• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜନୈତିକ ଦୃଷ୍ଟିରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ବିଜେପିର ଜବରଦସ୍ତ ପ୍ରଦର୍ଶନ ପରେ ବିରୋଧୀ ଶିବିରରେ ନିରାଶା । ମୋଦି-ଯୋଗୀ ଯୋଡ଼ି ଆଗରେ ସବୁ ଷ୍ଟ୍ରାଟେଜି ଫେଲ ମାରିବା ପରେ ଏବେ ଆରମ୍ଭ ହୋଇଛି କାଦୁଅ ପିଙ୍ଗା । ମୟାବତୀଙ୍କ ବିଏସପି ଓ ଓୱେସୀଙ୍କ AIMIM ସଂଖ୍ୟାଲଘୁଙ୍କ ଭୋଟ କାଟିବାରୁ ବିଜେପିକୁ ସୁହାଇଲା ବୋଲି କୁହାଯାଉଛି । ତେବେ ମାୟାବତୀ ଏହାକୁ ଖଣ୍ଡନ କରିବା ସହ ଏହା ମିଡିଆ ଓ ସମାଜବାଦୀ ପାର୍ଟିର ଅପପ୍ରଚାର ବୋଲି କହିଛନ୍ତି ।

ଉତ୍ତରପ୍ରଦେଶର ବିଜେପିର ଐତିହାସିକ ବିଜୟ ପରେ ବିରୋଧୀ କ୍ୟାମ୍ପରେ ଝଡ଼ ଆରମ୍ଭ ହୋଇଯାଇଛି । ଜୋରଦାର ଆରୋପ ପ୍ରତ୍ୟାରୋପ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପାଇଁ ମାୟାବତୀଙ୍କ ବହୁଜନ ସମାଜପାର୍ଟୀ ଓ ଅସଦୁଦ୍ଦିନ ଓୱେସୀଙ୍କ AIMIMକୁ ଦାୟୀ କରିଛନ୍ତି ଶିବସେନା ନେତା ସଂଜୟ ରାଉତ । ଉଭୟ ଦଳକୁ ବିଜେପିର ବି-ଟିମ୍ କହିବା ସହ ମାୟାବତୀଙ୍କୁ ପଦ୍ମବିଭୂଷଣ ଓ ଓଏସିଙ୍କୁ ଭାରତରତ୍ନ ମିଳିବା ଦରକାର ବୋଲି ତାଚ୍ଛଲ୍ୟ କରିଛନ୍ତି ।

ଚଳିତ ନିର୍ବାଚନରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟିକୁ ୧୨.୮ ପ୍ରତିଶତ ଭୋଟ ମିଳିଥିବା ବେଳେ ଦଳ ଗୋଟିଏ ମାତ୍ର ଆସନ ଜିତିବାରେ ସଫଳ ହୋଇଛି । ଅନ୍ୟପକ୍ଷରେ ଓୱେସୀଙ୍କ ଏଆଇଏମଆଇଏମ ୦.୪୯ ପ୍ରତିଶତ ଭୋଟ ପାଇଥିବା ବେଳେ କୌଣସି ସିଟ୍ ଜିତି ପାରିନାହିଁ । ତେବେ ସଂଖ୍ୟାଲଘୁ ଓ ବିଜେପି ବିରୋଧୀଙ୍କ ଭୋଟ ଭାଗ ଭାଗ ହେବା ଦ୍ୱାରା ସମାଜବାଦୀ ପାର୍ଟିର ପରାଜୟ ହେଲା ବୋଲି କୁହାଯାଉଛି ।

ଅଣବିଜେପି ଭୋଟ ଭାଗ ହେବା ଦ୍ୱାରା ବିଜେଫିକୁ ଫାଇଦା ହୋଇଥିବା ଅଭିଯୋଗ ଖଣ୍ଡନ କରିଛନ୍ତି । ଉଭୟ ମାୟାବତୀ ଓ ଓୱେସି ଉତ୍ତରପ୍ରଦେଶର ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରାଯାଉଥିବା ଓଏସି କହିଛନ୍ତି । ସେହିପରି ତାଙ୍କ ଦଳ ବିଜେପିର ବି-ଟିମ୍ ବୋଲି ଗଣମାଧ୍ୟମ ଓ ସମାଜବାଦୀ ପାର୍ଟି ଭ୍ରମ ସୃଷ୍ଟି କରିଥିବା ମାୟାବତୀ ଅଭିଯୋଗ କରିଛନ୍ତି । ବିଏସପି ହିଁ ଏକମାତ୍ର ଦଳ ଯିଏ ବିଜେପିକୁ ପରାସ୍ତ କରିବା ଲାଗି ସକ୍ଷମ ବୋଲି କହିଛନ୍ତି ମାୟାବତୀ ।

ଅନ୍ୟପକ୍ଷରେ ୨୦୧୭ ପୂର୍ବରୁ ବିଜେପି ୟୁପିରେ କେବେ ବି ଦୃଢ଼ ସ୍ଥିତିରେ ନଥିଲା । ମାତ୍ର ବିଜେପି ହେଉ କି କଂଗ୍ରେସ ପରାଜୟ ପରେ ସବୁ ଦଳ ନିଜର ସ୍ଥିତି ସୁଧାରିବା ଲାଗି ଚେଷ୍ଟା କରିଛନ୍ତି ଓ ସଫଳ ହୋଇଛନ୍ତି । ତେଣୁ ପରାଜୟ ପରେ ତାଙ୍କ ଦଳ ଉତ୍ତରପ୍ରଦେଶରେ ନିଜ ସ୍ଥିତି ମଜଭୁତ କରିବାକୁ ପୁଣି ଉଦ୍ୟମ କରିବ ବୋଲି ସେ କହିଛନ୍ତି ।

ତେଣେ ଗଣତି ପୂର୍ବରୁ ଇଭିଏମ୍ ଟ୍ୟାମ୍ପରିଂ ଅଭିଯୋଗ ଆଣିଥିବା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମୁହଁ ଖୋଲିଛନ୍ତି । ତାଙ୍କ ଦଳର ସିଟ୍ ସଂଖ୍ୟା ଅଢେଇ ଗୁଣା ବଢାଇ ଥିବାରୁ ସେ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପକ୍ଷରେ ବିଜେପିର ଭୋଟ ହ୍ରାସ କରାଯାଇପାରିବ ତାହା ସମାଜବାଦୀ ପାର୍ଟି କରିଦେଖାଇଛି ବୋଲି ଟୁଇଟରେ ଲେଖିଛନ୍ତି ଅଖିଳେଶ । ଅଗାମୀ ଦିନରେ ବିଜେପିର ସ୍ଥିତି ଆହୁରି ଦୁର୍ବଳ ହେବ ବୋଲି ସେ ଦୃଢୋକ୍ତି କରିଛନ୍ତି ।

ତେଣେ ସମସ୍ତ ୫ ରାଜ୍ୟରେ ଲଜ୍ଜାଜନକ ପରାଜୟ ପରେ ବ୍ୟଥିତ ହୋଇଛନ୍ତି G23 କୁହଯାଉଥିବା କଂଗ୍ରେସର ବରିଷ୍ଠ ନେତା । କଂଗ୍ରେସର ଏଭଳି ଅଧୋଗତି ଦେଖି ସେମାନେ ହତବାକ୍ ହେବା ସହ ଖୁବ୍ ଶୀଘ୍ର ବୈଠକ କରିବେ ବୋଲି ସୂଚନା ମିଳିଛି । ସେହିପରି ଦଳର ପରାଜୟ ସଂପର୍କରେ ଆଲୋଚନା ଲାଗି ସୋନିଆ ମଧ୍ୟ ଖୁବ୍ ଶୀଘ୍ର କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ କରିବାକୁ ନିଷ୍ପତ୍ତି ନେଇଥିବା ଗତକାଲି କହିଥିଲେ ଦଳୀୟ ମୁଖପାତ୍ର ରଣଦୀପ ସୂରଯେଓ୍ୱାଲା । ଅନ୍ୟପକ୍ଷରେ ସେ ଜନତାଙ୍କ ରାୟଙ୍କୁ ବିନମ୍ରତାର ସହ ଗ୍ରହଣ କରୁଛନ୍ତି ଓ ପରାଜୟରୁ ଦଳ ଆଗାମୀ ଦିନରେ ଶିକ୍ଷା ଲାଭ କରିବ ବୋଲି କହିଥିଲେ ରାହୁଲ ।