Advertisment

ନବ ଦାସ ହତ୍ୟା ମାମଲା : ସରକାରଙ୍କୁ ଘଣ୍ଟ ଘୋଡ଼େଇବାରେ ସଫଳ ହେଲା କି ବୋଥ୍ରା ଟିମ୍‌ ?

ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ କେଉଁ ବ୍ୟକ୍ତିଗତ ଆକ୍ରୋଶ ପାଇଁ ହତ୍ୟା କଲା ଗୋପଳ ଦାସ ? ଏମିତି କଣ ବ୍ୟକ୍ତିଗତ ରାଗ ଥିଲା, ଯାହା ପାଇଁ ଜଣେ ମନ୍ତ୍ରୀଙ୍କୁ ବି  ଗୁଳି କରିବାକୁ ପଛାଇଲାନି ଗୋପାଳ ଦାସ ? ଏମିତି କେଉଁ ବିବାଦ ପରିପ୍ରେକ୍ଷୀରେ ମନ୍ତ୍ରୀ ନବ ଦାସ ଓ ତାଙ୍କ ସମର୍ଥଙ୍କ ପକ୍ଷରୁ ଗୋପାଳର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା ?

author-image
Chandan Shishu
ଅଦ୍ୟତନ ହୋଇଛି
Naba Das Murder Case

Naba Das Murder Case

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟ୍ ଆସିଲା, ହେଲେ ଖୋଲିଲାନି ହତ୍ୟା ପଛର  ରହସ୍ୟ । ଅଭିଯୁକ୍ତ ଗୋପାଳ କେବଳ ବ୍ୟକ୍ତିଗତ ଆକ୍ରୋଶ ପାଇଁ ନବଙ୍କୁ ହତ୍ୟା 
କରିଥିବା ଚାର୍ଜସିଟରେ ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ୍ । ହେଲେ ଏ ବ୍ୟକ୍ତିଗତ ଆକ୍ରୋଶ କଣ ପାଇଁ ଥିଲା, ସେ ସମ୍ପର୍କରେ କିଛି ବି ଖୁଲସା ହୋଇନି। ସେହିଭଳି ହତ୍ୟା ପଛରେ ଷଡ଼ଯନ୍ତ୍ର ଦିଗ ପ୍ରତି କ୍ରାଇମବ୍ରାଞ୍ଚ ଆଖି ବୁଜି ଦେଇଥିବାରୁ ତାକୁ ନେଇ ଉଠିଛି ପ୍ରଶ୍ନ।

Advertisment

ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ କେଉଁ ବ୍ୟକ୍ତିଗତ ଆକ୍ରୋଶ ପାଇଁ ହତ୍ୟା କଲା ଗୋପଳ ଦାସ ? ଏମିତି କଣ ବ୍ୟକ୍ତିଗତ ରାଗ ଥିଲା, ଯାହା ପାଇଁ ଜଣେ ମନ୍ତ୍ରୀଙ୍କୁ ବି  ଗୁଳି କରିବାକୁ ପଛାଇଲାନି ଗୋପାଳ ଦାସ ? ଏମିତି କେଉଁ ବିବାଦ ପରିପ୍ରେକ୍ଷୀରେ ମନ୍ତ୍ରୀ ନବ ଦାସ ଓ ତାଙ୍କ ସମର୍ଥଙ୍କ ପକ୍ଷରୁ ଗୋପାଳର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା ? ଯଦି  ଗୋପାଳର ଜୀବନ ପ୍ରତି ଭୟ କିମ୍ବା ବିପଦ ଥିଲା, ତେବେ ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ ଭାବେ ସେ କେବେ ଅଭିଯୋଗ କରିଥିଲେ କି ? ନବ ଆଉ ତାଙ୍କ ସମର୍ଥକଙ୍କ ପକ୍ଷରୁ ଗୋପାଳର ଜୀବନ ପ୍ରତି ବିପଦ ଜାଣି ସୁଦ୍ଧା ଗୋପାଳ ଝାରସୁଗୁଡ଼ାରୁ ବଦଳି ପାଇଁ କେବେ ଚେଷ୍ଟା କରିଥିଲେ କି ?

ସେପଟେ ଯଦି ନବ ଆଉ ଗୋପାଳଙ୍କ ଭିତରେ ବ୍ୟକ୍ତିଗତ ଶତ୍ରୁତା ରହିଥିଲା, ତେବେ ଏହା ପଛର କାରଣ କଣ ହୋଇଥାଇପାରେ ? କୌଣସି ବ୍ୟବସାୟିକ ମାମଲା ନା ଆଉ କିଛି ଭିତିରି କଥା ପାଇଁ  ଉଭୟଙ୍କ ଭିତରେ ଶତ୍ରୁତା ସୃଷ୍ଟି ହୋଇଥିଲା । ନବ ହତ୍ୟା ମାମଲାରେ ପାଖାପାଖି ୪ ମାସର ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଥିବା ବେଳେ ଚାର୍ଜସିଟରେ ଏସବୁ ଦିଗ ଉଲ୍ଲେଖ ରହିଛି କି ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ? ସେପଟେ ନବ ଦାସଙ୍କ ହତ୍ୟା ପଛରେ ଗଭୀର ଷଡ଼ଯନ୍ତ୍ର ନେଇ ଯେଉଁ ତୁମ୍ବିତୋଫାନ ହେଉଥିଲା, ସେ ଷଡ଼ଯନ୍ତ୍ର ଦିଗ କୁଆଡ଼େ ଗଲା, ତାକୁ ନେଇ ଉଠିଛି ପ୍ରଶ୍ନ ? ଏପଟେ ଚାର୍ଜସିଟ୍ ଆସିବା ପରେ ତଦନ୍ତକାରୀ ସଂସ୍ଥା  ଉପରେ ବର୍ଷି ସରକାରଙ୍କୁ ଘଣ୍ଟ ଘୋଡ଼ାଇବାରେ ବୋଥ୍ରା ଆଣ୍ଡ୍ ଟିମ୍ ସଫଳ ହୋଇଥିବା କହିଛି ବିଜେପି । ସେହିଭଳି ଏ ଅପରାଗ ସରକାରଠାରୁ ନ୍ୟାୟ ଆଶା କରିବା ବୃଥା ବୋଲି କଡ଼ା ଭାଷାରେ କହିଛି କଂଗ୍ରେସ। 

Advertisment

ନବ ଦାସଙ୍କ ଭଳି ଜଣେ ହାଇପ୍ରୋଫାଇଲ ନେତା ଓ ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ଜଣେ ଆୱାର୍ଡ ୱିନିଂ ପୋଲିସ ଅଧିକାରୀ କେମିତି ମାରିପାରିବ, ସେ କଥା ଆଜି ବି 
ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି। ହତ୍ୟା ଯୋଜନା କରିବା ପୂର୍ବରୁ ନିଜ କ୍ୟାରିୟର ଓ ପିଲା ପରିବାର କଥା ଗୋପାଳ ଚିନ୍ତା କରିଥିବ ନା ନାହିଁ ? ଯଦି କରିଥିବ, ତେବେ ଏ ହତ୍ୟା ପାଇଁ 
ନିଜକୁ କେମିତି ପ୍ରସ୍ତୁତ କରିପାରିବ ? ସେପଟେ ନବଙ୍କୁ ହତ୍ୟା କରିବା ପରେ ଗୋପାଳ ଅତ୍ୟନ୍ତ ସ୍ବାଭାବିକ ଥିବା ଭଲି ଲକ୍ଷ୍ୟ କରାଯାଉଥିଲା। ଏଭଳି ଜଘନ୍ୟ ହତ୍ୟା ପରେ ତା ହାଭଭାବ କି ଚେହେରାରୁ ଆଦୌ ପଶ୍ଚାତାପ କିମ୍ବା ଅନୁଶୋଚନା ନଥିବା ଭଳି ଦେଖିବାକୁ ମିଳୁଥିଲା ।

ଏ ପରିପ୍ରେକ୍ଷୀରେ ହତ୍ୟା ପଛରେ ଯେ ଷଡ଼ଯନ୍ତ୍ର କାମ କରିଛି ଏବଂ ଗୋପାଳ କେବଳ ମୋହରା ସେ  ଦିଗ ପ୍ରତି କ୍ରାଇମବ୍ରାଞ୍ଚ ଆଖି ବୁଜି ଦେଇଥିବା କୁହାଯାଉଛି। ଏପରିକି ଚାର୍ଜସିଟରେ  ଅଭିଯୁକ୍ତ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ପାଇଁ ଦଫା ୧୨୦ ବି ଲଗାଇନି କ୍ରାଇମବ୍ରାଞ୍ଚ । ସେହିଭଳି ନଦ ଦାସଙ୍କ ଛାତିରେ ଭେଦିଥିବା ଗୁଳି କୁଆଡ଼େ ଗଲା, ସେ କଥା ଚାର୍ଜସିଟରେ ଉଲ୍ଲେଖ ଅଛି ତ ? ନବ ଦାସଙ୍କ ହତ୍ୟା ପଛର କାରଣକୁ ସାରା ରାଜ୍ୟବାସୀ ଉତ୍ସୁକତାର ସହ ଅପେକ୍ଷା କରିଥିବା ବେଳେ କ୍ରାଇମବ୍ରାଞ୍ଚ୍ ଗୋପାଳର ବ୍ୟକ୍ତିଗତ ରାଗକୁ ଏକମାତ୍ର କାରଣ ବୋଲି  ଦର୍ଶାଇଛି। ତେବେ ଏହି ବ୍ୟକ୍ତିଗତ ଶତ୍ରୁତା କଣ ଏବଂ ପଛର ରହସ୍ୟ କେବେ ଖୋଲୁଛି,ତା ଉପରେ ସମସ୍ତଙ୍କ ନଜର ।

Advertisment
Advertisment