• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିହାରରେ ଆରମ୍ଭ ହୋଇଛି ନୀତିଶ ସରକାର ପାର୍ଟ-୨ । ଆଉ ନୂଆ ସରକାର ଗଠନ ହେବାର ମାତ୍ର କିଛି ଦିନ ଭିତରେ ନୀତିଶଙ୍କୁ ଲାଗିଛି ବଡ଼ ଝଟ୍‌କା । ବିହାରରେ ନୀତିଶ କୁମାରଙ୍କ ଦ୍ୱିତୀୟ ସଂସ୍କରଣ ଜୋରଦାର ଆରମ୍ଭ ହୋଇଥିବା ବେଳେ ସେପଟେ ମଣିପୁରରେ ସଫା ହୋଇଯାଇଛି ନୀତିଶଙ୍କ ଜେଡିୟୁ । ଗୋଟିଏ ପଟେ ନୀତିଶ ନିଜ ଦଳକୁ ଏକ ଜାତୀୟ ଦଳ ଭାବେ ବିସ୍ତାର କରିବାକୁ ଯୋଜନା କରୁଥିବାବେଳେ ଏପଟେ ଗୋଟିଏ ପରେ ଗୋଟିଏ ରାଜ୍ୟରୁ ମୂଳପୋଛ ହେଉଛି ଜେଡିୟୁ । ଅନ୍ୟପଟେ ନୀତିଶ କୁମାର ଦେଶରେ ମୋଦିଙ୍କ ବିକଳ୍ପ ବୋଲି ଜେଡିୟୁ ନେତା ଚିତ୍କାର କରୁଥିବା ବେଳେ ଏବେ ମଣିପୁର ଅବସ୍ଥା ଦେଖି ବିଜେପି ନେତା ନୀତିଶ ଓ ତାଙ୍କ ଦଳୀୟ ନେତାଙ୍କୁ ତାତ୍ସଲ୍ୟ କରିବା ଆରମ୍ଭ କରିଛନ୍ତି ।

ଜଣେ କି ଦୁଇ ଜଣ ନୁହେଁ, ମଣିପୁରରେ ଏକାଥରକେ ୬ ରୁ ୫ ଜଣ ବିଧାୟକ ନୀତିଶଙ୍କ ଜେଡିୟୁ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ତେବେ ନୀତିଶଙ୍କୁ ଏହା ଦୁର୍ବଳ କରିବ ବୋଲି ରାଜନୀତି ସମୀକ୍ଷକଙ୍କ ମତ । ବିହାରରେ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିବା ପରେ ମଣିପୁରର ୬ ବିଧାୟକଙ୍କ ମଧ୍ୟରୁ ୫ ବିଧାୟକ ବିଜେପି ସରକାରଠାରୁ ସମର୍ଥନ ଫେରାଇ ନେବେ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା । କିନ୍ତୁ ସେମାନେ ନୀତିଶଙ୍କ ଦଳ ଜେଡିୟୁ ଛାଡ଼ି ସିଧା ବିଜେପିରେ ସାମିଲ ହେବେ ବୋଲି ଜଣାନଥିଲା । ଯାହାକି ଏବେ ନୀତିଶଙ୍କୁ ଜୋରଦାର ଝଟ୍‌କା ଦେଇଛି ।

ମଣିପୁର ବିଧାନସଭା ସଚିବ ଏନେଇ ଏକ ବିଜ୍ଞପ୍ତି ଜାରି କରି ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଏହି ସୂଚନା ଦେଇଛନ୍ତି । ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରତୀୟ ସମ୍ବିଧାନର ଦଶମ ସୂଚୀ ଅନୁଯାୟୀ ଏହି ୫ ଜଣ ବିଧାୟକ ଏବେ ବିଜେପି ଦଳର ।

ବିଜେପି-ଜେଡିୟୁ ମେଣ୍ଟ ଥିବା ସମୟରୁ ହିଁ ଏହି ୫ ବିଧାୟକ ଅସନ୍ତୁଷ୍ଟ ଥିଲେ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ୫ ବିଧାୟକ ସେତେବେଳେ ଜେଡିୟୁ ଛାଡ଼ି ବିଜେପିରେ ମିଶିଲେ, ଯେତେବେଳେ ନୀତିଶ କୁମାର ମଣିପୁରରେ ବିଜେପି ଠାରୁ ସମର୍ଥନ ପ୍ରତ୍ୟାହାର କରିବେ ବୋଲି କହିଥିଲେ ।

ଗୋଟିଏ ପଟେ ନୀତିଶ କୁମାର ନିଜକୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଭାବେ ଦେଖୁଥିବାବେଳେ ଅନ୍ୟପଟେ ବିଜେପି ତାଙ୍କ ଦଳକୁ ଆଟାକ୍‌ କରିଚାଲିଛି । ଗତ ନଅ ଦିନରେ ଏହା ଜେଡିୟୁ ପାଇଁ ଦ୍ୱିତୀୟ ଝଟ୍‌କା । ଏହାପୂର୍ବରୁ ଅଗଷ୍ଟ ୨୫ରେ ଅରୁଣାଚଳ ପ୍ରଦେଶରେ ଜେଡିୟୁର ଥିବା ଜଣିଏ ମାତ୍ର ବିଧାୟକ ତେକି କାସୋ ବିଜେପିରେ ସାମିଲ ହୋଇଛନ୍ତି । ଏବେ ଅରୁଣାଚଳ ପ୍ରଦେଶରେ ମୂଳ ପୋଛ ହୋଇଛି ଜେଡିୟୁ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ ତେକି କାସୋ ।

ତେବେ ମଣିପୁର ଘଟଣା ପରେ ଜେଡିୟୁ ଏବଂ ବିଜେପି ମଧ୍ୟରେ ଆରମ୍ଭ ହୋଇଯାଇଛି ଟ୍ୱିଟର ୱାର । ୨୦୨୪ରେ ବିଜେପିର ଖେଳ ଖତମ ବୋଲି ଜେଡିୟୁ ନେତା କହୁଥିବା ବେଳେ ବିଜେପି ନେତା କହୁଛନ୍ତି ଏମିତି ଗୋଟିଏ ପରେ ଗୋଟିଏ ରାଜ୍ୟରୁ ମୂଳପୋଛ ହୋଇଯିବ ନୀତିଶଙ୍କ ଜେଡିୟୁ । ଅନ୍ୟପଟେ ଆଉ କିଛି ନେତା କହିଛନ୍ତି, ଅରୁଣାଚଳ – ମଣିପୁରରୁ ଦଳ ସଫା ହୋଇଯାଇଥିବା ବେଳେ ଆଗାମୀ ଦିନରେ ବିହାରରୁ ବି ଜେଡିୟୁକୁ ସଫା କରିଦେବେ ଲାଲୁ ।