• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Preeti Prajna Pradhan

ନିଜ ହାତଗଢ଼ା ସ୍କୁଲକୁ ଅଧ୍ୟାପନା ପାଇଁ ଯିବା ସମୟରେ ପିନ୍ଧିଥିବା ଶାଢ଼ୀ ବ୍ୟତୀତ ସେ ଡରି କି ଅଧିକ ଗୋଟିଏ ଶାଢ଼ୀ ସାଙ୍ଗରେ ନେଇ ଯାଉଥିଲେ। କାରଣ ଯେକୌଣସି ସମୟରେ ତାଙ୍କ ଉପରେ ଗୋବର ଓ ପଥର ଆଦି ଦ୍ୱାରା ଆକ୍ରମଣ କରାଯିବାର ଆଶଙ୍କା ଥିଲା। ଖାଲି ସେତିକି ନୁହେଁ, ବିରୋଧୀମାନଙ୍କଠାରୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ବି ଶୁଣିବାକୁ ପଡୁଥିଲା।

ଅନେକ ସମୟରେ ଏପରିକି ସ୍ୱାମୀଙ୍କ ସହ ତାଙ୍କୁ ଘରୁ ବି ତଡ଼ି ଦେଇଥିଲେ ଶ୍ୱଶୁର। କାରଣ ମନୁସ୍ମୃତି ଅନୁଯାୟୀ, ସେ କରୁଥିବା କାର୍ଯ୍ୟ ସେତେବେଳେ ପାପ ବୋଲି ବିବେଚନା କରାଯାଉଥିଲା। ତେବେ ଏତେସବୁ ବିରୋଧ ଓ ଦୁର୍ଦ୍ଦଶା ସତ୍ତ୍ୱେ ସାବିତ୍ରୀବାଇ ଫୁଲେ ନିଜ କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହୋଇ ନଥିଲେ। ଏ ହେଉଛି ସେଇ ସମୟର କଥା, ଯେତେବେଳେ ଝିଅଟିଏ କି ବୋହୂଟିଏ ଘରୁ ବାହାରକୁ ଗୋଡ଼ କାଢ଼ିବା ବି କ୍ୱଚିତ ଦେଖାଯାଉଥିଲା। ତା’ର ଶିକ୍ଷା ଗ୍ରହଣ କଥା କେହି ଚିନ୍ତା କରିବା ତ ଦୂରର କଥା।

ଏମିତି ଏକ କଠିନ ସମୟରେ ନାରୀ ଶିକ୍ଷା କ୍ଷେତ୍ରରେ ଆଲୋକବର୍ତ୍ତିକା ସାଜି ଆସିଥିଲେ ସାବିତ୍ରୀ ଭାରତୀୟ ବାମାବାଦୀ ଆନ୍ଦୋଳନର ଜଣେ ମୁଖ୍ୟ ପୁରୋଧାଭାବେ ଗଣା ଯାଉଥିବା ସାବିତ୍ରୀବାଇ। ଦେଶର ପ୍ରଥମ ମହିଳା ଶିକ୍ଷୟିତ୍ରୀ ମଧ୍ୟ ଥିଲେ। କର୍ମକ୍ଷେତ୍ର ତଥା ଜୀବନର ପ୍ରତିଟି କ୍ଷେତ୍ରରେ ଅବଶ୍ୟ ସାବିତ୍ରୀଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇ ଦେଇଥିଲେ ତାଙ୍କ ସ୍ୱାମୀ ଜ୍ୟୋତିରାଓ ଫୁଲେ। ଏପରିକି ବିବାହ ସମୟରେ ଆଦୌ ପାଠ ପଢ଼ି ନଥିବା ସାବିତ୍ରୀଙ୍କ ସମ୍ପୂର୍ଣ୍ଣ ଶିକ୍ଷା ଦାୟିତ୍ୱ ମଧ୍ୟ ଜ୍ୟୋତିରାଓ ସ୍ୱଇଚ୍ଛାରେ ଗ୍ରହଣ କରିଥିଲେ।

ଶିକ୍ଷକ ହେବା ପାଇଁ ପ୍ରଶିକ୍ଷଣ ପାଠ୍ୟକ୍ରମ ଶେଷ କରିବା ପରେ ସଗୁନାବାଇ କ୍ଷୀରସାଗର(ଜଣେ ଅଗ୍ରଣୀ ବାମାବାଦୀ ଆନ୍ଦୋଳନକାରୀ)ଙ୍କ ସହ ମିଶି ସାବିତ୍ରୀ ପୁନେର ମହାରଓ୍ୱାଡ଼ାଠାରେ ଝିଅମାନଙ୍କୁ ଶିକ୍ଷା ଦେବାରେ ଲାଗିଲେ। ପରେ ସଗୁନାବାଇ, ସାବିତ୍ରୀ ଓ ଜ୍ୟୋତିରାଓ ମିଶି ୧୮୪୮ ମସିହାରେ ପୁନେର ଭିଡ଼େଓ୍ୱାଡ଼ାଠାରେ ନିଜର ଏକ ଆଧୁନିକ ବାଳିକା ବିଦ୍ୟାଳୟ ସ୍ଥାପନ କଲେ। ସେଠାରେ ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଆଦି ବିଷୟରେ ଶିକ୍ଷା ଲାଭ କରିବାର ସୁବିଧା ଥିଲା।

୧୮୫୧ ମସିହା ଶେଷ ବେଳକୁ ସାବିତ୍ରୀ ଓ ଜ୍ୟୋତିରାଓ ମିଶି ପୁନେର ୩ଟି ସ୍ଥାନରେ ବାଳିକାମାନଙ୍କ ପାଇଁ ବିଦ୍ୟାଳୟ ସ୍ଥାପନ କରିସାରିଥିଲେ, ଯେଉଁଥିରେ କି ପ୍ରାୟ ୧୫୦ ଜଣ ଝିଅ ନାମ ଲେଖାଇ ସାରିଥିଲେ। ସେତେବେଳର ସରକାରୀ ବିଦ୍ୟାଳୟଗୁଡ଼ିକରେ ପ୍ରଚଳିତ ପାଠ୍ୟକ୍ରମ ଅପେକ୍ଷା ସାବିତ୍ରୀଙ୍କ ବିଦ୍ୟାଳୟରେ ପ୍ରଚଳିତ ପାଠ୍ୟକ୍ରମ ଉତ୍କୃଷ୍ଟ ବୋଲି ମଧ୍ୟ ବିଚାର କରାଯାଉଥିଲା। ଖାଲି ନାରୀଶିକ୍ଷାର ବିକାଶ କ୍ଷେତ୍ରରେ ନୁହେଁ, ଜାତିପ୍ରଥା ଓ ଲିଙ୍ଗଗତ ବୈଷମ୍ୟ ଯୋଗୁଁ ସାମାଜିକ ଭେଦଭାବ ତଥା ଶୋଷଣର ଶିକାର ହେଉଥିବା ଲୋକଙ୍କ ପାଇଁ ମଧ୍ୟ ସାବିତ୍ରୀବାଇ ସ୍ୱର ଉତ୍ତୋଳନ କରିଥିଲେ। ସେ ମରାଠୀ ଭାଷାର ଜଣେ ପ୍ରଖ୍ୟାତ ଲେଖିକାଭାବେ ମଧ୍ୟ ସମ୍ମାନିତ।

ସାବିତ୍ରୀ ଓ ଜ୍ୟୋତିରାଓଙ୍କ ଜୀବନଯାତ୍ରାରେ ଜ୍ୟୋତିଙ୍କ ବନ୍ଧୁ ଉସ୍ମାନ ଶେଖ୍ ଓ ତାଙ୍କ ଭଗ୍ନୀ ଫାତିମା ବେଗମ ଶେଖଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୈତୃକ ଘରୁ ବାହାରି ଆସିବା ପରେ ଏଇ ସ୍ୱାମୀ-ସ୍ତ୍ରୀ ଦୁଇ ଜଣଯାକ ଉସ୍ମାନଙ୍କ ପରିବାର ସହ ମିଶି ରହିବାରେ ଲାଗିଲେ। ସେତେବେଳେ ହିଁ ସାବିତ୍ରୀ ଫାତିମାଙ୍କ ସମ୍ପର୍କରେ ଆସିଥିଲ।

ଫାତିମା ବେଗମ ଶେଖ୍:

ଦେଶର ପ୍ରଥମ ମହିଳା ମୁସ୍‌ଲିମ୍ ଶିକ୍ଷୟିତ୍ରୀ ଭାବେ ପରିଗଣିତ ଫାତିମା ବେଗମ ଶେଖ୍, ସାବିତ୍ରୀ ଓ ଜ୍ୟୋତିରାଓଙ୍କ ବିଦ୍ୟାଳୟରେ ପ୍ରଥମେ ବହୁଜନ ପିଲାଙ୍କ ଶିକ୍ଷାର ଦାୟିତ୍ୱ ନେଇଥିଲେ। ପରେ ସେମାନଙ୍କ ସହ ମିଶି ସେ ସମାଜର ନିମ୍ନ ଓ ଦଳିତ ବର୍ଗର ପିଲାମାନଙ୍କ ଶିକ୍ଷା ଗ୍ରହଣ କ୍ଷେତ୍ରରେ ଅଗ୍ରଣୀ ଭୂମିକା ତୁଲାଇଥିଲେ। ୧୮୫୧ ମସିହାରେ ବମ୍ବେଠାରେ ସାବିତ୍ରୀ ଓ ଜ୍ୟୋତିରାଓ ଦୁଇଟି ବିଦ୍ୟାଳୟ ସ୍ଥାପନ କରିବାରେ ମଧ୍ୟ ଫାତିମାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା।

ସାବିତ୍ରୀ ଓ ଫାତିମାଙ୍କ ଭଳି ଆହୁରି ଅନେକ ମହିଳା ଅଛନ୍ତି, ଯେଉଁମାନେ ଭାରତର ନାରୀ ଶିକ୍ଷା କ୍ଷେତ୍ରରେ ନିଜର ଅତୁଳନୀୟ ଅବଦାନ ପାଇଁ ସମାଜ ଉପରେ ନିଜର ପ୍ରଭାବ ଛାଡ଼ି ଯାଇଛନ୍ତି। ସେଇଭଳି କେତେକ ମହିଳା ହେଲେ-

ରମାବାଇ ରାନାଡେ:

ମାତ୍ର ୧୧ ବର୍ଷ ବୟସରେ ରମାବାଇ(ପ୍ରାଖାପାଖି ୧୮୬୩ରେ ଜନ୍ମିତ)ଙ୍କର ବିବାହ ହୋଇଥିଲା। ଶିକ୍ଷାବିତ୍ ଏମ୍‌ଜି ରାନାଡେଙ୍କ ସହ ସ୍ୱାମୀଙ୍କ ପ୍ରୋତ୍ସାହନ ପାଇ ସେ ନିଜର ଶିକ୍ଷା ସମାପ୍ତ କରିଥିଲେ ଓ ସ୍ୱାମୀଙ୍କ ଦ୍ୱାରା ସ୍ଥାପିତ ପ୍ରାର୍ଥନା ସମାଜର ଜଣେ ସକ୍ରିୟ ସଦସ୍ୟ ହୋଇ ପାରିଥିଲେ। ମହିଳା ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପିଲାଙ୍କ ପାଇଁ ସେ ବିଭିନ୍ନ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରୁଥିଲେ। ସେସବୁ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଧନ୍ଦାମୂଳକ ଶିକ୍ଷା(ଭୋକେସନାଲ୍ ଏଜୁକେସନ୍) ଏବଂ ଭାଷା ତଥା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା ଆଦି ପ୍ରଦାନ କରାଯାଉଥିଲା।

ବାଲ୍ୟ ବିବାହ ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ସେ ‘ସେବା ସଦନ’ ନାମକ ଏକ ସଂସ୍ଥା ପ୍ରତିଷ୍ଠା କରି ତା’ ମାଧ୍ୟମରେ ଶୋଷିତ ଓ ନିଷ୍ପେସିତ ମହିଳାମାନଙ୍କ ପାଇଁ ବହୁ ବିକାଶମୂଳକ କାମ କରିଥିଲେ।

ଚନ୍ଦ୍ରପ୍ରଭା ସାଇକିଆନି:

ଏକାଧାରରେ ଚନ୍ଦ୍ରପ୍ରଭା ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସୁଲେଖିକା ତଥା ସାମାଜିକ ବିକାଶ କର୍ମୀ। ଆସମାର ବାମାବାଦୀ ଆନ୍ଦୋଳନର ଜଣେ ମୁଖ୍ୟ ପୁରୋଧା ଭାବେ ସେ ପରିଗଣିତ। ନାଗାଓଁର ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଭାବେ ଚନ୍ଦପ୍ରଭାଙ୍କର କର୍ମମୟ ଜୀବନ ଆରମ୍ଭ ହୋଇଥିଲା। ପରେ ସେ ତେଜପୁର ବାଳିକା ଏମ୍ଇ ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତ ହେଲେ। ଏଇଠାରେ ହିଁ ୧୯୧୮ ମସିହାରେ ଆସାମ ଛାତ୍ର ସମ୍ମିଳନୀର ଏକ ସଭାରେ ସେ ଏକମାତ୍ର ମହିଳା ପ୍ରତିନିଧିଭାବେ ଅଫିମ ସେବନର କୁପ୍ରଭାବ ଉପରେ ନିଜର ବକ୍ତବ୍ୟ ରଖିବା ସହ ଏହାର ବ୍ୟବହାର ଉପରେ ନିଷେଧାଦେଶ ଜାରି କରିବାକୁ ଅନୁରୋଧ କରିଥିଲେ।

ପରେ ସେ ଗାନ୍ଧୀଜୀଙ୍କ ଅସହଯୋଗ ଆନ୍ଦୋଳନ(୧୯୨୦-୨୧) ଓ ଆଇନ ଅମାନ୍ୟ ଆନ୍ଦୋଳନ(୧୯୩୨)ରେ ମଧ୍ୟ ଯୋଗ ଦେଇଥିଲେ। ୧୯୨୫ ମସିହାରେ ନାଗାଓଁଠାରେ ଆୟୋଜିତ ‘ଆସାମ ସାହିତ୍ୟ ସଭା’ର ଏକ ସଭାରେ ସେ ମହିଳା ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ସ୍ଥାନ(ଘେରାବନ୍ଦୀ ହୋଇଥିବା)ରୁ ବାହାରି ଆସି ସମସ୍ତଙ୍କ ସହ ମିଶି ଖୋଲା ସ୍ଥାନରେ ବସିବା ପାଇଁ ଆହ୍ୱାନ ଦେଇଥିଲେ।

୧୯୨୬ ମସିହାରେ ଚନ୍ଦ୍ରପ୍ରଭା ସ୍ଥାପନ କରିଥିଲେ ‘ଆସାମ ପ୍ରାଦେଶିକ ମହିଳା ସମିତି’ ଆଉ ଏହା ମାଧ୍ୟମରେ ସେ ବାଲ୍ୟ ବିବାହ, ପୁରୁଷମାନଙ୍କ ବହୁ ବିବାହ ଏବଂ ମନ୍ଦିର ଆଦି ସ୍ଥାନରେ ମହିଳାମାନେ ଶିକାର ହେଉଥିବା ଭେଦଭାବ ଆଦି ବିପକ୍ଷରେ ସ୍ୱର ଉଠାଇଥିଲେ। ଏହା ବ୍ୟତୀତ ନାରୀ ଶିକ୍ଷା ତଥା ମହିଳାମାନେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ସେ ଦିଗରେ ମଧ୍ୟ ସେ ବହୁ କାର୍ଯ୍ୟ କରିଥିଲେ। ନିଜର ବହୁବିଧ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ଉପାଧିରେ(୧୯୭୨) ମଧ୍ୟ ଭୂଷିତ କରାଯାଇଥିଲା।

ଅସୀମା ଚାଟାର୍ଜୀ:

ଏକ ଭାରତୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଡକ୍ଟର ଇନ୍ ସାଇନ୍ସ’ ଉପାଧି(୧୯୪୪) ପାଇବାରେ ଅସୀମା ପ୍ରଥମ ମହିଳା ଥିଲେ। ଖାଲି ସେତିକି ନୁହେଁ, ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଏକ ମୁଖ୍ୟ ଅନୁଷ୍ଠାନ ଭାବେ ଗଣା ଯାଉଥିବା ‘ଇଣ୍ଡିଆନ୍ ସାଇନ୍ସ କଂଗ୍ରେସ’ର ସାଧାରଣ ସଭାପତି(୧୯୭୫) ନିର୍ବାଚିତ ହେବାରେ ମଧ୍ୟ ସେ ଥିଲେ ପ୍ରଥମ ମହିଳା। ଚିକିତ୍ସା ମେଡିସିନାଲ୍ କେମିଷ୍ଟ୍ରିରେ ବିଶେଷ ରୁଚି ରଖୁଥିବା ଅସୀମା ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ନିଜର ଅବଦାନ ପାଇଁ ‘ସିଭି ରମଣ’ ଓ ‘ପିସି’ ରେ ପୁରସ୍କାର ପାଇବା ବ୍ୟତୀତ ‘ପଦ୍ମଭୂଷଣ’ ଉପାଧିରେ ମଧ୍ୟ ସମ୍ମାନିତ ହୋଇଥିଲେ। ଗବେଷଣା ବ୍ୟତୀତ ଲେଖାଲେଖି ଓ ଅଧ୍ୟାପନା ଆଦି କ୍ଷେତ୍ରରେ ମଧ୍ୟ ସେ ନିଜର ଛାପ ଛାଡ଼ି ଯାଇଛନ୍ତି।

ମହାଦେବୀ ବର୍ମା:

ଏକାଧାରରେ ମହାଦେବୀ ବର୍ମା ଥିଲେ ଜଣେ ପ୍ରଖ୍ୟାତ ଲେଖିକା-କବି ତଥା ଶିକ୍ଷାବିତ୍। ହିନ୍ଦୀ ସାହିତ୍ୟର ‘ଛାୟାବାଦ’ରେ ତାଙ୍କର ବହୁବିଧ ଅବଦାନ ରହିଛି। ତାଙ୍କ ରଚିତ ଯମ, ନୀଳକଣ୍ଠ ଓ ଗିଲ୍ଲୁ ଆଦି ଗଳ୍ପ ଓ ଲୋକକଥା ପାଇଁ ସେ ବେଶ୍ ପ୍ରସିଦ୍ଧ। ନିଜ ଜୀବନକାଳ ମଧ୍ୟରେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ସାହିତ୍ୟ ଏକାଡେମୀର ଫେଲୋସିପ୍ ପାଇବା ସହ ଜ୍ଞାନପୀଠ ପୁରସ୍କାର ମଧ୍ୟ ଲାଭ କରିଥିଲେ। ଏହା ବ୍ୟତୀତ ‘ପଦ୍ମଭୂଷଣ’ ଉପାଧିରେ ମଧ୍ୟ ସେ ସମ୍ମାନିତ ହୋଇଥିଲେ।

Women in Educationମହାଦେବୀ ବର୍ମା ଓ ବିମଳା କାଉଲ

ବିମଳା କାଉଲ:

ଯେଉଁ ବୟସରେ ପ୍ରାୟ ଅଧିକାଂଶ ମଣିଷ ବୟସର ଭାରରେ ଘର ଭିତରେ ଚଳପ୍ରଚଳ ହେବାରେ ସୀମିତ ହୋଇଯାଆନ୍ତି, ସେଭଳି ଏକ ବୟସରେ ଏବେ ବି ବେଶ୍ ଚଳଚଞ୍ଚଳ ବିମଳା କାଉଲ। ପ୍ରାୟ ୨୫ ବର୍ଷ ତଳେ ଜଣେ ସରକାରୀ ଶିକ୍ଷକ ଭାବେ ସେ ଅବସର ନେଇଥିଲେ। କିନ୍ତୁ ଅବସର ପରେ ଅଟକି ଯାଇନି ତାଙ୍କ କର୍ମମୟ ଜୀବନ ବରଂ ଦିଲ୍ଲୀର ବସ୍ତି ଅଞ୍ଚଳରେ ବାସକରୁଥିବା ପିଲାମାନଙ୍କୁ ଶିକ୍ଷା ଦେବାରେ ସେ ନିଜକୁ ସମ୍ପୂର୍ଣ୍ଣ ଭାବେ ନିୟୋଜିତ କରିଦେଇଛନ୍ତି।

ବିମଳାଙ୍କ ସ୍କୁଲ୍‌କୁ ଆସୁଥିବା ପିଲାମାନେ ଇଂରାଜୀ, ବିଜ୍ଞାନ ଓ ଗଣିତ ଆଦି ସବୁ ବିଷୟରେ ପାଠ ପଢ଼ିଥାନ୍ତି। ଏହା ଛଡ଼ା ଏମାନଙ୍କୁ ପ୍ରାଥମିକ କମମ୍ପ୍ୟୁଟର ଶିକ୍ଷା ମଧ୍ୟ ଦିଆଯାଇଥାଏ। ଖାଲି ସେତିକି ନୁହେଁ, ଏଠାରେ ପିଲାଙ୍କ ପାଇଁ ଯୋଗ, ଡ୍ରିଲ୍ ଓ ବିଭିନ୍ନ ଖେଳର ମଧ୍ୟ ବ୍ୟବସ୍ଥା ରହିଛି। ସ୍କୁଲ୍ ଶିକ୍ଷା ଗ୍ରହଣ କରିବାକୁ ଆବଶ୍ୟକ ସମ୍ବଳ ନ ଥିବା ଏଇ କୁନି କୁନି ପିଲାମାନଙ୍କୁ ବିମଳା ଏକ ଉଜ୍ଜ୍ୱଳ ଭବିଷ୍ୟତର ପଥ ଦେଖାଇ ପାରିଛନ୍ତି।

ଉପରେ ତ ମାତ୍ର ଅଳ୍ପ କେତେକ ମହିଳାଙ୍କ ବିଷୟରେ ଆଲୋଚନା କରାଯାଇଛି। ଏମାନଙ୍କ ବ୍ୟତୀତ ଖୋଜି ବସିଲେ ଆହୁରି ଏପରି ଅନେକ ମହିଳା ଆମ ଦୃଷ୍ଟିକୁ ଆସିବେ, ଯେଉଁମାନଙ୍କର ଭାରତୀୟ ଶିକ୍ଷା, ବିଶେଷକରି ନାରୀ ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ରହିଛି। ସମସ୍ତଙ୍କ ବିଷୟରେ ଆଲୋଚନା କରିବା ଏଠାରେ ସମ୍ଭବ ମଧ୍ୟ ନୁହେଁ। ତେବେ ସମାଜକୁ ଶିକ୍ଷାର ଆଲୋକ ଦେଖାଇ ନିଜ ଗୁଣର ମହିମାରେ ମହୀୟାନ୍ କରିଥିବା ଏଇ ମହିଳାମାନେ ଆମ ସମସ୍ତଙ୍କ ପାଇଁ ଚିର ନମସ୍ୟା, ଚିର ବନ୍ଦନୀୟା।

ଦୂରଭାଷ: ୦୯୨୩୮୯୯୯୭୫୮

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)