• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଂଗ୍ରେସକୁ ମିଳୁନି କି ମୁଖିଆ ? ସର୍ବପୁରାତନ ଦଳରେ ଏକପ୍ରକାର ମୁଖିଆ ମରୁଡ଼ି ପଡ଼ିଛି । ଜଣେ ଅଣଗାନ୍ଧୀ କଂଗ୍ରେସ କମାଣ ଧରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବରିଷ୍ଠ ନେତା ଏମ. ମଲ୍ଲିକାର୍ଜୁନ ଖଡ଼ଗେ ବଡ଼ ବୟାନ୍‌ ଦେଇଛନ୍ତି । କଂଗ୍ରେସର ହର୍ତ୍ତାକର୍ତ୍ତା ଦଇବ ବିଧାତା ସାଜିବାକୁ ରାହୁଲ ଗାନ୍ଧୀଙ୍କୁ ବାଧ୍ୟ କରାଯିବ ବୋଲି ସେ କହିଛନ୍ତି । କାରଣ ଦଳରେ ତାଙ୍କ ବ୍ୟତୀତ ଅନ୍ୟ କୌଣସି ଦ୍ୱିତୀୟ ବ୍ୟକ୍ତିତ୍ୱ ନାହାନ୍ତି, ଯିଏ ପୂରା ଭାରତରେ ପରିଚିତ । ଦଳର ନେତୃତ୍ୱ ନେବାକୁ ଚାହୁଁଥିବା ବ୍ୟକ୍ତି ସାରା ଦେଶରେ ଜଣାଶୁଣା ହେବା ଉଚିତ । କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ତଥା ପଶ୍ଚିମବଙ୍ଗରୁ ଗୁଜୁରାଟ ପର୍ଯ୍ୟନ୍ତ ତାଙ୍କୁ ସମର୍ଥନ କରାଯିବା ଉଚିତ।

ଖଡକେ ଶୁକ୍ରବାର ଦିନ କହିଛନ୍ତି , ସମଗ୍ର କଂଗ୍ରେସ ଦଳ ସହ ପରିଚିତ ଜଣେ ବ୍ୟକ୍ତି ହେବା ଉଚିତ ଦଳର ସଭାପତି । ହେଲେ ବର୍ତ୍ତମାନ ଦଳରେ ଏପରି ସ୍ଥିତି ନାହିଁ । ଏଥିପାଇଁ ସମସ୍ତ ବରିଷ୍ଠ ନେତା ସୋନିଆ ଗାନ୍ଧୀଙ୍କୁ ଦଳୀୟ କାମରେ ଯୋଗଦେବାକୁ ବାଧ୍ୟ କରିବା ସହ ରାହୁଲ ଗାନ୍ଧୀଙ୍କୁ କମାଣ ସମ୍ଭାଳିବାକୁ ଅନୁରୋଧ କରିଛନ୍ତି ।

କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ସଭାପତି ପଦ ପାଇଁ ଅନିଚ୍ଛା ପ୍ରକାଶ କରୁଥିବା ବେଳେ ତାଙ୍କର ବିକଳ୍ପ ଚେହେରା କଂଗ୍ରେସରେ ନାହିଁ ବୋଲି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ତାଙ୍କୁ ଦଳ ପାଇଁ, ଦେଶ ପାଇଁ, ରାଷ୍ଟ୍ରିୟ ସ୍ୱୟଂସେବକ ସଂଗଠନ (ଆରଏସଏସ) - ଭାରତୀୟ ଜନତା ପାର୍ଟି (ବିଜେପି) ସହ ଲଢ଼ିବା ସହ ଦେଶକୁ ଏକଜୁଟ ରଖିବା ପାଇଁ ଦାୟିତ୍ୱ ନେବାକୁ ପଡ଼ିବ ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ଖବର ଆସୁଥିଲା ଦଳର କମାଣ୍ଡ ଜଣେ ଅଣ ଗାନ୍ଧୀଙ୍କ ନିକଟକୁ ଯିବ । କାରଣ ବୟସାଧିକ ଓ ସ୍ୱାସ୍ଥ୍ୟଗତ କାରଣରୁ ସୋନିଆ ଦଳର ନେତୃତ୍ୱ ନେବା ସ୍ଥିତିରେ ନାହାନ୍ତି । ସେହିପରି ଦଳର ମଙ୍ଗ ଧରିବେ ନାହିଁ ବୋଲି ସଫା ସଫା କହି ସାରିଛନ୍ତି ରାହୁଲ ଗାନ୍ଧୀ । ତେଣୁ ଜଣେ ଅଣଗାନ୍ଧୀ ହିଁ ଦଳୀୟ ସଭାପତି ପଦରେ ବସିବା ଏକରକମ ନିଶ୍ଚିତ ହୋଇଥିଲା । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଦଳର ନେତୃତ୍ୱ ନେବା ପାଇଁ ସୋନିଆ ଅନୁରୋଧ କରିଥିବା ଚର୍ଚ୍ଚା ହେଉଥିଲା । ହେଲେ ଏବେ କଂଗ୍ରେମ କମାଣ ରାହୁଲଙ୍କ ପାଖକୁ ଯାଇପାରେ ବୋଲି କୁହାଯାଉଛି ।