• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadhin Kumar Rout

ଏବେ ଚାରିଆଡ଼େ ଚର୍ଚ୍ଚା ଗୋଟିଏ ନାଁ, ତାହା ହେଲା ଟୁଙ୍ଗୁରୁ ଭୋଳ। ସେ ସୋସିଆଲ୍ ମିଡିଆ ହେଉ ବା ମେନ୍ ଷ୍ଟ୍ରିମ୍ ମିଡିଆ ସବୁଠି ଟୁଙ୍ଗୁରୁଙ୍କ ପ୍ରେମକାହାଣୀକୁ ନେଇ ଭାରି ଚର୍ଚ୍ଚା। ଖାଲି ଏତିକି ନୁହେଁ ଟୁଙ୍ଗୁରୁ ନାଁରେ ତିଆରି ହେଉଛି କିଛି କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ଆଲବମ୍। ଟୁଙ୍ଗୁରୁଙ୍କ ସହ ତାଙ୍କ ପ୍ରେମିକା ବର୍ଷାକୁ ନେଇ ମଧ୍ୟ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଅନେକ।

ପ୍ରକୃତରେ ଏହା ହେଉଛି ମୋବାଇଲ୍‌ରେ ଭିଡିଓ ଦେଖୁଥିବା ସେହି ଦର୍ଶକମାନଙ୍କ ଆଦାର ଯାହାକି ଏମାନଙ୍କ ଭିଡିଓକୁ ଏତେ ପପୁଲାର କରୁଛି। ସେ ଛୋଟ ୟୁଟ୍ୟୁବ୍ ଚ୍ୟାନେଲ ହୁଅନ୍ତୁ ବା କୌଣସି ପ୍ରତିଷ୍ଠିତ ସୋସିଆଲ୍ ମିଡିଆ ସାଇଡ୍। ସବୁଥିରେ ବର୍ତ୍ତମାନ ଟୁଙ୍ଗୁରୁଙ୍କ ଭିଡିଓ ମିଲିୟନ୍ ଛୁଇଁଛି।

ତେବେ ବର୍ତ୍ତମାନ ପ୍ରଶ୍ନଉଠୁଛି ସାଧାରଣ ମଣିଷର କାହାଣୀ ଦେଖିବାକୁ ସମସ୍ତେ ଏତେ ଆତୁର କାହାଁକି? ସାଧାରଣ ଲୋକଟିର ଜୀବନରେ ଘଟିଥିବା ଘଟଣାର ରୁଚି ନେବାକୁ ଦର୍ଶକମାନେ ଏତେ ବ୍ୟଗ୍ର କାହିଁକି ? ତେବେ ଏଭଳି ଘଟଣା ପ୍ରଥମ ଥର ପାଇଁ ହେଉନି। ଯେବେଠାରୁ ସୋସିଲ୍ ମିଡିଆ ମେନ୍ ଷ୍ଟ୍ରିମ୍ ମିଡିଆ ଉପରେ ତା’ର ପ୍ରଭାବ ବିସ୍ତାର କରିବାକୁ ଲାଗିଲାଣି ସେବେଠାରୁ ଏଭଳି ଖବରର ଚାହିଦା ବଢୁଛି।

ପ୍ରତିଦିନ ବିଭିନ୍ନ ସଂସ୍ଥାର ସୋସିଆଲ୍ ମିଡିଆ ସାଇଡ୍‌କୁ ବିଭିନ୍ନ ଶ୍ରେଣୀ ଏବଂ ବର୍ଗର ଲୋକ ସବସ୍‌କ୍ରାଇବ କରୁଛନ୍ତି। ଏହା ମଧ୍ୟରେ ସମାଜର ତଳ ସ୍ତରରେ ରହୁଥିବା ଲୋକ ମଧ୍ୟ ସାମିଲ ଅଛନ୍ତି। ସେ ସହରର ବସ୍ତି ଅଞ୍ଚଳରେ ରହୁଥିବା ଲୋକ ହୁଅନ୍ତୁ ବା ଗ୍ରାମାଞ୍ଚଳର ଲୋକ। ଯଦି ସେମାନେ ଦେଖୁଛନ୍ତି ଯେ ସେମାନଙ୍କ ଭଳି କିଛି କାହାଣୀ ସୋସିଆଲ୍ ମିଡିଆରେ ଅପ୍‌ଲୋଡ୍ ହୋଇଛି।

ଏହା ବିଭିନ୍ନ ଗ୍ରୁପ୍‌ ମାଧ୍ୟମରେ ଶେୟାର ହେଉଛି। ଏହାଫଳରେ ୟୁଟ୍ୟୁବ୍ ଏବଂ ଫେସ୍‌ବୁକ୍‌ରେ ସେହି କାହାଣୀ ଟ୍ରେଣ୍ଡିଂ କରୁଛି। ଥରେ ଭିଡିଓ ଟ୍ରେଣ୍ଡିଂ କଲେ ଏଥିରେ ଅନ୍ୟ ବର୍ଗର ଲୋକ ମଧ୍ୟ ଏହାକୁ ଦେଖିବା ପରେ ଭିଡିଓଟି ମିଲିୟନ ଛୁଉଁଛି। ଏ ହେଉଛି ସୋସିଆଲ୍ ମିଡିଆର କମାଲ, ଯାହାକି ବସ୍ତିର ପିଲାଙ୍କୁ ମଧ୍ୟ ରାତାରାତି ଷ୍ଟାର୍‌ କରିଦେଉଛି। ହେଲେ ଏଭଳି ଷ୍ଟାର୍‌ ପାଲଟୁଥିବା ଲୋକଙ୍କ ଶୀଘ୍ର ପତନ ମଧ୍ୟ ହୋଇଥାଏ। ଯେମିତିକି ପଶ୍ଚିମବଙ୍ଗର ରାନୁ ମଣ୍ଡଳ ଏବଂ କାଚା ବାଦାମ ଗୀତର ଗାୟକ। ଆଜି ଏମାନଙ୍କୁ ପଚାରେ କିଏ?

ସମୟ ବଦଳିବା ସହ ବର୍ତ୍ତମାନ ଖବରର ରୁଚି ବଦଳିଛି। ଆଗରୁ ଖବର ଜାଣିବା ଏବଂ ବିଶ୍ଳେଷଣ କରିବା ସମାଜର ଶିକ୍ଷିତ ଶ୍ରେଣୀ ଲୋକଙ୍କ ମଧ୍ୟରେ ସୀମିତ ଥିଲା। ବହୁ ବର୍ଷ ଧରି ଖବରକାଗଜ ପଢିବା ଏବଂ ଘରକୁ ଖବରକାଗଜ ମଗାଇବା ଏକ ସମ୍ଭ୍ରାନ୍ତ ଶ୍ରେଣୀର ପ୍ରତିକ ଥିଲା। ହେଲେ କାଳକ୍ରମେ ତାହା ପରିବର୍ତ୍ତନ ହେଲା।

ଖବର କାଗଜ ପରେ ଆସିଲା ରେଡିଓ ଆଉ ତା’ପରେ ଟିଭି। ଏ ସବୁ ଆସିଲା ପରେ ଖବର ପହଞ୍ଚିବାର ସୀମା ବ୍ୟାପକ ହେଲା। ଲୋକେ ଖବର ଶୁଣି ଏବଂ ଦେଖି ବିଭିନ୍ନ ଦେଶ ବିଦେଶର କଥା ଜାଣିପାରିଲେ। ଆସ୍ତେ ଆସ୍ତେ ଲୋକ ବିଭିନ୍ନ ଟିଭି ମାଧ୍ୟମରେ ଲାଇଭ୍ ନିଉଜ ଦେଖିଲେ। ଟିଭି ସାମ୍ବାଦିକଙ୍କ ଗୁରୁତ୍ୱ ବଢିଲା। ସେମାନେ ଲୋକପ୍ରିୟ ହେଲେ। ଦିନେ ଟିଭିରେ ଖବର ପ୍ରସାରଣ ହେଲେ ଖବରର ଗୁରତ୍ୱ ବଢିଯାଉଥିଲା।

ବର୍ତ୍ତମାନ ଧିରେ ଧିରେ ଏହାର ସ୍ଥାନ ନେଲାଣି ସାମାଜିକ ଗଣମାଧ୍ୟମ। ବର୍ତ୍ତମାନ ହେଉଛି ଭାରଇଲ୍ ଭିଡିଓ ଜର୍ନାଲିଜିମ୍‌ର ଯୁଗ ଆଉ ଏହି ଯୁଗରେ ହିରୋ ହେଉଛନ୍ତି ଯାହା ଉପରେ ଖବର ପ୍ରସାରଣ ହେଉଛି, ଯେମିତିକି ଟୁଙ୍ଗୁରୁ ଭୋଳ ଏବଂ ବର୍ଷା।

ଫୋର୍-ଜି ସେବା ଗାଁ ଗାଁରେ ପହଞ୍ଚିବା ପରେ ଖବର କାଗଜ ଏବଂ ଟିଭିର ସ୍ଥାନ ନେଉଛି ସାମାଜିକ ଗଣମାଧ୍ୟମ। ୟୁଟ୍ୟୁବ୍ ଏବଂ ଫେସ୍‌ବୁକ୍ ଖବର ଜାଣିବାର ଏକ ମାଧ୍ୟମ ପାଲଟିଛି। ଆଉ ଏହାଦ୍ୱାରା ସବୁ ମିଡିଆ ହାଉସ୍ ଲକ୍ଷାଧିକ ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି। ଏଥିପାଇଁ ଏହି ପ୍ଲାଟ୍‌ଫର୍ମରେ ଭଲ ଚାଲୁଥିବା ଖବରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସେମାନେ। ଏଥିଯୋଗୁଁ ଟୁଙ୍ଗୁରୁ ଭୋଳ ଭଳି ଜଣେ ଅଟୋଚାଳକ ରାତାରାତି ହିରୋ ପାଲଟିଯାଉଛନ୍ତି।

ଖାଲି ଟୁଙ୍ଗୁରୁ ନୁହେଁ ଏଇ କିଛି ଦିନ ତଳେ ଭଦ୍ରକରେ ଘଟିଥିବା ‘ଧନ’ର ପ୍ରେମ କାହାଣୀ ହେଉ ବା ଭୁବନେଶ୍ୱରର ଭରତପୁରର ଚୌଠିରାତିରେ ବୋହୁ ଫେରାର ଘଟଣା। ଜଣଙ୍କ ବ୍ୟକ୍ତିଗତ ଯନ୍ତ୍ରଣା ଉପରେ ଆଧାରିତ ଏହି ସବୁ ଷ୍ଟୋରୀ ସୋସିଆଲ୍ ମିଡିଆରେ ଭଲ ଟ୍ରେଣ୍ଡ୍‌ କରୁଛି।

ଥରେ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେବା ପରେ ଟିଭି ଏବଂ ଖବରକାଗଜ ମଧ୍ୟ ଏହା ଉପରେ ଖବର ପ୍ରସାରଣ କରିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଖବରର ଖୁବ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଉଛି। ଦର୍ଶକମାନେ ସିଧାସଳଖ ପ୍ରଶ୍ନ କରୁଛନ୍ତି ଯେ ଏଭଳି ଖବରକୁ କାହଁକି ଚ୍ୟାନେଲ୍‌ ବାଲା ଏତେ ଗୁରୁତ୍ୱ ଦେଉଛନ୍ତି? ଏହାବି ଠିକ କଥା। ଏହା ନୁହେଁ ଯେ କୌଣସି ଗଣମାଧ୍ୟମ କେବଳ ଏହି ନ୍ୟୁଜ୍ ଉପରେ ହିଁ ଫୋକସ୍ କରିଥାଏ। ପ୍ରତ୍ୟେକ ଗଣମାଧ୍ୟମ ପ୍ରତିଦିନ ଘଟୁଥିବା ଅନେକ ଘଟଣାକୁ ରିପୋର୍ଟ କରନ୍ତି। ଏହା ଉପରେ ବିଶ୍ଲେଷଣ କରନ୍ତି। ହେଲେ ଭଲ ଖବରର ଦର୍ଶକୀୟ ଆଦର ଅଧିକ ପାଇବା କଥା। ହେଲେ ଅନେକ ସମୟରେ ଭଲ ଖବରକୁ ସୋସିଆଲ୍ ମିଡିଆରେ ଦର୍ଶକୀୟ ଆଦରତା ମିଳେନି।

ବିଗତ ଦିନଗୁଡିକରେ ଏମିତି ଅନେକ ଷ୍ଟୋରୀ ପ୍ରସାରଣ ହୋଇଛି ଯାହାର ଭିଓର୍‌ସିପ୍ ଟୁଙ୍ଗୁରୁ ଭୋଳ ଠାରୁ ମଧ୍ୟ ଅଧିକ ରହିଛି। ଏହି କିଛି ଦିନ ତଳେ ଛତିଶଗଡ଼ରେ ବୋର୍‌ୱେଲ୍‌ରେ ପଡି ଜୀବନ ସହ ସଂଘର୍ଷ କରୁଥିବା ଛୋଟ ପିଲା ରାହୁଲର କଥା ବିଚାରକୁ ନିଆଯାଉ। ଲକ୍ଷ ଲକ୍ଷ ଲୋକ ଏହାର ସିଧାପ୍ରସାରଣ ବିଭିନ୍ନ ଚ୍ୟାନେଲ୍‌ ମାଧ୍ୟମରେ ଦେଖିଛନ୍ତି। ରାହୁଲର କାହାଣୀରେ ଥିଲା ଦୁଃଖ, କଷ୍ଟ, ବଞ୍ଚିବା-ମରିବାକୁ ନେଇ ସସ୍‌ପେନ୍ସ। ଏହି ସସ୍‌ପେନ୍ସ ହିଁ ଲୋକଙ୍କୁ ବାନ୍ଧି ରଖୁଥିଲା।

ସେହିପରି ଦ୍ରୌପଦୀ ମୁର୍ମୁଙ୍କ କାହାଣୀ। ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀଭାବେ ଦ୍ରୈପଦୀ ମୁର୍ମୁଙ୍କ ନା ଘୋଷଣା ହେବା ପରେ ସେ ମନ୍ଦିର ସଫା କରୁଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏତେବଡ ଲୋକ ହୋଇ ମଧ୍ୟ କିଭଳି ସାଧାରଣ କାମ କରୁଛନ୍ତି ତାହା ଦର୍ଶକ ଦେଖିବାକୁ ପସନ୍ଦ କଲେ। ଏହା ଆଗରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡଙ୍ଗୀଙ୍କ ସରଳ ଜୀବନ ଶୈଳୀର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ମିଲିୟନ୍ ଛୁଇଁଥିଲା। ଭଲ ଖବରର ଭଲ ଆଦର ମଧ୍ୟ ରହିଛି। ହେଲେ ଏହା ନିର୍ଭର କରୁଛି ପରିବେଷଣ ଶୈଳୀ ଉପରେ।

ତେବେ କେହି ଏହାକୁ ଗ୍ରହଣ କରନ୍ତୁ ବା ନା କରନ୍ତୁ, ସମାଜରେ ବର୍ତ୍ତମାନ ସୋସିଆଲ୍ ମିଡିଆର ଗ୍ରହଣିୟତା ବୃଦ୍ଧି ପାଉଛି। ସାଧାରଣ ଲୋକଟିଏ ଖବର ସୃଷ୍ଟି କରୁଛି, ଖବରକୁ ପ୍ରସାର କରୁଛି, ଆଉ ଏହି ଖବରକୁ ସେ ଉପଭୋଗ ମଧ୍ୟ କରୁଛି।

ଖାଲି ଗୋଟିଏ ଟୁଙ୍ଗୁରୁ ଭୋଳ ନୁହେଁ, ଯେତେଦିନ ଯାଏଁ ସମାଜରେ ସାମାଜିକ ଗଣମାଧ୍ୟମର ରାଜୁତି ଜାରି ରହିଥିବ ସେତେଦିନ ଯାଏଁ ଏମିତି ଚରିତ୍ର ସବୁ ସୃଷ୍ଟି ହେଉଥିବେ। ସେ ସୁନାମରେ ହେଉ ବା ଦୁର୍ନାମରେ, ଏଭଳି ଚରିତ୍ର ସବୁ ରାତିଅଧିଆ ହିରୋ ପାଲୁଟୁଥିବେ ଏବଂ ରାତି ପାଇଲା ପରେ ପାଣିରେ ମିଳେଇଯାଉଥିବେ।