Advertisment

Sports: ରାହୁଲ ଦ୍ରାବିଡ଼ଙ୍କ କୋଚିଂରେ ଭାରତ ଜିତିବ କି ବିଶ୍ୱକପ୍‌

ଜଣେ ଖେଳାଳି ଭାବେ ଅଧୁରା ରହିଯାଇଥିଲା ରାହୁଲ ଦ୍ରାବିଡ଼ଙ୍କ ବିଶ୍ୱକପ୍ ବିଜୟର ସ୍ୱପ୍ନ। ଦୁଇ ବର୍ଷ ହେଲା ସେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ଦ୍ରାବିଡ଼ଙ୍କ ସେହି ସ୍ୱପ୍ନ ସାକାର ହେବ କି? ତାଙ୍କ ପ୍ରଶିକ୍ଷଣରେ ଟିମ୍ ଇଣ୍ଡିଆ ଏଥର ଜିତିବ କି ବିଶ୍ୱକପ୍‌?

author-image
Biswajit Mohanty
ଅଦ୍ୟତନ ହୋଇଛି
Will Rahul Dravid's dream come true

Will Rahul Dravid's dream come true

ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ଖ୍ୟାତିସମ୍ପନ୍ନ ବ୍ୟାଟର୍ ରାହୁଲ ଦ୍ରାବିଡ଼ ସେହି ପୂର୍ବତନ କ୍ରିକେଟର୍‌ମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ, ଯେଉଁମାନଙ୍କ କ୍ୟାରିଅର୍ ଉଲ୍ଲେଖନୀୟ ହୋଇଥିବା ସତ୍ତ୍ୱେ ସେମାନେ କେବେ ବି ସିନିଅର୍ ସ୍ତରରେ ଦିନିକିଆ ବିଶ୍ୱକପ୍ ଜିତିପାରି ନାହାନ୍ତି।

Advertisment

୨୦୦୩ ବିଶ୍ୱକପ୍‌ରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍ ଫାଇନାଲ୍‌ରେ ସ୍ଥାନ ପାଇଥିଲା, ଯେଉଁଥିରେ ଦ୍ରାବିଡ଼ ଟିମ୍‌ର ସଦସ୍ୟ ଥିଲେ; ହେଲେ ଟିମ୍ ଟ୍ରଫି ଜିତିପାରି ନ ଥିଲା।

ଏହାର ଚାରି ବର୍ଷ ପରେ ୨୦୦୭ ବିଶ୍ୱକପ୍‌ରେ ଦ୍ରାବିଡ଼ ଥିଲେ ଟିମ୍ ଇଣ୍ଡିଆର ଅଧିନାୟକ। ଟିମ୍‌ର ଲାଇନ୍‌-ଅପ୍ ମଜଭୁତ ଥିଲା। ଦ୍ରାବିଡ଼ଙ୍କ ଛଡ଼ା ଗାଙ୍ଗୁଲି, ସଚିନ ତେନ୍ଦୁଲକର, ଅନିଲ କୁମ୍ବଲେ, ବୀରେନ୍ଦ୍ର ସେହ୍ୱାଗ, ମହେନ୍ଦ୍ର ସିଂ ଧୋନି, ଯୁବରାଜ ସିଂହ, ଇରଫାନ୍ ପଠାନ୍‌, ଜାହିର ଖାନ୍‌, ହରଭଜନ ସିଂହ, ଅଜିତ ଅଗରକର ଟିମ୍‌ର ଅଂଶବିଶେଷ ଥିଲେ। କୋଚ୍ ଥିଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଗ୍ରେଗ୍ ଚାପେଲ୍।

Advertisment

ଟିମ୍‌ରେ ଦକ୍ଷତା ଓ ପ୍ରତିଭାର ଅଭାବ ନ ଥିଲା; କିନ୍ତୁ ଟିମ୍ ବିଫଳ ହୋଇଥିଲା, ଏପରିକି ନକ୍‌ଆଉଟ୍‌କୁ ବି ଯାଇପାରି ନ ଥିଲା। ଦ୍ରାବିଡ଼ଙ୍କ ଅଧିନାୟକତ୍ୱ ଉପରେ ସତେ ଯେମିତି ‘ଗ୍ରହଣ’ ଲାଗିଯାଇଥିଲା। ଏହାର କିଛି ମାସ ପରେ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଏକ ଯୁବ ଟିମ୍ ଦକ୍ଷିଣ ଆଫ୍ରିକା ଠାରେ ଖେଳାଯାଇଥିବା ୨୦୦୭ ଟି-୨୦ ବିଶ୍ୱକପ୍ ଜିତିଥିଲା। ୨୦୧୧ରେ ଭାରତୀୟ ଉପ-ମହାଦେଶରେ ଆୟୋଜିତ ଦିନିକିଆ ବିଶ୍ୱକପ୍‌ରେ ମଧ୍ୟ ଧୋନିଙ୍କ ଟିମ୍ ମୁକୁଟ ହାସଲ କରିଥିଲା।

ଦୁର୍ଭାଗ୍ୟର ବିଷୟ, ଦ୍ରାବିଡ଼ ୨୦୧୧ ବିଶ୍ୱକପ୍ ଟିମ୍‌ର ଅଂଶବିଶେଷ ନ ଥିଲେ। ସେହି ବର୍ଷ ସେ ସୀମିତ ଓଭର୍ (ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକ) କ୍ରିକେଟ୍‌ରୁ ଅବସର ନେଇଥିଲେ ଏବଂ ଏହା ପର ବର୍ଷ ଆନ୍ତର୍ଜାତିକ ଓ ପ୍ରଥମ-ଶ୍ରେଣୀ କ୍ରିକେଟ୍ ବି ଛାଡ଼ିଥିଲେ।

ଜଣେ ଖେଳାଳି ଭାବେ ଦ୍ରାବିଡ଼ଙ୍କ ବିଶ୍ୱକପ୍ ବିଜୟର ସ୍ୱପ୍ନ ଅଧୁରା ରହିଯାଇଥିଲା। ଏବେ ସେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ଗତ ଦୁଇ ବର୍ଷ ହେଲା ସେ ଟିମ୍‌ର ଦାୟିତ୍ୱରେ ଅଛନ୍ତି। ଏବେ ଯେଉଁ ବଡ଼ ପ୍ରଶ୍ନ ଉଠୁଛି, ତାହା ହେଲା - ଦ୍ରାବିଡ଼ଙ୍କ ସେହି ଅଧୁରା ସ୍ୱପ୍ନ ସାକାର ହେବ କି? ତାଙ୍କ ପ୍ରଶିକ୍ଷଣରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଏଥର ଜିତିବ କି ବିଶ୍ୱକପ୍‌?

କିଛି ଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ ଦ୍ରାବିଡ଼ଙ୍କୁ ୨୦୦୭ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଓ ବାଂଲାଦେଶ ଠାରୁ ପରାଜୟ ସମ୍ପର୍କରେ ପଚରା ଯାଇଥିଲା, ସେ ମୃଦୁ ହସି ଉତ୍ତର ଦେଇଥିଲେ, “ଏ କଥାକୁ ବହୁତ ଦିନ ହୋଇଗଲାଣି ଯେତେବେଳେ ମୁଁ ଖେଳାଳି ଥିଲି। ସତ କଥା ହେଉଛି, ମୁଁ ପ୍ରାୟତଃ ଭୁଲିଗଲିଣି ଯେ ମୁଁ ବି ଖେଳୁଥିଲି। ଏ କଥାକୁ ମୁଁ ପଛରେ ଛାଡ଼ିଆସିଛି ଏବଂ ଏବେ ମୁଁ ଏହି ପୂରା ଗ୍ରୁପ୍‌କୁ ତା’ର ଫୋକସ୍ ବଜାୟ ରଖିବା ଦିଗରେ ସହାୟତା କରୁଛି।”

ଶ୍ରୀଲଙ୍କାର ପୂର୍ବତନ ଅଲ୍‌ରାଉଣ୍ଡର୍ ସନଥ ଜୟସୂରିୟାଙ୍କ କହିବାନୁଯାୟୀ, “ଆମେ ସେହି ବ୍ୟାଟର୍‌ଙ୍କ ବିଷୟରେ କଥାବାର୍ତ୍ତା କରୁଛୁ ଯିଏ ଟେଷ୍ଟ କ୍ରିକେଟ୍‌ରେ ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ରିଜ୍‌ରେ ତିଷ୍ଠି ରହିବା ଓ ସର୍ବାଧିକ ବଲ୍ ଖେଳିବାର ରେକର୍ଡ କରିସାରିଛନ୍ତି। ଏଭଳି ଖେଳାଳି ଇତିହାସରେ କମ୍ ଥାଆନ୍ତି ଏବଂ କୋଚ୍ ଭାବେ ମଧ୍ୟ ଦ୍ରାବିଡ଼ଙ୍କ ଏକାଗ୍ରତା ସ୍ପଷ୍ଟ ବାରି ହେଉଛି । ଯଦି ଭାରତ ଏହି ଟ୍ରଫି ଜିତେ, ତା’ହେଲେ ସମ୍ଭବତଃ ଦ୍ରାବିଡ଼ଙ୍କ ଠାରୁ ଆଉ କେହି ଅଧିକ ସନ୍ତୁଷ୍ଟ ହୋଇପାରିବେନି।”

କୋଚ୍ ଦ୍ରାବିଡ଼ ଆଜି ବି ନେଟ୍ସରେ ଅଭ୍ୟାସକୁ ସେତିକି ଗୁରୁତ୍ୱ ଦେଉଛନ୍ତି ଯେମିତି ଖେଳାଳି ଭାବେ ସେ ନେଟ୍ସରେ ବହୁ ସମୟ ଧରି ଅଭ୍ୟାସ କରୁଥିଲେ। ସେ ପ୍ରଥମେ ନେଟ୍ସରେ ପହଞ୍ଚିବା ପରେ ପ୍ରତି ଖେଳାଳିଙ୍କୁ ଅଭ୍ୟାସ ସମୟରେ ଗଭୀର ଭାବେ ଅନୁଧ୍ୟାନ କରନ୍ତି। ପରାମର୍ଶ ଦିଅନ୍ତି। ବ୍ୟାଟିଂ କୋଚ୍ ବିକ୍ରମ ରାଥୋଡ଼ ଓ ବୋଲିଂ କୋଚ୍ ପାରସ ମହାମ୍ବ୍ରେଙ୍କୁ ସବୁ କାର୍ଯ୍ୟରେ ସାମିଲ କରନ୍ତି ଟିମ୍‌ର ଫିଲ୍ଡିଂ କୋଚ୍ ଟି. ଦିଲୀପ ଏବେ ଖେଳାଳିଙ୍କ ସହ ଯେତିକି ପରିଶ୍ରମ କରୁଛନ୍ତି, ତାହା ବହୁତ କମ୍ ଟିମ୍‌ରେ ଦେଖିବାକୁ ମିଳେ।

ନଭେମ୍ବର ୨ରେ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ର ପୂର୍ବ ଦିନ ଭାରତୀୟ ଟିମ୍ ଯେତେବେଳେ ଅଭ୍ୟାସ ପାଇଁ ପହଞ୍ଚିଥିଲା, ଦ୍ରାବିଡ଼ ପ୍ରଥମେ ପିଚ୍‌କୁ ନିରୀକ୍ଷଣ କରିଥିଲେ। ଅକ୍ଟୋବର ୩୧ରେ ମଧ୍ୟ ଶୁଭମନ ଗିଲ୍ ଯେତେବେଳେ ଦେଢ଼ ଘଣ୍ଟା ଧରି ବ୍ୟାଟିଂ କରୁଥିଲେ, ସେତେବେଳେ ଦ୍ରାବିଡ଼ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ସହ କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳୁଥିଲା। ୱାଙ୍ଖେଡ଼େ ପିଚ୍‌ର ଲାଲ୍ ମାଟିକୁ ଦେଖି ସେ ବ୍ୟାଟର୍‌ମାନଙ୍କୁ ପେସ୍ ବୋଲିଂର ଅଭ୍ୟାସ କରାଇଥିଲେ। ମହମ୍ମଦ ସିରାଜ ମଧ୍ୟ ବିରାଟ କୋହଲି ଓ ଶୁଭମନଙ୍କୁ ବହୁ ସମୟ ଯାଏଁ ବାଉନ୍ସ ହେଉଥିବା ବଲ୍ ପକାଇଥିଲେ।

ଏହା ପୂର୍ବରୁ ଅକ୍ଟୋବର ୨୯ରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମ୍‌ରେ ଟିମ୍ ଇଣ୍ଡିଆର ଇଂଲଣ୍ଡ ସହ ମୁକାବିଲା ହୋଇଥିଲା। ଏହାର ପୂର୍ବ ଦିନ ଟିମ୍ ଯେତେବେଳେ ନେଟ୍ସରେ ଅଭ୍ୟାସ କରୁଥିଲା, ସେତେବେଳେ ଦ୍ରାବିଡ଼ ମଝିରେ ଅନେକ ଥର ପିଚ୍‌କୁ ଦେଖିବାକୁ ଯାଉଥିଲେ। ତାକୁ ଛୁଉଁଥିଲେ। ଦ୍ରାବିଡ଼ଙ୍କର ଆଶଙ୍କା ଥିଲା ଯେ ଏଥିରେ ବ୍ୟାଟିଂ କଷ୍ଟସାଧ୍ୟ ହେବ। ହେଲା ମଧ୍ୟ। ଏକ ଲୋ-ସ୍କୋରିଂ ମ୍ୟାଚ୍‌ରେ ଭାରତୀୟ ଟିମ୍ ଇଂଲଣ୍ଡକୁ ହରାଇଥିଲା।

ଦ୍ରାବିଡ଼ଙ୍କ ସହ କ୍ରିକେଟ୍ ଖେଳିସାରିଥିବା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ଡାରେନ୍ ସାମୀ ୨୦୨୩ ବିଶ୍ୱକପ୍ ପୂର୍ବରୁ କହିଥିଲେ, “ଦ୍ରାବିଡ଼ ଏବେ ସେଟ୍ ହୋଇଗଲେଣି। ତାଙ୍କ ଭଳି ପରିଶ୍ରମୀ ଖେଳାଳି ମୁଁ ବହୁତ କମ୍ ଦେଖିଛି। ଟିମ୍‌ରେ ଅଧାରୁ ଅଧିକ ସୁପର୍‌ଷ୍ଟାର୍ ଖେଳାଳି। ଏହା କମ୍ ବଡ଼ ଆହ୍ୱାନ ନୁହେଁ।”

ଦ୍ରାବିଡ଼ଙ୍କ ଲକ୍ଷ୍ୟପଥରେ ଟିମ୍ ଇଣ୍ଡିଆ:

ଦ୍ରାବିଡ଼ଙ୍କ ପାଇଁ ମୁଖ୍ୟତଃ ତିନିଟି କଥା ଗୁରୁତ୍ୱପୂର୍ଣ୍ଣ। ପ୍ରଥମ, ସେ ଭାରତୀୟ ଟିମ୍‌କୁ ବିଶ୍ୱର ସର୍ବଶ୍ରେଷ୍ଠ ଟିମ୍ ଭାବେ ଗଢ଼ିତୋଳିବେ, ଯିଏ ବିଶ୍ୱକପ୍ ପରେ ବି ଦୃଢ଼ ପ୍ରଦର୍ଶନ ବଜାୟ ରଖିବ। ଏହି ଆଶା ନେଇ ତାଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଥିଲା।

ଦ୍ୱିତୀୟ, ଟିମ୍‌କୁ ବିଶ୍ୱକପ୍ ଜିତାଇ ତାଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବେ। ତାଙ୍କ ପ୍ରଶିକ୍ଷଣରେ ୨୦୧୮ରେ ୧୯ ବର୍ଷରୁ କମ୍ ଭାରତୀୟ ଟିମ୍ ବିଶ୍ୱକପ୍ ଜିତିଥିଲା। ସିନିଅର୍ ଟିମ୍‌କୁ ମଧ୍ୟ ଅନୁରୂପ ସଫଳତା ଦେବା ତାଙ୍କ କ୍ୟାରିଅର୍ ପାଇଁ ଗୁରୁତ୍ୱପୂର୍ଣ୍ଣ।

ତୃତୀୟ, ବିଶ୍ୱକପ୍ ଟ୍ରଫି ଜିତି ନ ପାରିବା ସ୍ଥଳେ ତାଙ୍କ କାର୍ଯ୍ୟକାଳ ଆଉ ଆଗକୁ ବଢ଼ି ନ ପାରେ। ଏସିଆ କପ୍ ବିଜୟ ଯଥେଷ୍ଟ ନୁହେଁ। ତେଣୁ ବିଶ୍ୱକପ୍ ତାଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ।

ସମ୍ଭବତଃ ଏସବୁ କଥାକୁ ଦୃଷ୍ଟିରେ ରଖି ଦ୍ରାବିଡ଼ ଏଭଳି ଏକ ଟିମ୍ ପ୍ରସ୍ତୁତ କରିଛନ୍ତି, ଯିଏ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସବୁଥିରେ ଦକ୍ଷ ଏବଂ ସବୁ ଟିମ୍‌କୁ ସାମ୍ନା କରିବାକୁ ସମର୍ଥ।

ବିଶ୍ୱକପ୍‌ର ଅବ୍ୟବହିତ ପୂର୍ବରୁ ଟିମ୍ ଇଣ୍ଡିଆ ଏସିଆ କପ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ଜିତିଥିଲା। ଏବେ ବିଶ୍ୱକପ୍‌ରେ ଟିମ୍ ଯେଭଳି ପ୍ରଦର୍ଶନ କରୁଛି, ତାହାକୁ ଦେଖି ଦୃଢ଼ କଣ୍ଠରେ କହିହେବ ଯେ ଭାରତ ବିଶ୍ୱକପ୍ ମୁକୁଟ ଜିତିପାରିବ।

ଟିମ୍ ଇଣ୍ଡିଆ ଦ୍ରାବିଡ଼ଙ୍କ ଲକ୍ଷ୍ୟପଥରେ ଚାଲିଛି ଏବଂ ସେମିଫାଇନାଲ୍‌ରେ ପ୍ରବେଶ କରିସାରିଛି। ରୋହିତ ସେନା ବିଶ୍ୱକପ୍‌ରେ ଏ ଯାବତ ଖେଳିଥିବା ସମସ୍ତ ଆଠ ମ୍ୟାଚ୍ ଜିତିଛି ଏବଂ ଟିମ୍‌ର ଟେବୁଲ୍ ଟପ୍ପର ହେବା ସୁନିଶ୍ଚିତ ହୋଇଛି।

ଦ୍ରାବିଡ଼ ଏ କଥା ଭଲ ଭାବେ ଜାଣନ୍ତି ଯେ ଏହା ଦୁଇ ବର୍ଷର ପରିଶ୍ରମର ଫଳ। ଜୁନିଅର୍ ଟିମ୍‌କୁ ବିଶ୍ୱକପ୍ ଜିତାଇବା ଓ ଜାତୀୟ କ୍ରିକେଟ୍ ଏକାଡେମୀର ମୁଖ୍ୟ ଭାବେ ଖେଳାଳି ଗଢ଼ିବା ଠାରୁ ସିନିଅର୍ ଟିମ୍‌କୁ ତୁଙ୍ଗ ଶିଖରରେ ପହଞ୍ଚାଇବା ଅଧିକ କଠିନ କାର୍ଯ୍ୟ। ସ୍ୱପ୍ନ ସାକାର ହେବା ଏତେ ସହଜ ନୁହେଁ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

World Cup Indian Cricket Indian Cricket Team Rahul Dravid
Advertisment
Advertisment