• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଧ୍ୟପ୍ରଦେଶରେ ସରକାର ଗଢ଼ିବ ବିଜେପି । ଆଜି ରେଜଲ୍ଟ ଡେ’ରେ ସକାଳ ୧୧.୩୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁସାରେ ଅଧିକାଂଶ ସିଟରେ ବିଜେପି ଆଗୁଆ ରହିଛି । ୨୩୦ ବିଧାନସଭା ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ସରକାର ଗଢ଼ିବାକୁ ହେଲେ ଦଳକୁ ମ୍ୟାଜିକ ନମ୍ବର ୧୧୬ ଛୁଇଁବାକୁ ପଡ଼ିବ । ଟ୍ରେଣ୍ଡ ଅନୁସାରେ ବିଜେପି ଆରାମରେ ଏହି ମ୍ୟାଜିକ ନମ୍ବର ପାର୍ କରିଛି । ୧୫୬ ସିଟରେ ଆଗୁଆ ରହିଛି ଦଳ । ୨୦୧୮ ଅପେକ୍ଷା ଏହା ୪୭ଟି ଅଧିକ ।

ଅନ୍ୟପଟେ କଂଗ୍ରେସ ୭୧ଟି ଆସନରେ ଆଗୁଆ ରହିଛି । ଦଳକୁ ୪୩ଟି ଆସନର ଘାଟା ହେଉଥିବା ଦେଖାଯାଉଛି ।

ତେବେ ଏହି ଟ୍ରେଣ୍ଡକୁ ଦେଖି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି, ଜନକଲ୍ୟାଣକାରୀ ଯୋଜନା ଓ ମୋଦିଙ୍କ ନେତୃତ୍ୱ ପାଇଁ ଲୋକେ ପୁଣି ଥରେ ବିଜେପିକୁ ଭୋଟ ଦେଇଛନ୍ତି । ୨୦୦୫ରୁ ୨୦୧୮ ଯାଏ ଶିବରାଜ ମୁଖ୍ୟମନ୍ତ୍ରୀ ଥିଲେ । କିନ୍ତୁ ୨୦୧୮ ସାଧାରଣ ନିର୍ବାଚନରେ କଂଗ୍ରେସ ଜିତିଥିଲା । ହେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ପରେ ୨୦୨୦ ମାର୍ଚ୍ଚରେ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା । ଫଲରେ ପୁଣି କ୍ଷମତାକୁ ଫେରିଥିଲା ବିଜେପି । ଶିବରାଜ ସିଂହ ଚୌହ୍ୱାନ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏବେ ତାଙ୍କରି ନେତୃତ୍ୱରେ ହିଁ ମଧ୍ୟପ୍ରଦେଶରେ ବିଜେପି ପୁଣି ସରକାର ଗଠନ କରିବାକୁ ଯାଉଛି । 

ଏହି ଟ୍ରେଣ୍ଡକୁ ଦେଖି ବିଜେପିର ପାୱାରଫୁଲ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ବିଜେପି ପୂର୍ଣ୍ଣ ବହୁମତ ନୁହେଁ ବରଂ ସମ୍ପୂର୍ଣ୍ଣ ବହୁମତ ସହ ମଧ୍ୟପ୍ରଦେଶରେ ସରକାର ଗଠନ କରିବ । ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚିଛି, ଲୋକେ ମୋଦିଙ୍କୁ ଭଲ ପାଆନ୍ତି । ତେଣୁ ବିଜେପି ପ୍ରତି ଲୋକଙ୍କ ଖୁବ୍‌ ଆସ୍ଥା ରହିଛି । ଏବେ ସମ୍ପୂର୍ଣ୍ଣ ରେଜଲ୍ଟ ଆସିନି, ଆଗକୁ ରେଜଲ୍ଟ ବାକି ଅଛି । ଗଣତି ସରିଲେ ଚିତ୍ର ସ୍ପଷ୍ଟ ହେବ ।

ସେହିଭଳି ଅନ୍ୟ ୩ ରାଜ୍ୟ ମଧ୍ୟରୁ ତେଲେଙ୍ଗାନାରେ କଂଗ୍ରେସ ଆଗୁଆ ରହିଛି । ପୂର୍ବରୁ ଏଠାରେ BRS ସରକାର ଗଠନ କରିଥିଲା । BRS ମୁଖ୍ୟ KCR ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଥିଲେ । କିନ୍ତୁ ଏବେ ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି । ଦିନ ୧୧.୩୦ ସୁଦ୍ଧା ଯେଉଁ ଟ୍ରେଣ୍ଡ ଦେଖାଯାଇଛି ସେଥିରେ କଂଗ୍ରେସ ୬୬ ସିଟ୍‌ରେ ଆଗୁଆ ରହିଥିବା ବେଳେ ବିଜେପି ୧୦ ସିଟ୍‌ରେ ଆଗୁଆ ରହିଛି । ଅନ୍ୟାନ୍ୟ ଦଳ ମଧ୍ୟରୁ AIMIM ୩ଟି ସିଟ୍‌ରେ ଆଗୁଆ ରହିଛି ।

ସେପଟେ ଛତିଶଗଡ଼ରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । କେତେବେଳେ ବିଜେପି ଆଗରେ ତ କେତେବେଳେ କଂଗ୍ରେସ ଆଗକୁ ଯାଉଛି । ତେବେ ଦିନ ୧୧.୩୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁସାରେ ବିଜେପି ୪୯ ଓ କଂଗ୍ରେସ ୩୯ ସିଟ୍‌ରେ ଆଗୁଆ ରହିଛି । ଏଠାରେ ସରକାର ଗଢ଼ିବାକୁ ହେଲେ ଦଳକୁ ୯୦ ବିଧାନସଭା ଆସନ ମଧ୍ୟରୁ ୪୬ ଆସନ ଜିତିବାକୁ ପଡ଼ିବ ।

ସେହିଭଳି ରାଜସ୍ଥାନରେ କଂଗ୍ରେସ ସରକାରରୁ ଓହ୍ଲାଉଥିବା ଦେଖାଯାଉଛି । କାରଣ ଆରମ୍ଭରୁ ବିଜେପି ଟ୍ରେଣ୍ଡରେ ଆଗୁଆ ରହିଛି । ଦିନ ୧୧.୩୦ ସୁଦ୍ଧା ବିଜେପି ୧୧୨ ସିଟ୍‌ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୭୦ ସିଟ୍‌ରେ ଆଗୁଆ ରହିଛି । ଏଠାରେ ସରକାର ଗଠନ କରିବାକୁ ହେଲେ ୧୯୯ ସିଟ୍‌ ମଧ୍ୟରୁ ଦଳକୁ ମ୍ୟାଜିକ୍‌ ନମ୍ବର ୧୦୦ ସିଟ୍‌ ଛୁଇଁବାକୁ ପଡ଼ିବ ।