ନେତା ପୀଡ଼ିତାମାନଙ୍କ ଘରକୁ ଯାଉଛନ୍ତି । ଏପରିକି ପୀଡିତାଙ୍କ ପରିବାର ସଂପର୍କରେ ମିଡିଆରେ ନକରାତ୍ମକ ମନ୍ତବ୍ୟ ଦେଉଛନ୍ତି । ବଳଙ୍ଗା ପୀଡ଼ିତାଙ୍କର ପିତାଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ । ତାଙ୍କ ଝିଅର ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ଏବଂ ଏ ନେଇ ବିରୋଧୀମାନେ ଅଯଥା ରାଜନୀତି କରି ତାଙ୍କ ପରିବାର, ବନ୍ଧୁବର୍ଗ ଓ ଶୁଭେଚ୍ଛୁମାନଙ୍କୁ ମାନସିକ ଅଶାନ୍ତି ଭିତରକୁ ଠେଲି ନଦିଅନ୍ତୁ ବୋଲି ସେ ଯୋଡ଼ହସ୍ତରେ ନିବେଦନ କରିଛନ୍ତି ।
ବଳଙ୍ଗା ଘଟଣ।। ‘ଶିରୋନାସ୍ତି, ଶିରୋପୀଡ଼ା’ ଭଳି ଏକ ଘଟଣା ହୋଇଥିଲେ ମଧ୍ୟ ଏହି ଘଟଣାରେ ଅରୁଚିକ ତଥା ଶସ୍ତା ରାଜନୀତି ଶୀର୍ଷରେ ପହଞ୍ଚିଯାଇଥିଲା । ବଳଙ୍ଗାରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ବିରୋଧୀ ନେତାମାନେ ଧାଁ-ଧଉଡ଼ କରି ସରକାରଙ୍କୁ ଏକ ପ୍ରକାର କାଠଗଡ଼ାରେ ଠିଆ କରାଇଦେଲେ । ସରକାରଙ୍କ ପୋଲିସ ପ୍ରଶାସନ ସହିତ ସାଧାରଣ ପ୍ରଶାସନ ଏହି ଘଟଣାକୁ ସମ୍ଭାଳିବା ପାଇଁ ସମସ୍ତ ସମୟ ଅପଚୟ ହେଲା ।
କୌଣସି ଏକ ଘଟଣାର ଆଧାର ଥିଲେ, ତାହାକୁ ନେଇ ରାଜନୀତି କରାଯାଇପାରେ । ହେଲେ ଏକ ଆଧାରହୀନ ପ୍ରସଙ୍ଗକୁ ନେଇ ସରକାରଙ୍କୁ କେବଳ ଶସ୍ତା ରାଜନୀତି ପାଇଁ କାଠଗଡ଼ାକୁ ଟାଣିବା ଶୁଭଙ୍କର ନୁହେଁ । ବଳଙ୍ଗା ଘଟଣାରେ ସରକାରଙ୍କୁ ଯେଉଁଭଳି ଏକ ଅଡ଼ୁଆ ପରିସ୍ଥିତିରେ ପକାଇ ଅନେକ ସମୟ ନଷ୍ଟ କରିଦିଆଗଲା, ତାହାକୁ ପୁଣିଥରେ ଫେରାଇ ଅଣାଯାଇପାରିବ କି? ଏହି ଘଟଣାରେ କୌଣସି ବ୍ୟକ୍ତି ସମ୍ପୃକ୍ତ ନଥିବା କଥା ତଦନ୍ତରୁ ଜଣାପଡ଼ିବା ପରେ ବିରୋଧୀମାନେ ଏ ନେଇ ଯେଉଁ ଅଭିଯୋଗ ଆଣିଥିଲେ, ତାହାକୁ ପ୍ରତ୍ୟାହାର କରି ଅନୁତାପ ପ୍ରଦର୍ଶନ କରିପାରିବେ କି?
ଆମ ରାଜ୍ୟର ଟେଲିଭିଜନ ଓ ଅନ୍ୟାନ୍ୟ ଗଣମାଧ୍ୟମଗୁଡ଼ିକ ଏବେ ଦେଖିଲେ ଲାଗିବ ଯେ ଏବେ ଆଉ ସେଭଳି କିଛି ପ୍ରସଙ୍ଗ ନାହିଁ - କେବଳ ରହିଛି ନାରୀ ନିର୍ଯ୍ୟାତନା । ଘରେ ଓ ବାହାରେ - ସବୁଆଡ଼େ ଏହି ଚର୍ଚ୍ଚା । ଏବେ ଜାତୀୟ ଟେଲିଭିଜନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତର ରତ୍ପାନୀ ଉପରେ ୫୦ ପ୍ରତିଶତ ବାଣିଜ୍ୟିକ ଶୁଳ୍କ ଲାଗୁ କରିବା ଏବଂ ଏହାର ପ୍ରଭାବ ଆମ ଦେଶର ଅର୍ଥନୀତି ଉପରେ କ’ଣ ପଡ଼ିବ, ସେ ନେଇ ଆଲୋଚନା ଚାଲୁଥିବା ବେଳେ ଆମ ରାଜ୍ୟରେ ଏଭଳି କୁତ୍ସିତ ରାଜନୀତି କରି ସମୟ ଅପଚୟ କରୁଥିବା ଅନେକ ବୁଦ୍ଧିଜୀବୀ ମତ ଦେଉଛନ୍ତି ।

ରାଜନେତାମାନେ ରାଜନୀତି କରିବାରେ ମନା ନାହିଁ । କିନ୍ତୁ ଏହା ମୁଖ୍ୟତଃ ଅର୍ଥନୀତି ଓ ସମାଜନୀତି ହେଲେ ଅଧିକ ମଙ୍ଗଳକର ହୋଇପାରିବ । ଏହା ନହେଲେ ଆମ୍ଭେମାନେ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ତଥା ସମୃଦ୍ଧ ରାଜ୍ୟ ଭାବରେ ଦେଖିବା ପାଇଁ ଯେଉଁ ସ୍ୱପ୍ନ ଦେଖିଛେ, ତାହା ବାସ୍ତବ ରୂପ ନେଇପାରିବ ନାହିଁ ।
ଅତୀତରେ ଆମେ ଦେଖିଛେ ଆମ ଓଡ଼ିଶାର ନବକୃଷ୍ଣ ଚୌଧୁରୀ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ସଦାଶିବ ତ୍ରିପାଠୀ, ବିନାୟକ ଆଚାର୍ଯ୍ୟଙ୍କ ଭଳି ଅନେକ ରାଜନେତା ରାଜ୍ୟର କୃଷି, ଜଳସେଚନ, ସାମାଜିକ କଲ୍ୟାଣ ନେଇ ରାଜନୀତି କରି ସଫଳତା ପାଇଛନ୍ତି । ତେଣୁ ବର୍ତ୍ତମାନ ପିଢିର ରାଜନେତାମାନେ ସେମାନଙ୍କର ଜୀବନଦର୍ଶନରୁ କିଛି ପଢ଼ି ତାକୁ ପ୍ରୟୋଗ କରିପାରିଲେ, ତାହା ସେମାନଙ୍କର ଶ୍ରେଷ୍ଠତ୍ୱ ପ୍ରମାଣିତ କରିବ ।

ବି.ଦ୍ର. - ଏହା ଲେଖକଙ୍କ ନିଜସ୍ୱ ମତ । 

ଓଟିଭି ବିଜ୍ଞାପନ