• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପାଣ୍ଡିଆନ୍‌ଙ୍କ VRSକୁ ନେଇ ଉଠୁଛିପଡ଼ୁଛି ରାଜ୍ୟ ରାଜନୀତି । ତିନି ପ୍ରମୁଖ ଦଳର ନେତାଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ବିଶେଷ କରି ବିରୋଧୀ ବିଜେପି ଓ କଂଗ୍ରେସ କଡ଼ା ପ୍ରତିକ୍ରିୟା ରଖୁଛନ୍ତି । ପାଣ୍ଡିଆନ୍‌ଙ୍କ VRSକୁ ନେଇ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କଡ଼ା ସମାଲୋଚନା କରିଛନ୍ତି ।

ସେ କହିଛନ୍ତି ପାଣ୍ଡିଆନଙ୍କ VRS ସହ ଏକ କଳଙ୍କିତ ଅଧ୍ୟାୟର ପରିସମାପ୍ତି ଘଟିଲା । ତାହା ସହ ବହୁ ବରିଷ୍ଠ IAS ଅଧିକାରୀଙ୍କର କଣ୍ଠରୋଧର ଅବସାନ ଘଟିଲା ବୋଲି କହିଛନ୍ତି ବିଜୟ । ଖାଲି ଏତିକି ଯେ ତାହାନୁହେଁ, ବିଜୟ ଆହୁରି କହିଛନ୍ତି ଯେ, ଆମେ ପଚାରିଥିବା ପ୍ରଶ୍ନର କୌଣସି ଉତ୍ତର ନଥିଲା, ତେଣୁ VRS ନିଆଗଲା । ଏବେ ତାଙ୍କର ପ୍ରଭାବ କ’ଣ ରହିବ ତାହା କେବଳ ସମୟ କହିବ । ବ୍ୟୁରୋକ୍ରାଟ୍‌ମାନେ ଏବେ କିଭଳି ଗ୍ରହଣ କରିବେ ଦେଖିବାକୁ ବାକି ରହିଲା ବୋଲି କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି ।

ସେହିପରି ସାଂସଦ ସପ୍ତଗିରି ଉଲାକା ମଧ୍ୟ ଏହି ଘଟଣାରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପାଣ୍ଡିଆନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଯଦି ଏଭଳି ଘଟେ ତେବେ ଆଶ୍ଚର୍ଯ୍ୟ ହେବନି ବୋଲି କହିଲେ ସପ୍ତଗିରି ଉଲାକା । ଖାଲି ଏତିକି ନୁହେଁ, VRS ଆବେଦନର ୩ ଦିନରେ ମଂଜୁରି ମିଳିବା ଆଶ୍ଚର୍ଯ୍ୟଜନକ ବୋଲି ଟୁଇଟ୍‌ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ସାଂସଦ ସପ୍ତଗିରି ଉଲାକା ।

ବିଜେପି ନେତା ମୋହନ ମାଝୀ ମଧ୍ୟ ପାଣ୍ଡିଆନଙ୍କ VRSକୁ ‘ଡ୍ରାମା’ ବୋଲି କହିଛନ୍ତି । ଗଣତନ୍ତ୍ରକୁ ହତ୍ୟା କରୁଥିବା ଅଭିଯୋଗ ଉଠିବା ପରେ VRS ଡ୍ରାମା କରାଯାଉଥିବା ସେ କହିଛନ୍ତି । ତାହା ସହ ପାଣ୍ଡିଆନ ବିଜେଡି ପାଇଁ ଆଗରୁ ଯାହା କରୁଥିଲେ ଏବେ ସେଇଆ କରିବେ । କ୍ୟାବିନେଟ ରାଙ୍କର କୌଣସି ପଦରେ ରହି ନବୀନଙ୍କୁ ହ୍ୟାଣ୍ଡଲିଙ୍ଗ୍‌ କରିବେ । ଯାହା କଲେ ବି ବିଜେଡି ଅସଫଳ ହେବ, ୨୦୨୪ରେ ରାସ୍ତା ବନ୍ଦ ବୋଲି ସେ କହିଛନ୍ତି ।

ପାଣ୍ଡିଆନଙ୍କ VRS ମଂଜୁର ପରେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପାଣ୍ଡିଆନ୍‌ ଚାକିରିରୁ VRS ନେଇଥିବାରୁ ୱେଲକମ୍‌ ଜଣାଉଛି । ଏବେ ସେ କ’ଣ କରିବେ ସ୍ପଷ୍ଟ ହେଲେ ଯାହା ମତ ଦେବି । ସେ ଯଦି ରାଜନୀତି କରିବେ ଆମେ ବ୍ୟାଟିଂ ପାଇଁ ପ୍ରସ୍ତୁତ । ସମ୍ବିଧାନର ଖିଲାପ କରୁଥିଲେ, ଗଣତନ୍ତ୍ରର ହତ୍ୟା କରୁଥିଲେ ପାଣ୍ଡିଆନ । ସେ ବିଜେଡିରେ ମିଶିଲେ ପ୍ରଭାବ ପଡ଼ିବନି ବରଂ ଦଳର କ୍ଷତି ହେବ । ସେ ପ୍ରଚାର କରିବା ପରଠୁ ନବୀନଙ୍କ ଲୋକପ୍ରିୟତା ୧୭% ଖସିଛି ବୋଲି ସାଲୁଜା କହିଛନ୍ତି ।