• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜନୀତି ନିଶା ଆଗରେ ହାର ମାନିଛି ବୟସ ।  ଲୋକଙ୍କ ସେବା କରିବା ଲକ୍ଷ୍ୟରେ ବର୍ଷ ବର୍ଷ ଧରି ପ୍ରାର୍ଥୀ ହେଉଛନ୍ତି । ହେଲେ ପ୍ରତିଥର ତାଙ୍କୁ ନିରାଶ ହେବାକୁ ପଡ଼ିଛି । ୩୫ ବର୍ଷ ଧରି ସେ ପ୍ରତିଦ୍ୱନ୍ଦିତା କରି ହାରିଯିବା ପରେ ମଧ୍ୟ ଭାଙ୍ଗି ପଡ଼ିନାହାନ୍ତି ଅଶ୍ୱିନୀ । ତିହିଡିରେ ଦେଖିବାକୁ ମିଳିଛି କିଛି ଏଭଳି ଭିନ୍ନ ଦୃଶ୍ୟ । ପ୍ରତିଥର ନିର୍ବାଚନ ଲଢନ୍ତି ହେଲେ ଶେଷରେ ହାରି ମନକୁ ବୁଝାନ୍ତି । ପୁନଃ ନିର୍ବାଚନ ଆସିଲେ ସେ ଚଳଚଞ୍ଚଳ ହୋଇ ଉଠନ୍ତି । ନିଜର ଭଙ୍ଗା ସାଇକେଲକୁ ଧରି ଦୀର୍ଘ ବର୍ଷ ଧରି ନିଜର ନିର୍ବାଚନୀ ପ୍ରଚାର କରିଆସୁଛନ୍ତି । ପୂର୍ବରୁ ଶଗଡ ଥିବା ବେଳେ ଶଗଡରେ ନିଜର ଶଗଡ ଚିହ୍ନରେ ସେ ପ୍ରଚାର କରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟ ବଦଳି ଯାଇଛି । ଶଗଡ ପରିବର୍ତ୍ତେ ସାଇକେଲରେ ପ୍ରଚାର କରୁଛନ୍ତି । ସାଇକେଲରେ ନିଜର ବ୍ୟାନର ବାନ୍ଧି ଘର ଘର ବୁଲି ପ୍ରଚାର କରୁଛନ୍ତି ।

ତିହିଡି ବ୍ଳକ ଗୁଆମାଳ ପଞ୍ଚାୟତ ୧୮ ନଂ ୱାର୍ଡର ଅମୃତପୁର ବାସିନ୍ଦା ଅଶ୍ୱିନୀ ସେଠୀ। । ନିର୍ବାଚନ ଲଢିବା ତାଙ୍କ ପାଇଁ ଏକ ପ୍ରକାର ନିଶା । ୬୦ ବର୍ଷର ସେ ୩୫ ବର୍ଷ ହେଲା ନିର୍ବାଚନ ମଇଦାନରେ ପାଦ ଦେଉଛନ୍ତି, କିନ୍ତୁ ସବୁଥର ହାରୁଛନ୍ତି । ୩୫ ବର୍ଷ ହେଲା ୱାର୍ଡମେମ୍ବର ପାଇଁ ଲଗାତର ପ୍ରତିଦ୍ୱନ୍ଦିତା କରୁଛନ୍ତି । ଚଳିତ ନିର୍ବାଚନରେ ମଧ୍ୟ ନିଜ ଗାଁର ୧୮ ନଂ ୱାର୍ଡରୁ ଶଗଡ଼ ଚିହ୍ନରେ ୱାର୍ଡମେମ୍ବର ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି । ସବୁ ନିର୍ବାଚନରେ ପରାଜିତ ହେଉଥିଲେ ବି ନିଜକୁ ପରାଜିତ ସୈନିକ ନ ଭାବି ପ୍ରତିଦ୍ୱନ୍ଦିତା କରି ଚାଲିଛନ୍ତି । କୌତୁହଳର କଥା ସବୁଥର ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢନ୍ତି, କୌଣସି ଦଳରୁ ପ୍ରାର୍ଥୀ ହେବାକୁ ସେ ପସନ୍ଦ କରନ୍ତି ନାହିଁ ।

୨୦୧୨ ଓ ୨୦୧୭ ନିର୍ବାଚନରେ ସେ ୧୦୦ ଖଣ୍ଡ ଲେଖାଏଁ ଭୋଟ୍ ପାଇଥିଲେ । ତେବେ ପୂର୍ବ ନିର୍ବାଚନ ଗୁଡିକରେ ସେ ମାତ୍ର ୨୦ ରୁ ୪୦ ଖଣ୍ଡ ମୋଟ୍ ଭୋଟ ପାଇଛନ୍ତି ବୋଲି ଜଣାପଡ଼ିଛି । ସେ ମୋଟ୍ ୭ ଥର ସେ ନିର୍ବାଚନ ଲଢିଲେଣି । ୧୯୮୭ ମସିହା ଠାରୁ ପଞ୍ଚାୟତ ନିର୍ବାଚନରେ ସେ ୱାର୍ଡମେମ୍ବର ପ୍ରାର୍ଥୀ ଭାବେ ଲଗାତାର ନିର୍ବାଚନ ଲଢ଼ୁଛନ୍ତି । ଏଥର ୨୦୨୨ ନିର୍ବାଚନରେ ଲୋକେ ତାଙ୍କୁ ଅନୁକୁମ୍ପା ମୂଳକ ଭୋଟ୍ ଦେବାକୁ ଚାରିଆଡ଼େ ପ୍ରଚାର ଚାଲିଛି । ଦେଖାଯାଉ ଅଶ୍ୱିନୀଙ୍କ ଭାଗ୍ୟ କେବେ ଖୋଲୁଛି, ଭୋଟରମାନେ ତାଙ୍କ ପ୍ରତି କେବେ ଶୁଭଦୃଷ୍ଟି ପକାଉଛନ୍ତି ।

ଭଦ୍ରକରୁ ପାର୍ଥ ସାରଥୀ ନାୟକ‌ଙ୍କ ରିପୋର୍ଟ ଓଟିଭି