• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭଉଣୀଙ୍କୁ ଅପମାନ ହେଲେ ଭାଇ ଚୁପ । ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀଙ୍କ ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗରେ କାହିଁକି ଚୁପ୍ ନବୀନ? ରାଷ୍ଟ୍ରପତି ନିର୍ବାଚନରେ ମାଟିର ଝିଅ ଦ୍ରୌପଦୀଙ୍କୁ ସମର୍ଥନ କରିଥିଲେ ନବୀନ । ଆଉ ଏଥିରୁ ଶ୍ରେୟ ନେବା ପାଇଁ ଭରପୁର ଉଦ୍ୟମ କରିଥିଲା ବିଜେଡି । ତେବେ ରାକ୍ଷୀ ଭଉଣୀଙ୍କୁ ପ୍ରତି ଅଧୀର ନିନ୍ଦା ସୂଚକ ଶଦ୍ଦ ପ୍ରୟୋଗ କରିଥିବା ବେଳେ କାହିଁକି କିଛି କହୁନାହାନ୍ତି ନବୀନ, ତାକୁ ନେଇ ଉଠିଛି ପ୍ରଶ୍ନ । ନବୀନଙ୍କ ନୀରବତାକୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ସ୍ୱାର୍ଥ ହାସଲ ଲାଗି ନବୀନ ରାଜନୀତି କରୁଥିବା ବିଷ୍ଣୁ  ଅଭିଯୋଗ କରିଛନ୍ତି । ବିଜେଡି ମଧ୍ୟ ଏହାର ଜବାବ ରଖିଛି ।

ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ ଝିଅ ଦୌପ୍ରଦୀ ମୁର୍ମୁଙ୍କୁ ସମର୍ଥନ ଦେଇଥିଲେ ନବୀନ । ଦ୍ରୌପଦୀଙ୍କ ବିଜୟ ପରେ ରାଜ୍ୟବ୍ୟାପୀ ସେଲିବ୍ରେସନ କରିଥିଲା ବିଜେଡି । ମୁଖ୍ୟମନ୍ତ୍ରୀ  ଗତକାଲି ଲେଖିଥିବା ଏ ମାଟିର କନ୍ୟା ଆର୍ଟକିଲ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ନବୀନଙ୍କ ଅସଲ ଉଦ୍ଦେଶ୍ୟକୁ ନେଇ ଉଠିଛି ପ୍ରଶ୍ନ । ଦ୍ରୌପଦୀଙ୍କ ପ୍ରତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ଅପଶଦ୍ଦ ପ୍ରୟୋଗ ପ୍ରସଙ୍ଗରେ ନବୀନ ଚୁପ୍ ରହିବାକୁ ନାପସନ୍ଦ କରିଛି ବିଜେପି । 

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଟୁଇଟ କରି ସିଧାସଳଖ ନବୀନଙ୍କୁ  ନିଶାନା କରିଛନ୍ତି । ଅପମାନ ବେଳେ ଆପଣଙ୍କ ହୃଦୟକୁ କଷ୍ଟ ହେଲାନି କି ବୋଲି ପ୍ରଶ୍ନ ପଚାରିବା ସହ ଭାଇ ହିସାବରେ ନବୀନ କାହିଁକି ଚୁପ୍ ବୋଲି ଜାଣିବାକୁ ଚାହିଁଛନ୍ତି । ଭଉଣୀ ପାଇଁ ସ୍ନେହ କେବଳ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ବୋଲି ସେ ଅଭିଯୋଗ କରିଛନ୍ତି । ତେଣେ ଘରୁକୁ ଡାକି ଖାଇବାକୁ ଦେଲେ, ଭଉଣୀ ବୋଲି ସମ୍ବୋଧନ କଲେ, ହେଲେ ଅପମାନ ବେଳେ ଚୁପ । ନବୀନଙ୍କୁ ଏଭଳି ଢଙ୍ଗରେ ସମାଲୋଚନା କରିଛନ୍ତି ବିଜେପି ବିଧାୟକ ନାଉରୀ ନାୟକ ।

 

ତେବେ ସବୁ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିବାର ଆବଶ୍ୟକତା ନାହିଁ ବୋଲି କହିଛି ବିଜେଡି । ସଂସଦରେ ହୋଇଥିବା ପ୍ରତିବାଦରେ ବିଜେଡି ସାମିଲ ହୋଇଥିଲା ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ । ବିଜେଡି -ବିଜେପି ଉଭୟଙ୍କୁ ସୁହାଇଲା ଭଳି ରାଜନୀତି କରୁଥିବା ଅଭିଯୋଗ କରିଛି କଂଗ୍ରେସ ।

ଦୌପ୍ରଦୀ ମୁର୍ମୁଙ୍କୁ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ତୁରନ୍ତ ପ୍ରତିକ୍ରିୟା ରଖିଥିଲେ ନବୀନ । ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ତାଙ୍କ ସହ କଥା  ହୋଇଥିବା ଟୁଇଟ କରି ଜଣାଇଥିଲେ । ତାପରେ ଦ୍ରୌପଦୀଙ୍କ ପାଇଁ ସମର୍ଥନ ଯୋଗାଡ଼ରେ ଲାଗି ପଡିଥିଲା ବିଜେଡି । ଆଦିବାସୀ ଓ ମହିଳା ଭୋଟ ଯେପରି ହାତରୁ ଖସି ନଯିବ ଓ ବିଜେପି ମାଇଲେଜ୍ ନେଇ ନଯିବ, ସେଥିପାଇଁ ବିଜେଡି ଏଭଳି ତତ୍ପରତା ଦେଖାଇଥିବା କହିଛନ୍ତି ରାଜନୈତିକ ସମୀକ୍ଷକ । ରାଷ୍ଟ୍ରପତି ନିର୍ବାଚନ ପରେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନକଡ଼ଙ୍କୁ ବି ସମର୍ଥନ କରିଛି ବିଜେଡି । ତେବେ ଆଗାମୀ ଦିନରେ ଦୁଇ ଦଳର ସଂପର୍କ କେଉଁ ମୋଡ ନେଉଛି, ତା ଉପରେ ନଜର ରହିଛି ।

ରିପୋର୍ଟର- ଅବଦୁଲ ଅଜିଜ ଓ ବିଶ୍ୱଜିତ, ହରିହର ଚାନ୍ଦ