Advertisment

I.N.D.I.Aରେ ପୁଣି କେଁ ! AAP କହିଲାଣି କେଜ୍ରିୱାଲଙ୍କୁ କର ପ୍ରଧାନମନ୍ତ୍ରୀ

ଏହିଭଳି ଜଣେ ନେତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କଲେ ତାହା ଦେଶ ପାଇଁ ଶୁଭଙ୍କର ହେବ ବୋଲି ଆପ କହିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Arvind Kejriwal

ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିରୋଧୀ INDIA ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଅରବିନ୍ଦ କେଜରିୱାଲଙ୍କୁ ଉପସ୍ଥାପନ କରିବାକୁ କହିଛି ଆମ ଆଦମୀ ପାର୍ଟି । ଇଣ୍ଡିଆ ମେଣ୍ଟର ମୁମ୍ବାଇରେ ଆସନ୍ତାକାଲି ବୈଠକ ବସୁଛି । ଏହି ବୈଠକ ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କ ନାଁକୁ ଉପସ୍ଥାପନ କରିବାକୁ ଆପ ମୁଖପାତ୍ର ପ୍ରିୟଙ୍କା କକ୍କର ମତ ରଖିଛନ୍ତି । ଦେଶରେ ମୁଦ୍ରାସ୍ଫୀତି ଉପରକୁ ବଢ଼ି ଚାଲିଥିବାବେଳେ ଦିଲ୍ଲୀରେ ଆର୍ଥିକ ସ୍ଥିତି ଭଲ ରହିଛି । ଅରବିନ୍ଦ କେଜ୍ରିୱାଲଙ୍କ ଶାସନ କାଳରେ ଦିଲ୍ଲୀର ଅନେକ ବିକାଶ ହୋଇଛି । ତେଣୁ ଏହିଭଳି ଜଣେ ନେତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କଲେ ତାହା ଦେଶ ପାଇଁ ଶୁଭଙ୍କର ହେବ ବୋଲି ଆପ କହିଛି ।

Advertisment

କକ୍କର ଆହୁରି କହିଛନ୍ତି, ଅରବିନ୍ଦ କେଜ୍ରିୱାଲ କ୍ରମାଗତ ଭାବରେ ଲୋକଙ୍କ ପ୍ରସଙ୍ଗ ଉଠାଉଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମୁଖରେ ଏକ ଚ୍ୟାଲେଞ୍ଜର ଭାବରେ ଉଭା ହୋଇଛନ୍ତି। ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ପ୍ରସଙ୍ଗ ହେଉ କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗ, ଏସବୁ କ୍ଷେତ୍ରରେ ତୀକ୍ଷ୍ଣ ନିଶାନା କରୁଛନ୍ତି କେଜ୍ରିୱାଲ୍। ତେଣୁ ତାଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଦେଖାଯାଇପାରିବ ବୋଲି ସେ କହିଛନ୍ତି।

କକ୍କର ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କର ଅର୍ଥନୈତିକ ଦୃଷ୍ଟିକୋଣ ନାହିଁ। ବର୍ତ୍ତମାନ ଉତ୍ପାଦନ ହାର ନିମ୍ନଗାମୀ ରହିଛି। ଅରବିନ୍ଦ କେଜ୍ରିୱାଲଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ ଭାରତ ଉତ୍ପାଦନର ହବ୍ ହେବ। ଲାଇସେନ୍ସ ରାଜ୍ ଶେଷ ହେବ। ବ୍ୟବସାୟୀଙ୍କ ପାଇଁ ଭଲ ସୁଯୋଗ ରହିବ। ଶିକ୍ଷାକୁ ଉନ୍ନତରୁ ଉନ୍ନତତର କରାଯିବ। ପିଲାମାନଙ୍କ ମଧ୍ୟରେ ଉଦ୍ଭାବନର ସୃଜନଶୀଳତା ବଢିବ। ବିଦେଶରୁ ଲୋକମାନେ ଡଲାର ଖର୍ଚ୍ଚ କରି ଭାରତକୁ ଅଧ୍ୟୟନ ପାଇଁ ଆସିବେ। ଆମେ ଏପରି ଭାରତ ଚାହୁଁଛୁ ବୋଲି କକ୍କର କହିଛନ୍ତି। 

Advertisment

ଶାସକ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ଜୋରସୋରରେ ଲାଗି ପଡିଛନ୍ତି ମେଣ୍ଟ ଦଳ। ଆସନ୍ତାକାଲି ମୁମ୍ୱାଇରେ ବସିବାକୁ ଯାଉଛି 'ଇଣ୍ଡିଆ' ମେଣ୍ଟର ତୃତୀୟ ବୈଠକ। ଦୁଇ ଦିନ ଧରି ବୈଠକରେ ଆଲୋଚନା ହେବ। ମୁମ୍ବାଇର ଗ୍ରାଣ୍ଡ୍ ହୟାତ୍ ହୋଟେଲରେ ଏହି ବୈଠକ ବସିବ। ସେପଟେ ସେପ୍ଟେମ୍ୱର ୧ରେ ମଧ୍ୟ ଏନଡିଏ ଡାକିଛି ବୈଠକ। ବିରୋଧୀଙ୍କ ଏକତାକୁ ଦେଖି ଆଗୁଆ ସତର୍କ ହେଉଛି ଶାସକ ବିଜେପି। ତେବେ ଆଗକୁ ବିରୋଧୀ ମେଣ୍ଟ ପକ୍ଷରୁ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି ତା' ଉପରେ ସମସ୍ତଙ୍କ ନଜର। 

ସେପଟେ ଦିଲ୍ଲୀର ମନ୍ତ୍ରୀ ଅତିସି ଏହାକୁ ଖଣ୍ଡନ କରିଛନ୍ତି । କେଜରିୱାଲଙ୍କୁ ପ୍ରଧାନମନ୍ତ୍ରୀ ପଦ ଲାଗି କେବେ ବି ଆପ ପ୍ରୋଜେକ୍ଟ କରିନି ବୋଲି ସେ କହିଛନ୍ତି । ଆପର ଏହି ପ୍ରସ୍ତାବକୁ ନେଇ କଡ଼ା ସମାଲୋଚନା କରିଛି ବିଜେପି । ଇଣ୍ଡିଆ ମେଣ୍ଟର କିଛି ଅସ୍ତିତ୍ୱ ନାହିଁ । କେତେବେଳେ ମମତା ବାନାର୍ଜୀ ତ କେତେବେଳେ ନୀତିଶ କୁମାର ଆଉ ଏବେ ପୁଣି ଅରବିନ୍ଦ କେଜରିୱାଲ୍ । ବିରୋଧୀ ଇଣ୍ଡିଆ ମେଣ୍ଟରେ ଘଡିକେ ଘୋଡା ଛୁଟୁଛି ବୋଲି କହିଛି ବିଜେପି ।

PM Modi Delhi AAP Aravind Kejriwal
Advertisment
Advertisment