• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡିର ଅନେକ ନେତା ଏବେ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି । ଏଭଳି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଖୁବଶୀଘ୍ର ଅନେକ ବିଜେଡି ନେତା କଂଗ୍ରେସରେ ମିଶିବେ । ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେଡିର ନାମ ନିଶାନ ନଥିବ । ୨୦୨୪ରେ କଂଗ୍ରେସର ସୂର୍ଯ୍ୟ ଉଇଁବ ବୋଲି କହିଛନ୍ତି ପିସିସି ସଭାପତି ।

ସେହିପରି ଧାନ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାର ମଣ୍ଡି ଗସ୍ତ କରି ଆମେ ଜାଣିବାକୁ ପାଉଛୁ ଯେ ମଣ୍ଡି ଅବ୍ୟବସ୍ଥା ରହିଛି। ମଣ୍ଡିରେ ଧାନ ବିକ୍ରି ହୋଇପାରୁନି, ଚାଷୀ ବାହାରେ କମ ଦାମରେ ଧାନ ବିକୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ । 

ଅନ୍ୟପଟେ ସାରା ଦେଶରେ ଏବେ ଜାତୀୟ କଂଗ୍ରେସ କରିବ ଭାରତ ନ୍ୟାୟ ଯାତ୍ରା । ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ କଂଗ୍ରେସ କରିବ ନ୍ୟାୟ ଯାତ୍ରା । ୧୪ ଜାନୁଆରୀରୁ ଆରମ୍ଭ ହୋଇ ୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମୁମ୍ବାଇରେ ସରିବ । ଯାତ୍ରାରେ ୧୪ ରାଜ୍ୟର ୮୫ଟି ଜିଲ୍ଲା ବୁଲିବେ ରାହୁଲ ଗାନ୍ଧି । ଏହି ଅବସରରେ ୬ ହଜାର ୨୦୦ କିଲୋମିଟର ଯାତ୍ରା କରିବେ ।

ସେ ଚାଲିବା ସହ ବସରେ ବି ଯାତ୍ରା କରିବେ । ଆର୍ଥିକ ନ୍ୟାୟ, ସାମାଜିକ ନ୍ୟାୟ ଓ ରାଜନୈତିକ ନ୍ୟାୟ, ଏହି ତିନି ମୁଦ୍ଦା ନେଇ ଲୋକଙ୍କୁ ପାଖକୁ ଯିବେ ରାହୁଲ । ନ୍ୟାୟ ଯାତ୍ରାରେ ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର,ଝାଡ଼ଖଣ୍ଡ, ଓଡିଶା, ଛତିଶଗଡ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଓ ମହାରାଷ୍ଟ୍ର ଯିବେ ରାହୁଲ ।

ଆସନ୍ତାକାଲି କଂଗ୍ରେସ ଦଳର ୧୩୮ ତମ ପ୍ରତିଷ୍ଠା ଦିବସ ନାଗପୁରରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧି ଯାତ୍ରା କରୁଥିବା ପ୍ରଦେଶର ପିସିସି ସଭାପତିଙ୍କ ସହ ରଣନୀତି ପ୍ରସ୍ତୁତ ହେବ । ପୂର୍ବରୁ ୫ମାସ ଧରି କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଭାରତ ଯୋଡ ଯାତ୍ରା କରିଥିଲେ ରାହୁଲ । ରାହୁଲଙ୍କ ଏହି ଯାତ୍ରାର ଓଲଟା ପ୍ରଭାବ ପଡ଼ିବ ଓ ରାହୁଲ ଗାନ୍ଧି ଓଡ଼ିଶା ଆସିଲେ ବି ରାଜ୍ୟରେ କଂଗ୍ରେସର କିଛି ହେବନି ବୋଲି କହିଛି ବିଜେପି ।