Advertisment

World Pakhal Divas 2024: ପଖାଳର ଅନେକ ଗୁଣ, ଅଲସର୍ ପାଇଁ ରାମବାଣ

ପଖାଳ ଏବେ ସୋସିଆଲ ମିଡ଼ିଆ ମାଧ୍ୟମରେ ବିଶ୍ୱରେ ଲୋକପ୍ରିୟ ହୋଇପାରିଛି। ଗୁଗୁଲରେ ପଖାଳ ଟାଇପ୍ କଲେ ଏକ ଛୁଙ୍କ ପଡ଼ିଥିବା ପଖାଳ କଂସା ସାଙ୍ଗରେ ସୁସଜ୍ଜିତ ଆଳୁ ଚକଟା, ମାଛ ଭଜା, ବଡ଼ି ଚୁରା, ଶାଗ ଭଜା, ବେସର ଭଜା, ପିଠଉ ଭଜା ଇତ୍ୟାଦି କେତେ କଣ ରଖାଯାଇଥିବା ଛବି ଦେଖିବାକୁ ମିଳୁଛି।

ଅଦ୍ୟତନ ହୋଇଛି
Pakhal Divas 2024 Celebrated In Odisha

World Pakhal Divas 2024 Benefits of pakhal

Advertisment

ଆମ ରାଜ୍ୟ ହେଉ, କି ବାହାର କୌଣସି ଜାଗା, କି କୌଣସି ବିଦେଶର ସ୍ଥାନ ହେଉ, ପଖାଳ କଥା ପଡ଼ିଲେ ଗୋଟେ ଓଡ଼ିଆ ତା ଲୋଭ ସମ୍ବରଣ କରି ନପାରେ କେବେ ବି। ପଖାଳ ଗୋଟେ ଓଡ଼ିଆର ମନ ଓ ପ୍ରାଣରେ ରହେ। ଆମ ମହାପ୍ରଭୁ ଜଗନ୍ନାଥ ବି ପଖାଳ ଖାଆନ୍ତି। ରାତିରେ, ପୁଣି ଘିଅ ପକାଇ ଖାଆନ୍ତି। ଏମିତି ଖାଇବା କେଉଁଠି ଦେଖିଛନ୍ତି। ପଖାଳ ଆମ ଓଡ଼ିଶାର ଧନୀ, ଗରିବ, ମଧ୍ୟବିତ୍ତ ସବୁ ପ୍ରକାର ପରିବାରର ଭୋକ ମେଣ୍ଟାଇବା ପରି ଏକ ସରଳ ଖାଦ୍ୟ। କିନ୍ତୁ ବହୁ ପରିମାଣର ପୋଷକରେ ଭରପୂର। ଆଜି ପଖାଳ ଦିବସ ଅବସରରେ ଆସନ୍ତୁ ଏହି ପଖାଳ ବିଷୟରେ କିଛି ଜାଣିବା।

Advertisment

ପଖାଳ ଏବେ ସୋସିଆଲ ମିଡ଼ିଆ ମାଧ୍ୟମରେ ବିଶ୍ୱରେ ଲୋକପ୍ରିୟ ହୋଇପାରିଛି। ଗୁଗୁଲରେ ପଖାଳ ଟାଇପ୍ କଲେ ଏକ ଛୁଙ୍କ ପଡ଼ିଥିବା ପଖାଳ କଂସା ସାଙ୍ଗରେ ସୁସଜ୍ଜିତ ଆଳୁ ଚକଟା, ମାଛ ଭଜା, ବଡ଼ି ଚୁରା, ଶାଗ ଭଜା, ବେସର ଭଜା, ପିଠଉ ଭଜା ଇତ୍ୟାଦି କେତେ କଣ ରଖାଯାଇଥିବା ଛବି ଦେଖିବାକୁ ମିଳୁଛି।

ଦେଖନ୍ତୁ ଭିଡିଓ | ଆହା ପଖାଳ କଂସା ମୋର ଜୀବନ ଧନ

ତେବେ ଆମର ପାରମ୍ପରିକ ପଖାଳ ଖିଆରେ କିନ୍ତୁ ଏତେ ପ୍ରକାର ରେସିପି ନ ଦେଇ ଖାଲି ଶାଗ ଭଜା ଓ ବଡ଼ିଚୁରା କିମ୍ୱା କେବଳ ଆଳୁ ଭର୍ତ୍ତା ହୋଇଗଲେ ଆମର ଯଥେଷ୍ଟ ହୋଇଯାଏ। ବଳକା ଭାତକୁ ପାଣି ପୁରାଇ ରାତିରେ ମାଟି ହାଣ୍ଡିରେ ଘୋଡ଼ାଇ ରଖିଦେଇ ସକାଳୁ ଖାଇଲେ ସେଇଟା ବାସି ପଖାଳ, ସାଙ୍ଗେ ସାଙ୍ଗେ ଭାତ ରାନ୍ଧି ଦହି ପକାଇ ଖାଇଲେ ତାହା ସଜ ପଖାଳ ବା ଚାଇଁ ପଖାଳ ଆଦି କୁହାଯାଏ। ତେବେ ସେ ଯାହା ବି ନାମ ଦିଆଯାଉ, ପଖାଳ ଖାଇବା ଦ୍ୱାରା ଅନେକଗୁଡ଼ିଏ ଶାରୀରିକ ସମସ୍ୟାରୁ ଆମକୁ ଉପଶମ ମିଳିଥାଏ, ଏହା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ।

Advertisment

ପଖାଳ ଏକ ଉତ୍ତମ ପ୍ରୋବାୟୋଟିକ୍। ଏହା ପୁରା ରାତି ପାଣିରେ ଭିଜିବା ଦ୍ୱାରା ଏଥିରେ ବିଭିନ୍ନ ଉପକାରୀ ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି। ଏହା ଆମ ଖାଦ୍ୟନଳୀ ବା ଗଟ୍‌ର ସ୍ୱାସ୍ଥ୍ୟକୁ ଭଲ ରଖେ। ଖାଦ୍ୟନଳୀ ହେଉଛି ଆମର ଦ୍ୱିତୀୟ ମସ୍ତିଷ୍କ। ଖାଦ୍ୟର ପାଚନ କ୍ରିୟା ଓ ପୋଷଣ ଶୋଷଣ କରିବା ଏହାର ମୁଖ୍ୟ କାର୍ଯ୍ୟ ହୋଇଥାଏ। ଏଣୁ ଏଥିରେ ଥିବା ଉପକାରୀ ଗଟ୍ ବ୍ୟାକ୍ଟେରିଆଗୁଡ଼ିକର ସଂଖ୍ୟା ନିୟନ୍ତ୍ରଣରେ ରଖିବାରେ ପଖାଳ ମୁଖ୍ୟ ଭୂମିକା ରଖେ।

ଏହା ଆମର ବୃହଦାନ୍ତ୍ର ବା ଲାର୍ଜ ଇଣ୍ଟେଷ୍ଟାଇନ୍‌ର କାର୍ଯ୍ୟକାରିତା ବଢ଼ାଏ ଓ କୋଲନ୍ ସୁସ୍ଥ ରଖେ। ଏଣୁ ଆମର ମଳତ୍ୟାଗ ଜନିତ କୌଣସି ସମସ୍ୟା ଦେଖାଯାଏନି। ଇରିଟେବଲ ବାଉଲ ସିଣ୍ଡ୍ରୋମ୍ ବା ମଳତ୍ୟାଗରେ ଅନିୟମିତତା ପରି ସମସ୍ୟାଗୁଡ଼ିକ ନିୟମିତ ପଖାଳ ଖାଉଥିବା ବ୍ୟକ୍ତିଙ୍କଠାରେ ଦେଖାଯାଏ ନାହିଁ।

Advertisment

ପାକସ୍ଥଳୀରେ ଘା’ ବା ଅଲସର ହେବା, ଗ୍ୟାଷ୍ଟ୍ରିକ୍ ସମସ୍ୟା ଓ ଡିହାଇଡ୍ରେସନ୍ ହେବା ପରି ସମସ୍ୟାରେ ପଖାଳ ରାମବାଣ ପରି କାମକରେ। ପଖାଳ ତୋରାଣିରେ ଥିବା ପ୍ରୋବାୟୋଟିକ୍ ପାକସ୍ଥଳୀ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ। ସାଧାରଣତଃ ଆମେ ଖାଉଥିବା ଭାତରେ କ୍ୟାଲୋରୀ ଅଧିକ ଥାଏ। କିନ୍ତୁ ପଖାଳ କମ୍ କ୍ୟାଲୋରୀଯୁକ୍ତ ହୋଇଥାଏ। ଏଥିରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ ପରି ଖଣିଜ ଲବଣ ଅଧିକ ପରିମାଣରେ ଥାଏ ଯାହା ଆମର ପୋଷଣର ସନ୍ତୁଳନକୁ ଠିକ୍ ରଖେ।

ଆମର ଗଟ୍ ବା ଖାଦ୍ୟନଳୀର ସ୍ୱାସ୍ଥ୍ୟ ଠିକ୍ ରହିଲେ ଆମର ଚର୍ମ ମଧ୍ୟ ସୁସ୍ଥ ରହେ। ରିଙ୍କଲ୍‌ ବା ଚର୍ମ ଢ଼ିଲା ପଡ଼ିଯିବା ପରି ସମସ୍ୟା ମଧ୍ୟ ଆମ ଖାଦ୍ୟନଳୀର ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ। ଆୟୁର୍ବେଦ ଅନୁସାରେ ଆମ ଶରୀରର ତିନି ପ୍ରକାର ଦୋଷ ଯେପରିକି ବାତ, ପିତ, କଫକୁ ନିୟନ୍ତ୍ରଣରେ ରଖିବାରେ ପଖାଳ ଉପାଦେୟ ଅଟେ। ତେବେ ଦିନକୁ ତିନିଥରରୁ ଅଧିକ ଖାଇବା ଦ୍ୱାରା ଏହା କଫଜନିତ ସମସ୍ୟା ବଢ଼ାଇପାରେ। ଥଣ୍ଡା ଓ ଏସିଡିଟି ପରି ସମସ୍ୟାଥିବା ବ୍ୟକ୍ତିମାନେ ସକାଳ ଜଳଖିଆ ଭାବେ ପଖାଳ ନେଇପାରିବେ। ଆମ ଓଡ଼ିଆ କୃଷକମାନେ ସକାଳେ ପଖାଳ କଂସାଏ ଖାଇ ପୁରା ଦିନ ଚାଷଜମିରେ ଖୁବ୍ ଫୂର୍ତ୍ତିରେ ଚାଷକାମ କରୁଥିଲେ।

ପଖାଳ ଉପକାରୀ ଶ୍ୱେତସାରର ଏକ ଭଲ ଉତ୍ସ ହୋଇଥିବା ବେଳେ ଏହା ସହ ଖିଆଯାଉଥିବା ଖାଦ୍ୟ ଯେପରି ବଡ଼ିଚୁରା, ଶାଗ, ମାଛଭଜା ଇତ୍ୟାଦି ପ୍ରୋଟିନ୍, ଭିଟାମିନ୍ ଓ ଅନ୍ୟ ଖାଦ୍ୟସାରରେ ଭରପୂର ଥାଏ। ଏଣୁ ପଖାଳ ଏକ ସୁଷମ ଖାଦ୍ୟରୂପେ ଗଣାଯାଏ। ଏହା ଓଜନ କମାଇବା ପାଇଁ ଏକ ଭଲ ଖାଦ୍ୟ, କାରଣ ଏହା ଗରମ ଭାତଠାରୁ ୫୦-୬୦ ପ୍ରତିଶତ କମ୍ କ୍ୟାଲୋରୀଯୁକ୍ତ। ଖରାଦିନେ ପଖାଳ ତୋରାଣି ଏକ ଭଲ ଥଣ୍ଡା ପାନୀୟରୂପେ ନିଆଯାଇପାରିବ। କୋଲଡ୍ରିଙ୍କସ ପରି ଅସ୍ୱାସ୍ଥ୍ୟକର ପାନୀୟ ବଦଳରେ ଆମେ ପଖାଳ ତୋରାଣିରେ ଲେମ୍ବୁ କିମ୍ୱା ଦହି ଆଦି ପକାଇ ପିଇବା ଉପଯୁକ୍ତ ହୋଇଥାଏ।

ତେବେ ପଖାଳର ଏତେ ସବୁ ମହତ୍ତ୍ୱ ଜାଣିବା ପରେ ବର୍ତ୍ତମାନ ଦେଶ ବିଦେଶରେ ମଧ୍ୟ ଏହାର ଆଦୃତି ବଢ଼ିଛି। ଏହାର ସ୍ୱାସ୍ଥକର ଗୁଣ ପାଇଁ ଆଜି ଏହା କେବଳ ଏକ ଗରିବଘରର ଖାଦ୍ୟ ହୋଇ ରହିନାହିଁ। ଏହା ଏବେ ବଡ଼ ବଡ଼ ରେଷ୍ଟୁରାଣ୍ଟରେ ମଧ୍ୟ ଏକ ମୁଖ୍ୟ ଖାଦ୍ୟରୂପେ ମେନ୍ୟୁରେ ରହୁଛି। ତେବେ ଆପଣମାନେ ମଧ୍ୟ ଖରାଦିନେ ନିୟମିତ ପଖାଳ ଖାଇବା ଅଭ୍ୟାସ କରନ୍ତୁ ଯାହା ଦ୍ୱାରା ନିଜେ ସୁସ୍ଥ ରହିବା ସହ ପରିବାରରେ ସମସ୍ତେ ସୁସ୍ଥ ରହିବେ।

ଇମେଲ୍ - jmohapatra13@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Pakhala Health Tips Pakhal Divas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ