ଦେଶର ରାଜନୈତିକ ଇତିହାସରେ ୨୦୨୪ ବର୍ଷ ଅନେକ ଦୃଷ୍ଟିରୁ ସ୍ମରଣୀୟ ହୋଇ ରହିବ । ୨୦୨୪ର ପଦଚିହ୍ନ ସତରେ ଅଭୁଲା । ଏହି ବର୍ଷ ଦେଶରେ ହୋଇଛି ସାଧାରଣ ନିର୍ବାଚନ ଓ ବିଭିନ୍ନ ରାଜ୍ୟରେ ମଧ୍ୟ ହୋଇଛି ବିଧାନସଭା ନିର୍ବାଚନ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦ ଅଳଂକୃତ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି ।
୧- ଲୋକସଭା ନିର୍ବାଚନ :
୨୦୨୪ ଏପ୍ରିଲ ୧୯ରୁ ଜୁନ୍ ୧ ମଧ୍ୟରେ ୭ଟି ପର୍ଯ୍ୟାୟରେ ଦେଶରେ ହୋଇଥିଲା ମତଦାନ । ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରିଥିଲା । ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି । ଏହି ନିର୍ବାଚନରେ ଇଣ୍ଡି ମେଣ୍ଟକୁ ମଧ୍ୟ ବିଶେଷ ସଫଳତା ମିଳିନଥିଲା । ତେବେ କଂଗ୍ରେସର ଆସନ ସଂଖ୍ୟା ୫୨ରୁ ୯୯କୁ ବୃଦ୍ଧି ପାଇଥିଲା ।
ଅଧିକ ପଢ଼ନ୍ତୁ: 2025 ପାଇଁ ଭବିଷ୍ୟବାଣୀ: ନିୟନ୍ତ୍ରଣ ବାହାରକୁ ଚାଲିଯିବ AI...ଏଲିଅନଙ୍କ ସହ ହେବ ଯୋଗାଯୋଗ
୨- ମହାରାଷ୍ଟ୍ର ବିଧାନସଭା ନିର୍ବାଚନ :
ମହାରାଷ୍ଟ୍ରରେ ହୋଇଥିବା ବିଧାନସଭା ନିର୍ବାଚନରେ ଶାସକ ମହାୟୁତି ବିପୁଳ ଭୋଟରେ ବିଜୟ ହାସଲ କରିଥିଲା । ବିଜେପି ୧୩୨ ଆସନରେ, ଏକନାଥ ଶିନ୍ଦେଙ୍କ ଶିବସେନା ୫୭ ଆସନରେ ବିଜୟୀ ହୋଇଥିବା ବେଳେ ଅଜିତ ପାୱାରଙ୍କ ଏନସିପି ପାଇଥିଲା ୪୧ ଆସନ । ତେବେ ଏହି ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ମହା ବିକାଶ ଅଘାଡିକୁ ବିପର୍ଯ୍ୟୟର ସାମନା କରିବାକୁ ପଡିଥିଲା । ଉଦ୍ଧବ ଠାକରେଙ୍କ ଅଧୀନରେ ଥିବା ଶିବସେନା ୨୦ଟି ଆସନ, କଂଗ୍ରେସ ୧୬ଟି ଆସନ ଓ ଶରଦ ପାୱାରଙ୍କ ଏନସିପିକୁ ମାତ୍ର ୧୦ ଆସନ ଦେଇଥିଲେ ମହାରାଷ୍ଟ୍ରର ଭୋଟର । ତେବେ ବଡ କଥା ହେଉଛି, ଏହି ନିର୍ବାଚନ ପରେ ଉପମୁଖ୍ୟମନ୍ତ୍ରୀ ଥିବା ବିଜେପିର ଦେବେନ୍ଦ୍ର ଫଡନାଭିସ୍ ହୋଇଥିଲେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଥିବା ଏକନାଥ ଶିନ୍ଦେ ହୋଇଥିଲେ ଉପମୁଖ୍ୟମନ୍ତ୍ରୀ ।
୩- ଜମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନ :
ଜମ୍ମୁ ଓ କାଶ୍ମୀରରେ ୨୦୧୯ରେ ୩୭୦ ଧାରା ଉଚ୍ଛେଦ ପରେ ଏ ବର୍ଷ ପ୍ରଥମ ଥର ହୋଇଥିଲା ବିଧାନସଭା ନିର୍ବାଚନ । ଏଥିରେ ନ୍ୟାସନାଲ୍ କନଫରେନ୍ସ ୪୨ ଆସନ ଜିତି ପୁଣି ଥରେ ସରକାର ଗଠନ କରିଛି । ନ୍ୟାସନାଲ୍ କନଫରେନ୍ସ ନେତା ଓମାର ଅବଦୁଲ୍ଲା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପି ୨୯ ଓ ପିଡିପି ୩ ଆସନରେ ଜିତିଛନ୍ତି।
୪- ହରିୟାଣା ବିଧାନସଭା ନିର୍ବାଚନ :
ହରିୟାଣାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ୪୮ଟି ଆସନରେ ଜିତି ସରକାର ଗଠନ କରିଛି । ଲଗାତର ୩ ଥର ଜିତି ହରିୟାଣାରେ ରେକର୍ଡ କରିଛି ବିଜେପି । ଏକଜିଟ ପୋଲ୍ ରିପୋର୍ଟ କହୁଥିଲା ହରିୟାଣାରେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ସରକାର ଗଢିବ । କିନ୍ତୁ ନିର୍ବାଚନ ଫଳାଫଳ ଏହାକୁ ଭୁଲ୍ ପ୍ରମାଣିତ କରିଛି । ନାୟବ ସିଂ ସୈନୀ ପୁନର୍ବାର ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।
୫- ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା :
ଦିଲ୍ଲୀରେ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲ୍ ଗଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ । ଏହି ମାମଲାରେ ସେ ଜେଲ୍ ଯିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଛାଡୁନଥିଲେ । ପରେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ କ୍ୟାବିନେଟ୍ ମନ୍ତ୍ରୀ ଆତିଶୀ ହୋଇଥିଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଯଦି ଆପକୁ ବହୁମତ ମିଳେ, କେଜରିୱାଲ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶାବାନ୍ଧି ବସିଛନ୍ତି ।
୬- ଜେଲରୁ ଫେରି ମୁଖ୍ୟମନ୍ତ୍ରୀ:
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ୨୦୨୪ ଜାନୁଆରୀରେ ଏକ ଦୁର୍ନୀତି ମାମଲାରେ ଜେଲ୍ ଯାଇଥିଲେ । ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା । ଜାମିନରେ ଆସି ସେ ପୁଣି ଧରିଥିଲେ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ମଙ୍ଗ । ବିଧାନସଭା ନିର୍ବାଚନରେ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ୩୪ଟି ଆସନରେ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ହେମନ୍ତ ସୋରେନ୍ ପୁଣି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।
୭- ପ୍ରିୟଙ୍କା ଗାନ୍ଧୀ ଭଦ୍ରା :
ନେହରୁ ଗାନ୍ଧୀ ପରିବାରର ଅନ୍ୟତମ ସଦସ୍ୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଭାଇ ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନରୁ ଇସ୍ତଫା ଦେବା ପରେ ସେହି ଆସନରେ ଲଢି ଲୋକସଭାକୁ ଏଣ୍ଟ୍ରି ମାରିଛନ୍ତି ପ୍ରିୟଙ୍କା । ଉପନିର୍ବାଚନରେ ସେ ୬୪.୯୯ ପ୍ରତିଶତ ଭୋଟ ପାଇ ରେକର୍ଡ କରିଛନ୍ତି । ପ୍ରିୟଙ୍କାଙ୍କ ବିଜୟ ପରେ ଏବେ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାରର ତିନି ଜଣ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଓ ରାହୁଲ୍ ସାଂସଦ ହୋଇଛନ୍ତି ।
୮- ରାହୁଲ ଗାନ୍ଧୀ :
ଦକ୍ଷିଣ ଛାଡି ଉତ୍ତରରେ ରାହୁଲ ଗାନ୍ଧୀ । କେରଳର ୱାୟନାଡ ଆସନରୁ ଇସ୍ତଫା ଦେଇ ଉତ୍ତରପ୍ରଦେଶର ରାଏବରେଲି ଆସନ ହାତରେ ରଖିଲେ ରାହୁଲ୍ । ଗତ ନିର୍ବାଚନରେ ସେ ଦୁଇଟିଯାକ ଆସନରୁ ବିଜୟୀ ହୋଇଥିଲେ । ତାଙ୍କ ପରିବାରର ହସ୍ତମୁଦି ମାହାଲ କୁହାଯାଉଥିବା ରାଏବରେଲି ଲୋକସଭା ଆସନର ସାଂସଦ ରହିଛନ୍ତି ରାହୁଲ୍ ।
୯- ନବୀନ ପଟ୍ଟନାୟକଙ୍କ ପରାଜୟ :
ଓଡିଶାରେ ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଗାଦିଚ୍ୟୁତ ହୋଇଛନ୍ତି । ବିଧାନସଭା ନିର୍ବାଚନରେ ବିଜେଡି ମାତ୍ର ୫୧ଟି ଆସନରେ ଜିତି ବିରୋଧୀ ଦଳ ଆସନରେ ବସିଛି । ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ନବୀନ ଗୋଟିଏ ଆସନରେ ଜିତି ଥିବାବେଳେ ଆଉ ଏକ ଆସନରେ ହାରିଯାଇଛନ୍ତି । ଓଡ଼ିଶାରେ କ୍ଷମତାକୁ ଆସିଛି ବିଜେପି ।
୧୦- ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ :
୨୦୨୪ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ତେଲୁଗୁଦେଶମ୍ ପାର୍ଟିର ବିପୁଳ ବିଜୟ ହୋଇଛି । ୧୪୪ଟି ଆସନରେ ପ୍ରାର୍ଥୀ ଦେଇଥିବା ତେଲୁଗୁଦେଶମ୍ ପାର୍ଟି ୧୩୫ଟି ଆସନରେ ଜିତିଛି । ୨୧ଟି ଆସନରେ ପ୍ରାର୍ଥୀ ଦେଇଥିବା ଜନସେନା ପାର୍ଟି ୨୧ଟି ଯାକ ଆସନରେ ବିଜୟୀ ହୋଇଛି । ଏନଡିଏ ମେଣ୍ଟ ଗଢିଛି ସରକାର । ତେଲୁଗୁଦେଶମର ଏନ୍ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ଓ ଜନସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ।