• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

5T ସଚିବଙ୍କ ହେଲିକେପ୍ଟର ଗସ୍ତକୁ ନେଇ ବଢୁଛି ବିବାଦ । ବିଭିନ୍ନ ଜିଲ୍ଲାକୁ ହେଲିକପ୍ଟରରେ ଯିବା ଯୋଗୁଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା କହି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ଦୂର ଦୂରାନ୍ତ ଜିଲ୍ଲା କଥା ଛାଡ଼ନ୍ତୁ ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଓ ନାଚୁଣୀକୁ ମଧ୍ୟ 5T ସଚିବ ଆକାଶ ମାର୍ଗରେ ହିଁ ଯିବାର କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ।

ହେଲିକପ୍ଟରରେ 5T ସଚିବଙ୍କ ଗସ୍ତକୁ ନେଇ ଘନେଇଲା ବିବାଦ । ବ୍ଲକରୁ ବ୍ଳକ୍ ଗଲେ ବି ଗାଡ଼ି ବଦଳରେ ବ୍ୟବହାର ହେଉଛି ହେଲିକପ୍ଟର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଭଳି ପୁରା କାରକେଡ୍ ସହିତ ଗସ୍ତ କରୁଛନ୍ତି 5T ସଚିବ । ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଏହା କେତଦୂର ଗ୍ରହଣୀୟ ? 5T ସଚିବ ଭି.କେ.ପାଣ୍ଡିଆନ୍ ଗୋଟିଏ ପରେ ଗୋଟିଏ ଜିଲ୍ଲା ଗସ୍ତ କରି, ଏହା ଭିତରେ ପାଖାପାଖି ୨୭ଟି ଜିଲ୍ଲା ବୁଲି ସାରିଲେଣି । ଭୁବନେଶ୍ବରରୁ ସବୁ ଜିଲ୍ଲାକୁ ହେଲିକପ୍ଟରରେ ଯାଉଛନ୍ତି । ଏପରିକି ବ୍ଲକରୁ ବ୍ଳକ୍ ଯିବା ପାଇଁ ବି ଦରକାର ପଡୁଛି ହେଲିକପ୍ଟର ।

ଦୂର ଜିଲ୍ଲା କଥା ଛାଡ଼ନ୍ତୁ ଭୁବନେଶ୍ୱର ନିକଟରେ ଥିବା ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଓ ନାଚୁଣିରେ ଆସନ୍ତାକାଲିର କାର୍ଯ୍ୟକ୍ରମ ପାଇଁ ଆକାଶ ମାର୍ଗ ହିଁ ସ୍ଥିର ହୋଇଛି । ଏଥିପାଇଁ ବେଗୁନିଆ ଓ ନାଚୁଣିଠାରେ ତିଆରି ହୋଇଛି ହେଲିପ୍ୟାଡ୍ । ତେବେ ପାଖବାଟକୁ ସଡ଼କ ପଥରେ ନଯାଇ ହେଲିକପ୍ଟରରେ ଯାଉଥିବାରୁ ଦେଖାଦେଇଛି ବିବାଦ ।

ନିକଟରେ ଖୋଦ୍ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ 5T ସଚିବଙ୍କ ହେଲିକପ୍ଟର ଗସ୍ତ ଓ ସବୁ ଜିଲ୍ଲାରେ ସଭା ସମିତି ପାଇଁ ପ୍ରାୟ ୩ଶହ କୋଟି ଖର୍ଚ୍ଚ କରାଯାଉଛି ବୋଲି ନିଜ ଖବର କାଗଜରେ ଲେଖିଥିଲେ । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏହାକୁ କଡ଼ା ସମାଲୋଚନା କରିଛନ୍ତି । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାଏ ରାଜସ୍ୱହାନୀ ହେଉଥିବା କହି ବୋଲି ସମାଲୋଚନା କରିଥିବା ବେଳେ ବିଜେଡି ବିଧାୟକ ଅଶୋକ ବଳ ତାର ଜବାବ୍ ରଖିଛନ୍ତି ।

ଭୁବନେଶ୍ୱରରୁ ଖୋର୍ଦ୍ଧା ସହର ପ୍ରାୟ ୨୫ କିଲୋମିଟର ବାଟ । ସେଠାକୁ ବି 5T ସଚିବଙ୍କ ଗସ୍ତ ପାଇଁ ଖୋର୍ଦ୍ଧା ଷ୍ଟାଡିୟମରେ ଏକ ହେଲିପ୍ୟାଡ୍ ନିର୍ମାଣ କରାଯାଉଥିଲା । ତେବେ ଖୋର୍ଦ୍ଧା କ୍ରିକେଟ ଆସୋସିଏସେନ୍ ସମେତ ଅନ୍ୟ ଖେଳାଳିମାନେ ଏହାକୁ ବିରୋଧ କରିବାରୁ ସେଠାରେ ହେଲିପ୍ୟାଡ୍ ନିର୍ମାଣ ବନ୍ଦ ରହିଛି । କିନ୍ତୁ ବେଗୁନିଆ ଓ ନାଚୁଣୀରେ ହେଲିପ୍ୟାଡ୍ ପ୍ରସ୍ତୁତ ହୋଇ ରହିଛି ।

ଅନ୍ୟପକ୍ଷରେ 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତରେ ପ୍ରକୃତରେ କେତେ ଟଙ୍କା ଖର୍ଚ୍ଚ ହେଉଛି । ଏନେଇ RTIରେ ତଥ୍ୟ ମଗାଯାଇଥିଲେ ବି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏ ସଂପର୍କିତ ତଥ୍ୟ ନାହିଁ ବୋଲି କୁହାଯାଇଛି । ସେପଟେ ଏଭଳି ଗସ୍ତକୁ ସ୍ଥାନୀୟ ଅଂଚଳରେ ବି ସମାଲୋଚନା କରାଯାଇଛି । ଗତ ଶନିବାର 5T ସଚିବଙ୍କୁ ବିରୋଧ କରି ସତ୍ୟବାଦୀରେ କାଳିମାଡ଼ ହୋଇଥିଲା । ଏବେ ତାଙ୍କ ହେଲିକେପ୍ଟର ଗସ୍ତକୁ ନେଇ ବିବାଦ ତେଜୁଛି ।

  • Reported by:
  • BALRAM LENKA , HARIHARA CHAND , JAGDISH DAS