• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Preeti Prajna Pradhan

ଦିନଯାକର କାମ ପରେ ନାଚ-ଗୀତ। ନ ହେଲେ ପରସ୍ପର ମଧ୍ୟରେ ଥଟ୍ଟା ମଜ୍ଜା କି ହସ କଥା ମାଧ୍ୟମରେ ଏମାନେ ନିଜକୁ ଖୁସି ରଖନ୍ତି। ଏଇ ମହିଳାମାନଙ୍କ ମଧ୍ୟରୁ କିଏ ଆସିଛି ସିରିୟାରୁ ତ ଆଉ କିଏ ପାଲେଷ୍ଟାଇନରୁ। ହେଲେ ଏକାଠି ମିଶି କାମ କରିବା ଭିତରେ ଏମାନେ ପରସ୍ପରର ଅତି ନିକଟତର ହୋଇ ପାରିଛନ୍ତି ଓ ନିଜ ନିଜର ସୁଖ-ଦୁଃଖରେ ସହଭାଗୀ ମଧ୍ୟ ହୋଇ ପାରୁଛନ୍ତି। ଖାଲି ସେତିକି ନୁହେଁ, ଲେବାନନର ଏଇ ଶରଣାର୍ଥୀ ମହିଳାମାନେ ନିଜର ଏଇ କାମ ମାଧ୍ୟମରେ ରୋଜଗାର ପାଇପାରିବା ସହ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। ତାହା ହେଲା, ଜଙ୍ଗଲ ସୃଷ୍ଟି।

ଏକଦା ଲେବାନନର ବେକା ଉପତ୍ୟକା ନିଜର ଵିସ୍ତୃତ ଦେବଦାରୁ ଜଙ୍ଗଲ ପାଇଁ ବେଶ୍ ପ୍ରସିଦ୍ଧ ଥିଲା। ତେବେ ବ୍ୟାପକ ଭାବେ ବେଆଇନ ଗଛ କଟା, ଜଙ୍ଗଲ ନିଆଁ ଓ ମୃତ୍ତିକା କ୍ଷୟ ଆଦି କାରଣରୁ ଏବେ ଏଇ ଜଙ୍ଗଲ ପ୍ରାୟ ସମ୍ପୂର୍ଣ୍ଣ ନଷ୍ଟ ହୋଇସାରିଛି। ବେକା ଭ୍ୟାଲି ବ୍ୟତୀତ ସମଗ୍ର ଲେବାନନର ବାକି ଥିବା ଜଙ୍ଗଲର ୮୫% ଅଂଶ ମଧ୍ୟ ଶୀଘ୍ର ଶୀଘ୍ର କ୍ଷୟ ହେବାରେ ଲାଗିଛି।

ତେଣୁ ସଲାମ ଏଲ୍ଏଡିସି(Salam LADC) ନାମକ ଏକ ସେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ 'Trees for Lebanon' ପରିଯୋଜନା ହାତକୁ ନିଆଯାଇଛି। ଜର୍ମାନୀର ପରିବେଶ ମନ୍ତ୍ରଣାଳୟ ଅଧୀନ 'International climate initiatives small grants' ସହାୟତାରେ ତଥା 'ସଲାମ ଏଲ୍ଏଡିସି' ଓ 'Lebanon reforestation initiatives'ର ମିଳିତ ସହଯୋଗରେ ପରିଚାଳିତ ଏଇ ପରିଯୋଜନା ମାଧ୍ୟମରେ ବେକା ଭ୍ୟାଲି ଠାରେ ସମ୍ପୃକ୍ତ ମହିଳାମାନଙ୍କୁ ସିଡ୍ ବମ୍ ବା ମଞ୍ଜି ବମ୍ ପ୍ରସ୍ତୁତି କାମରେ ଲଗାଯାଇଛି।

ସିଡ୍ ବମ୍ ପ୍ରସ୍ତୁତି ପାଇଁ ପ୍ରଥମେ ମାଟିକୁ ବଡ଼ ବଡ଼ ଚଲଣା ସାହାଯ୍ୟରେ ଚଲାଯାଏ। ପରେ ଏଥିରେ ଆଉ କିଛି ଚିକ୍କଣ ମାଟି ମିଶାଇ ସେଥିରେ ମଞ୍ଜି ମିଶାଇ ଦିଆଯାଏ। ଏହା ପରେ ଏଥିରେ ପାଣି ମିଶାଇ ସେଇ କାଦୁଅରୁ ଗୋଲ୍ ଗୋଲ୍ ସିଡ୍ ବମ୍ ତିଆରି କରାଯାଏ।

ଏସବୁ ବମ୍‌କୁ ଅତି କମ୍‌ରେ ଗୋଟିଏ ଦିନ ଖରାରେ ଶୁଖାଇବା ପରେ ଏସବୁକୁ ବାସ୍କେଟ୍‌ରେ ନେଇ ଜଙ୍ଗଲ ପୁନରୁଦ୍ଧାର କାମରେ ନିୟୋଜିତ ମହିଳାମାନେ ଦୂରକୁ ଦୂରକୁ ଫିଙ୍ଗିଥା'ନ୍ତି। ଏସବୁ ସିଡ୍ ବମ୍‌ର ଉପରେ ଦିଆଯାଇଥିବା ମାଟି ଭିତରେ ଥିବା ମଞ୍ଜିକୁ ମୂଷା ଓ ପକ୍ଷୀ ଆଦିଙ୍କ ଦାଉରୁ ରକ୍ଷା କରିଥାଏ। ପରେ ଯେତେବେଳେ ବର୍ଷା ହୁଏ ସେତେବେଳେ ମାଟି ବର୍ଷା ପାଣିରେ ମିଳାଇ ଯାଏ ଓ ମଞ୍ଜିରୁ ଗଜା ହୋଇ ନୂଆ ଗଛ ସୃଷ୍ଟି ହୋଇଥାଏ। ଆଉ ଏହା ନୂତନ ଜଙ୍ଗଲ ସୃଷ୍ଟିରେ ସହାୟକ ହୋଇଥାଏ।

ପରିଯୋଜନାଟିର ସମୟସୀମା ହେଉଛି, ଅଗଷ୍ଟ-୨୦୨୧ରୁ ଅଗଷ୍ଟ-୨୦୨୩। ଏଇ ସମୟ ମଧ୍ୟରେ ଅନ୍ତତଃ ୬ଲକ୍ଷ ସିଡ୍ ବମ୍ ପ୍ରସ୍ତୁତ କରି ସେସବୁକୁ ଜଙ୍ଗଲ ସୃଷ୍ଟିରେ ଲଗାଯିବାର ଲକ୍ଷ୍ୟ ରହିଛି। କେବଳ ଦେବଦାରୁ ନୁହେଁ, ଜଙ୍ଗଲୀ ଥାଇମ୍ ଓ ସିଷ୍ଟସ୍‌ ଭଳି ଫସଲ ପାଇଁ ମଧ୍ୟ ସମ୍ପୃକ୍ତ ମହିଳାମାନେ ସିଡ୍ ବମ୍ ପ୍ରସ୍ତୁତ କରୁଛନ୍ତି। ଜଙ୍ଗଲକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କାର୍ଯ୍ୟରତ ଏଇ ପରିଯୋଜନାରେ ଧାର୍ଯ୍ୟ ୨ ବର୍ଷର ସମୟ ମଧ୍ୟରେ ମୋଟ ୯୧, ୦୦୦ ୟୁରୋ ଅର୍ଥ ଖର୍ଚ୍ଚ କରାଯିବାର ଯୋଜନା ରହିଛି।

ଏକଦା ନିଜର ପ୍ରାକୃତିକ ତଥା ଅର୍ଥନୈତିକ ପ୍ରାଚୁର୍ଯ୍ୟ ପାଇଁ ମଧ୍ୟପ୍ରାଚ୍ୟର ସ୍ୱିଜର୍‌ଲ୍ୟାଣ୍ଡ୍ ଭାବେ ପରିଚିତ ଲେବାନନ ଏବେ ଭୀଷଣ ଶରଣାର୍ଥୀ ସମସ୍ୟାରେ ପୀଡ଼ିତ। ଏହାର ପ୍ରାୟ ୭୬ ଲକ୍ଷ(ମୋଟ ଜନସଂଖ୍ୟା) ଲୋକଙ୍କ ମଧ୍ୟରୁ ୭୮% ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବାସକରନ୍ତି। ପୁଣି ସେମାନଙ୍କ ମଧ୍ୟରୁ ୩୬% ଲୋକେ ଅତ୍ୟନ୍ତ ଅଧିକ ଦାରିଦ୍ର୍ୟ ମଧ୍ୟରେ ବାସକରନ୍ତି। ଏକ ହିସାବ ଅନୁଯାୟୀ, ଦେଶର ମୋଟ ଜନସଂଖ୍ୟାର ପ୍ରାୟ ଏକ ପଞ୍ଚମାଂଶ ହେଉଛନ୍ତି ଶରଣାର୍ଥୀ।

ସେମାନଙ୍କ ମଧ୍ୟରୁ ପୁଣି ଅଧିକାଂଶ ହେଉଛନ୍ତି ସିରିୟାର ମୂଳ ଅଧିବାସୀ। ଏଇ ପାଖାପାଖି ୧୫ଲକ୍ଷ ଶରଣାର୍ଥୀଙ୍କ ଅବସ୍ଥା ବହୁତ ଖରାପ। ପ୍ରାୟ ୯୦ ପ୍ରତିଶତ ଶରଣାର୍ଥୀ ଦାରିଦ୍ର୍ୟ ସୀମାରେଖା ତଳେ, ଅତ୍ୟଧିକ ଦାରିଦ୍ର୍ୟ ଦେଇ ଗତି କରନ୍ତି। ତେଣୁ କୌଣସି ବିକଳ୍ପ ରୋଜଗାର ନଥିବା ଏଭଳି ପରିବାରଗୁଡିକ ପାଇଁ 'ଟ୍ରିଜ୍ ଫର୍ ଲେବାନନ' ବରଦାନ ସାବ୍ୟସ୍ତ ହୋଇଛି।

ଉଦାହରଣ ସ୍ଵରୂପ ବତୋଲ ଇବ୍ରାହିମ୍ ଅଲ୍ ମହମୁଦ ନାମକ ମହିଳାଙ୍କ କଥା ନିଆଯାଇପାରେ। ପ୍ରାୟ ୧୦ ବର୍ଷ ତଳେ ସେ ସିରିୟାରୁ ଲେବାନନ ଚାଲି ଆସିଥିବା ଏହି ମହିଳାଙ୍କ ସ୍ୱାମୀଙ୍କର କୌଣସି ରୋଜଗାର ନାହିଁ। କିନ୍ତୁ ତାଙ୍କ ଝିଅ ପାଇଁ ବ୍ୟୟବହୁଳ ଚିକିତ୍ସାର ଆବଶ୍ୟକତା ରହିଛି। ତେଣୁ ଦିନକୁ ଅତି କମରେ ତାଙ୍କୁ ୮ଡଲାର ରୋଜଗାର କରିବାକୁ ପଡ଼େ। 'ଟ୍ରିଜ୍ ଫର୍ ଲେବାନନ' ତାଙ୍କୁ ଏଇ ରୋଜଗାର ଯୋଗାଇ ଦେଇଛି। ତା' ଛଡା ସେ ନିଜର ନୂଆ ଘର(ଲେବାନନ)ର ବିକାଶ ଦିଗରେ ଓ ଏହାର ଜଙ୍ଗଲର ପୁନରୁଦ୍ଧାର ଦିଗରେ କାମ କରିପାରୁଥିବାରୁ ମଧ୍ୟ ବହୁତ ଖୁସି।

'ଟ୍ରିଜ୍ ଫର୍ ଲେବାନନ' ପ୍ରୋଜେକ୍ଟ ଅଧୀନରେ ଅନେକ ସ୍ଥାନୀୟ ମହିଳାଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି (ଏଠାରେ କାମ କରିବା ପାଇଁ ସମ୍ପୃକ୍ତ ମହିଳାମାନଙ୍କ ଜାତୀୟତା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। କେବଳ ତାଙ୍କର ବିକଳ୍ପ ରୋଜଗାର ନଥିବା ହିଁ ଏକମାତ୍ର ଆବଶ୍ୟକତା)। ଏହା ଦ୍ୱାରା ସେମାନେ ଅର୍ଥ ରୋଜଗାର କରିବା ସହ ବିଭିନ୍ନ ସଂସ୍କୃତି ସହ ପରିଚିତ ହୋଇପାରିଛନ୍ତି ଏବଂ ଭିନ୍ନ ଭିନ୍ନ ସଂସ୍କୃତିର ମହିଳାଙ୍କ ସହ ଭାବର ଆଦାନପ୍ରଦାନ ମଧ୍ୟ କରିପାରୁଛନ୍ତି।

ତେବେ ଦେଶର ଲୋପ ପାଇଯାଇଥିବା ଜଙ୍ଗଲ ସବୁର ପୁନରୁଦ୍ଧାର ସହ ଏହା ମାଧ୍ୟମରେ ଶରଣାର୍ଥୀ ମହିଳାମାନଙ୍କୁ ଉଭୟ ସାମାଜିକ ଓ ଆର୍ଥିକ ସ୍ତରରେ ଏକାଠି କରିବା ହିଁ ପରିଯୋଜନାର ମୂଳ ଲକ୍ଷ୍ୟ।

ବଢୁଥିବା ଜନସଂଖ୍ୟା ଯୋଗୁଁ ଆବଶ୍ୟକ ସଂଖ୍ୟକ ବାସୋପଯୋଗୀ ଗୃହ, ସପିଙ୍ଗ୍‌ କମ୍ପ୍ଲେକ୍ସ ଓ ଅନ୍ୟାନ୍ୟ କୋଠାଗୁଡିକ ପାଇଁ ବ୍ୟାପକ ଗଛ କଟା ଓ ଅନ୍ୟାନ୍ୟ ପ୍ରାକୃତିକ କାରଣ ପାଇଁ ଲେବାନନ ଯେଉଁ ଜଙ୍ଗଲ ହରାଇ ବସିଛି ସେସବୁକୁ ପୁନର୍ଜୀବିତ କରିବାରେ ସହାୟକ ହେବା ସହ 'ଟ୍ରିଜ୍ ଫର୍ ଲେବାନନ' ପ୍ରୋଜେକ୍ଟ ସଂପୃକ୍ତ ମହିଳାମାନଙ୍କ ମୁହଁରେ ସ୍ୱାବଲମ୍ବୀର ହସ ଫୁଟାଇ ପାରିଛି। ଆଉ ଦେଶର ପରିବେଶ ସୁରକ୍ଷାରେ ଅଂଶୀଦାର ହୋଇପାରିଥିବାରୁ ଏଇ ମହିଳାମାନେ ଗର୍ବିତ ମଧ୍ୟ।

ସୌଜନ୍ୟ: DW & Google

(ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)